
ଜଗନ୍ନାଥ ପ୍ରସାଦ (ଅରକ୍ଷିତ ପରିଚ୍ଛା , ଓଡ଼ିଶା ଟୁଡେ): ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡ଼ିଶା ସରକାରଙ୍କ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ଵାରା ପ୍ରଯୋଜିତ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ତାଲିମ୍ ନିମନ୍ତେ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଅଧ୍ୟାପକ ଶ୍ରୀଯୁକ୍ତ ସୁନିଲ୍ କୁମାର ମୁନି ସଭାରେ ସଭାପତିତ୍ବ କରି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଏହି କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଥିଲେ ଓ ନାରୀ ସଶସ୍ତ୍ରୀକରଣ କ୍ଷେତ୍ରରେ ଛାତ୍ରୀ ଆତ୍ମସୁରକ୍ଷା ତାଲିମ୍ କିପରି ପ୍ରଯୁଜ୍ୟ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ସଂଯୋଜକ ଡ଼ଃ ଜୟଦେବ ଗୌଡ଼ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ଆତ୍ମ ସୁରକ୍ଷା ଛାତ୍ରୀ ମାନଙ୍କୁ କିପରି ସହାୟକ ହେବ ସେ ବିଷୟରେ ଗୁରୁତ୍ୱାରୋପ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିଥି ଅଧ୍ୟାପିକା ଶ୍ରୀମତୀ ସୁମିତ୍ରା ଗୌଡ଼ ଯୋଗ ଦେଇ ଛାତ୍ରୀ ଆତ୍ମ ସୁରକ୍ଷା ତାଲିମ୍ ନେଇ ଛାତ୍ରୀ ମାନେ ନିଜ ସୁରକ୍ଷା ନିଜେ କରିବା ଉଚିତ୍ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଅତିଥି ଅଧ୍ୟାପିକା ଆଶ୍ମା ନନ୍ଦ, ସୋନାଲି ବେହେରା ଓ ପ୍ରଶିକ୍ଷିକା ଶ୍ରୀମତୀ ସ୍ମୃତିମୟୀ ପାତ୍ର ଯୋଗ ଦେଇ ଛାତ୍ରୀ ମାନଙ୍କ ଆତ୍ମସୁରକ୍ଷା ସମ୍ପର୍କରେ ଉଦବୋଧନ ଦେଇଥିଲେ । ବିଜ୍ଞାନ ଛାତ୍ରୀ ସୁଶ୍ରୀ ଲୋପାମୁଦ୍ରା ସାହୁ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ । ଏହି ଛାତ୍ରୀ ଆତ୍ମ ସୁରକ୍ଷା କାର୍ଯ୍ୟକ୍ରମ ୮ ଦିନ ଧରି ଚାଲୁ ରହିବ ଓ ଉକ୍ତ ଶିବିରରେ ୧୭୮ ଜଣ ଛାତ୍ରୀ ଉପସ୍ଥିତ ରହି ପ୍ରଶିକ୍ଷଣ ଗ୍ରହଣ କରିବେ ବୋଲି ସଂଯୋଜକ ସୂଚନା ଦେଇଛନ୍ତି । କାର୍ଯ୍ୟକ୍ରମ ଶେଷରେ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଶିକ୍ଷିକା ଛାତ୍ରୀ ମାନଙ୍କୁ ବିଭିନ୍ନ ଆତ୍ମ ସୁରକ୍ଷା କୌଶଳ ମାନ ପ୍ରଦର୍ଶନ କରି ଦେଖାଇଥିଲେ ।