ଅପହଞ୍ଚ ଗପଦର ଗାଁ ରେ ପହଞ୍ଚି ଲୋକଙ୍କ ସୁବିଧା ପ୍ରତିଶ୍ରୁତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର (ଓଡ଼ିଶା ଟୁଡେ): ଦେଶ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ କିଛି ଅଞ୍ଚଳ ଆଜି ମଧ୍ୟ ବଞ୍ଚିତ ରହିଯାଇଛନ୍ତି । ସେ ମଧ୍ୟରୁ ଭଞ୍ଜନଗର ବ୍ଲକ ଅଧିନ ଦୋମୁହାଁଣି ଗ୍ରାମ ପଞ୍ଚାୟତର ଗପଦର ଗାଁ ଅନ୍ୟତମ । ବିଜୁଳି, ପାନୀୟ ଜଳ, ରାସ୍ତା, ଶିକ୍ଷା ଓ ସ୍ଵାସ୍ଥ୍ୟ ସେବା ସହ ସରକାରଙ୍କ ସବୁ ଯୋଜନା ଏଠି ସାତ ସପନ । ଭଞ୍ଜନଗର ଉପଖଣ୍ଡ ମୁଖ୍ୟାଳୟ ଠାରୁ ୪୦ କିମି ଦୂରରେ ଅବସ୍ଥିତ ଏହି ଗାଁ ରେ ୨୫ ଆଦିବାସୀ ପରିବାର ବାସ କରନ୍ତି। ସ୍ବାସ୍ଥ୍ୟ ସେବା ପାଇଁ ଲୋକଙ୍କୁ ଦୋଳା କରି ଜଙ୍ଗଲି ରାସ୍ତାରେ ଦୋମୁହାଁଣି ପର୍ଯ୍ୟନ୍ତ ଆଣନ୍ତି, ସେଠାରୁ କୌଣସି ମତେ ଗାଡ଼ି କରି ଗାଲେରି ସ୍ଵାସ୍ଥ୍ୟ କେନ୍ଦ୍ରକୁ ଆସନ୍ତି । ସେହିପରି ଶିକ୍ଷା ଓ ପାନୀୟ ଜଳ ସୁବିଧା ନ କହିଲେ ଭଲ । ପଥର କୂପ ନଚେତ୍ ଝରଣା ପାଣିକୁ ଲୋକେ ପାଣି ପାଇଁ ବ୍ୟବହାର କରନ୍ତି । ଗ୍ରାମକୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ସୋଲାର ଲାଇଟ୍ ହିଁ ଏକ ମାତ୍ର ଭରସା ସାଜିଛି ।

ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ସହ ଭଞ୍ଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ପାନୀୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀ ନିହାର ରଞ୍ଜନ ସ୍ୱାଇଁ, ସହକାରୀ ଯନ୍ତ୍ରୀ ନିତ୍ୟାନନ୍ଦ ପାତ୍ର, ଭଞ୍ଜନଗର ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ବିଜେପି ନେତା ଶିବଶଙ୍କର ମହାପାତ୍ର, ଶିବ ଶଙ୍କର ପ୍ରଧାନ, ଧୋବା ଗୌଡ଼, ରବୀନ୍ଦ୍ର ଗୌଡ଼, ରଜତ ଦାଶ, ମନୋଜ ପ୍ରଧାନ ପ୍ରମୁଖ ପାହାଡିଆ ରାସ୍ତା ଅତିକ୍ରମ କରି ୮ କିମି ଜଙ୍ଗଲ ପାହାଡ ରାସ୍ତା ଚାଲି ଚାଲି ଗପଦର ଗାଁ ରେ ପହଞ୍ଚି ଲୋକଙ୍କ ଅସୁବିଧା ପଚାରି ବୁଝି ଥିଲେ ଏବଂ ମୌଳିକ ସମସ୍ୟାର ସମାଧାନ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଲୋକଙ୍କୁ ଶୀତ ବସ୍ତ୍ର ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *