ଶେଖ୍‌ ହସିନାଙ୍କ ବିରୋଧରେ ଜାରି ହେଲା ଗିରଫ ପରୱାନା

ନୂଆଦିଲ୍ଲୀ: ଦିନ ଯେତିକି ଯେତିକି ବଢୁଛି, ବିବାଦ ସେତିକି ସେତିକି ବଢୁଛି । ଅଗଷ୍ଟରୁ ଦେଶ ଛାଡ଼ି ପଳାଇ ଆସିଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏବେ ଦେଶ ଫେରିବାକୁ ବାଧ୍ୟ ହେବେ ବୋଲି କୁହାଯାଉଛି । କାରଣ ବାଂଲା କୋର୍ଟ ପୁଣି ଥରେ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛି । ଏହା ପରେ ସେ ନିଜ ଦେଶକୁ ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏନେଇ ଶେଖ୍‌ ହସିନାଙ୍କ ପକ୍ଷରୁ ସ୍ପଷ୍ଟ ହୋଇନାହିଁ ସେ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିବେ କି ନାହିଁ । ଅଭିଯୋଗ ଅନୁସାରେ, ଭାରତରେ ଆଶ୍ରୟ ନେଇଥିବା ହସିନା ପ୍ରଧାନମନ୍ତ୍ରୀ ଥିବା ବେଳେ ସ୍ଥାନୀୟ ଲୋକଙ୍କୁ ହତ୍ୟା କରିଥିବା ପରି ସାଙ୍ଘାତିକ ଅଭିଯୋଗ ଅଛି । ଅଭିଯୋଗ କୋର୍ଟରେ ପହଞ୍ଚିବା ପରେ ଗିରଫ ପରୱାନା ଜାରି କରିଛନ୍ତି କୋର୍ଟ । ଗୁରୁତ୍ବପୂର୍ଣ୍ଣ କଥା ହେଲା, ଅଗଷ୍ଟ ମାସରେ ବାଂଲାଦେଶରେ ଭୀଷଣ ଛାତ୍ର ଆନ୍ଦୋଳନ ଦେଖିବାକୁ ମିଳିଥିଲା । କେବଳ ଆନ୍ଦୋଳନ ହୋଇଥିଲା ତାହା ନୁହେଁ ବରଂ ପୋଡ଼ାଜଳା ହେବା ସହିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଆନ୍ଦୋଳନକାରୀମାନେ ଧସେଇ ପଶିଥିଲେ ।

ଏମିତିକି ବାଂଲାର ଆର୍ମି ହସିନାଙ୍କୁ ମାତ୍ର ୪୦ ମିନିଟ୍‌ର ସମୟ ଦେଇଥିବା କୁହାଯାଉଥିଲା । ସ୍ଥିତି ଅଣାୟତ୍ତ ହେଉଥିବା ଦେଖିବା ପରେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭାରତ ଚାଲିଆସିଥିଲେ ହସିନା । ଅବଶ୍ୟ ପରବର୍ତ୍ତୀ ସମୟରେ, ହସିନା ବ୍ରିଟେନ୍‌ ଓ ଋଷିଆ ଯିବା ନେଇ ଚର୍ଚ୍ଚା ହେଉଥିଲା ହେଲେ ଭିସା ନମିଳିବାରୁ ସେ ଭାରତରେ ହିଁ ରହିଲେ । କିନ୍ତୁ ଏହା ପରେ ବି ଗୋଟିଏ ପରେ ଗୋଟିଏ ମାମଲା ତାଙ୍କ ବିରୋଧରେ ରୁଜୁ ହେବାରେ ଲାଗିଛି । ଅନ୍ତର୍ଜାତୀୟ ଅପରାଧିକ ଟ୍ରିବ୍ୟୁନାଲ(ଆସିଟି)ର ମୁଖ୍ୟ ଆଇନଜୀବୀ ତଜୁଲ ଇସଲାମ କହିଛନ୍ତି, ବଳପୂର୍ବକ ଲୋକଙ୍କୁ ଗାଏବ କରିବା ମାମଲାରେ ହସିନାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ହସିନା ୧୫ ବର୍ଷ ଧରି ବାଂଲାଦେଶରେ ଶାସନ କରିଥିଲେ । ଏହି ସମୟରେ ସେ ୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷାକର୍ମୀଙ୍କ ଦ୍ୱାରା ଅପହରଣ କରିଥିଲେ । ଏହାପରେ ସେମାନଙ୍କୁ ଗୁପ୍ତ ଠିକଣାରେ ରଖାଯାଇଥିଲା । ଯେଉଁଥି ଲାଗି କୋର୍ଟ ହସିନାଙ୍କ ସହ ଆଉ ୧୧ ଜଣଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି ।

କୁହାଯାଉଛି କି, ବାଂଲାଦେଶ ସରକାର ହସିନାଙ୍କୁ ସ୍ବଦେଶ ଫେରାଇ ଆଣିବାକୁ ଜୋରଦାର କସରତ କରୁଛନ୍ତି । ଏମିତିକି ଏନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟକୁ ଚିଠି ବି ଲେଖାଯାଇଛି । ଅବଶ୍ୟ ଭାରତର ବୈଦେଶିକ ମନ୍ତ୍ରଣାଳୟ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି କିନ୍ତୁ ହସିନା ବାଂଲା ଫେରିବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ, ବାଂଲାଦେଶ ସରକାରଙ୍କ ପ୍ରେସ ସଚିବ ଶଫିକୁଲ ଆଲାମ କହିଛନ୍ତି, ଶେଖ ହସିନା ଯେମିତି ହେଲେ ବି ନ୍ୟାୟପାଳିକାର ସାମ୍ନା କରିବେ। ତାଙ୍କୁ ମାନବଜାତି ବିରୋଧୀ ଅପରାଧ ପାଇଁ ଦଣ୍ଡ ଦେବାକୁ ଆମେ ପୂରା ଚେଷ୍ଟା କରିବୁ। ତାଙ୍କୁ ବାଂଲାଦେଶ ଆଣିବାକୁ ଆମର ଚାପ ପକାଇବା କାମ ଜାରି ରହିବ ।

Leave a Reply

Your email address will not be published. Required fields are marked *