ସ୍କୁଲରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି: ଏବେ ୩ ବର୍ଷ ବୟସରୁ ପାଠପଢ଼ା

ଭୁବନେଶ୍ବର: ଓଡ଼ିଶାର ବିଦ୍ୟାଳୟ ସ୍ତରରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି(ଏନ୍‌ଇପି)-୨୦୨୦। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ଆଞ୍ଚଳିକ ବିଷୟବସ୍ତୁକୁ ବିଚାରକୁ ନେଇ ପାଠ୍ୟକ୍ରମ ପ୍ରସ୍ତୁତି କରାଯିବ ବୋଲି ବିଜ୍ଞପ୍ତିରେ ଦର୍ଶାଯାଇଛି। ତେବେ କେବେଠାରୁ ଏନ୍‌ଇପି କାର୍ଯ୍ୟକାରୀ ହେବ ସେନେଇ ବିଜ୍ଞପ୍ତିରେ କିଛି ବି ସ୍ପଷ୍ଟ କରାଯାଇ ନାହିଁ। ଯେତେବେଳେ କି ଆଉ ଦୁଇ ମାସ ପରେ ନୂତନ ଶିକ୍ଷାବର୍ଷ ଆରମ୍ଭ ହେବାକୁ ଯାଉଛି। ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଇତିମଧ୍ୟରେ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ କରିସାରିଲେଣି ।

ଏପ୍ରିଲ ପ୍ରଥମ ସପ୍ତାହରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ନାମଲେଖା ହେବ। ହାତରେ ଆଉ କମ୍‌ ସମୟ ଥିବାବେଳେ ଏପର୍ଯ୍ୟନ୍ତ ସିଲାବସ୍‌ ପ୍ରସ୍ତୁତ ହୋଇ ନ ଥିବାରୁ ଆସନ୍ତା ଶିକ୍ଷାବର୍ଷରେ ଏନ୍‌ଇପି ଲାଗୁ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।ଏନ୍‌ଇପି ଲାଗୁ ଦ୍ବାରା ସ୍କୁଲ ଶିକ୍ଷାର ବର୍ତ୍ତମାନର ୧୦+୨ ଢାଞ୍ଚାକୁ ପରିବର୍ତ୍ତନ କରାଯିବ। ବଦଳରେ ୫+୩+୩+୪ର ଶୈକ୍ଷଣିକ ଓ ପାଠ୍ୟକ୍ରମ ଢାଞ୍ଚା ଲାଗୁ ହେବ। ଅର୍ଥାତ୍‌ ୩ ବର୍ଷ ବୟସରୁ ପିଲାମାନେ ସ୍କୁଲ ଯିବେ। ୩ରୁ ୮ ବର୍ଷ ବୟସର ପିଲାଙ୍କ ପାଇଁ ଖେଳ ଭିତ୍ତିକ ଶିକ୍ଷାଦାନ ଉପରେ ଗୁରୁତ୍ୱ ଦିଆଯାଇଛି ।

ପ୍ରଥମ ୫ ବର୍ଷରେ ସେମାନେ ପ୍ରାରମ୍ଭିକ(ଫାଉଣ୍ଡେସନାଲ) ଶିକ୍ଷା ଗ୍ରହଣ କରିବେ। ଅଙ୍ଗନୱାଡି/ପ୍ରାକ୍‌ ବିଦ୍ୟାଳୟ/ବାଳବାଟିକା ସମେତ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ବିଦ୍ୟାର୍ଥୀଙ୍କୁ କଥୋପକଥନ, କାହାଣୀ, ସଙ୍ଗୀତ, କଳା, ହସ୍ତଶିଳ୍ପ, ଖେଳକୁଦ, ନେଚର୍ ଫିଲ୍ଡ ଟ୍ରିପ୍, ପାଠପଢ଼ା ସାମଗ୍ରୀ ଓ ଖେଳନା ଭଳି ବିଭିନ୍ନ କାର୍ଯ୍ୟକଳାପରେ ସାମିଲ କରା‌ଯିବ। ପରବର୍ତ୍ତୀ ୩ ବର୍ଷ ଅର୍ଥାତ୍‌ ତୃତୀୟରୁ ପଞ୍ଚମ ଶ୍ରେଣୀରେ ପ୍ରସ୍ତୁତିମୂଳକ(ପ୍ରିପାରେଟୋରି) ଶିକ୍ଷା, ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମଧ୍ୟମ(ମିଡିଲ୍‌) ଏବଂ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ମାଧ୍ୟମିକ(ସେକେଣ୍ଡାରି)ଶ୍ରେଣୀରେ ଶିକ୍ଷା ଗ୍ରହଣ କରିବେ। ପାଠ୍ୟକ୍ରମରେ ଅଭିନବ ପ୍ରଯୁକ୍ତିବିଦ୍ୟା, ଗେମ୍ ଆଧାରିତ ଶିକ୍ଷା, ଶିକ୍ଷାଦାନର ନୂଆଶୈଳୀର ମଡେଲ୍‌ ଆପଣାଯିବ। ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷରେ ଛାତ୍ରଛାତ୍ରୀ ଦ୍ବାଦଶ ଶ୍ରେଣୀ ପାସ୍ କରିବେ। ବିଦ୍ୟାଳୟ ସ୍ତରରୁ ଛାତ୍ରଛାତ୍ରୀଙ୍କୁ ଧନ୍ଦାମୂଳକ ଶିକ୍ଷା ଉପରେ ଗୁରୁତ୍ବ ଦିଆଯିବ l

ଏନ୍‌ଇପି ଅନୁଯାୟୀ ୫ବର୍ଷ ବୟସ ପୂର୍ବରୁ ‌ପ୍ରତ୍ୟେକ ପିଲା ଏକ ‘ପ୍ରସ୍ତୁତି ଶ୍ରେଣୀ’ କିମ୍ବା ‘ବାଳବାଟିକା’ ଯିବେ, ଯେଉଁଠି ଜଣେ ଇସିସିଇ ଯୋଗ୍ୟ ଶିକ୍ଷକ ସେମାନଙ୍କୁ ପଢ଼ାଇବେ। ପ୍ରସ୍ତୁତି ଶ୍ରେଣୀର ଶିକ୍ଷା କ୍ରୀଡ଼ା ଆଧାରିତ ହେବ, ଯାହାକି ଜ୍ଞାନଗତ ଓ କ୍ରିୟାତ୍ମକ ଦକ୍ଷତାର ବିକାଶ, ପ୍ରାଥମିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଉପରେ ବିଶେଷ ଧ୍ୟାନ ରଖିବ। ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମକୁ ପ୍ରସ୍ତୁତି ଶ୍ରେଣୀକୁ ସମ୍ପ୍ରସାରିତ କରାଯିବ। ଅଙ୍ଗନବାଡ଼ି ବ୍ୟବସ୍ଥାରେ ଥିବା ସ୍ବାସ୍ଥ୍ୟ ଯାଞ୍ଚ ଓ ଅଭିବୃଦ୍ଧି ତଦାରଖ କାର୍ଯ୍ୟକ୍ରମ ପ୍ରାଥମିକ ବିଦ୍ୟାଳୟର ବିଦ୍ୟାର୍ଥୀ ତଥା ଅଙ୍ଗନବାଡ଼ି ପ୍ରସ୍ତୁତି ଶ୍ରେଣୀ ପିଲାଙ୍କ ପାଇଁ ମଧ୍ୟ ଉପଲବ୍ଧ ହେବ ।

Leave a Reply

Your email address will not be published. Required fields are marked *