ରାସନକାର୍ଡ ଇ-କେୱାଇସି: ପିଓଏସ୍ ମେସିନ୍‌ରେ ସଫଳ, ୱେବ୍‌ସାଇଟ୍‌ରେ ବିଫଳ!

ଭୁବନେଶ୍ବର: ବହୁ ଅଯୋଗ୍ୟ ରାସନ୍‌କାର୍ଡ ହାତେଇଥିବା, ଜାଲ୍ ରାସନ୍‌କାର୍ଡ ହିତାଧିକାରୀ ଓ ମୃତକଙ୍କ ନାଁରେ ଏବେବି ରାସନ୍ ଉଠାଯାଉଥିବା ସନ୍ଦେହରେ ନୂଆ ସରକାର ଗତବର୍ଷ ଅଗଷ୍ଟ ୨୨ ତାରିଖ ଠାରୁ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏହି ପ୍ରକ୍ରିୟା ଆଉ ଦିନକ ପରେ ଅର୍ଥାତ ୨୦୨୫ ଜାନୁଆରି ୩୧ରେ ଶେଷ ହେବ ବୋଁଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କିଛି ଦିନ ପୂର୍ବରୁ କହିଥିଲେ। ମନ୍ତ୍ରୀଙ୍କ ଏହି ପ୍ରତିକ୍ରିୟା ଆସିବା ପରେ ବିଭିନ୍ନ କାରଣରୁ ଏପର୍ଯ୍ୟନ୍ତ ଇ-କେୱାଇସି କରିପାରିନଥିବା ଅଥବା ସରକାରଙ୍କ ଯାନ୍ତ୍ରିକ ତ୍ରୁଟି ପାଇଁ ଏହା ସଫଳ ହୋଇ ପାରି ନଥିବା ଯୋଗ୍ୟ ହିତାଧିକାରୀଙ୍କର ଚିନ୍ତା ବଢ଼ିଯାଇଛି। ସରକାର ପୂର୍ବରୁ ସୂଚନା ଦେଇଛନ୍ତି ଇ-କେୱାଇସି ପ୍ରକ୍ରିୟା ସରିବା ପରେ ନୂଆ ରାସନ୍‌କାର୍ଡ ବାଣ୍ଟିବେ। ଅଯୋଗ୍ୟ ହିତାଧିକାରୀ ବାଦ୍ ପଡ଼ିବେ ଏବଂ ଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇଯିବ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ସୂଚନା ଅନୁସାରେ ରାଜ୍ୟରେ ଏପର୍ଯ୍ୟନ୍ତ ୪୧ ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ତେବେ ଏହି ହିତାଧିକାରୀମାନଙ୍କୁ ମଧ୍ୟରୁ ଅଧିକାଂଶ ନିଜ ସ୍ଥାନରେ ନଥିବା ଜଣାଯାଇଛି। ଅର୍ଥାତ ଘର ଠାରୁ ଅନ୍ୟତ୍ର ରହୁଛନ୍ତି। ଲକ୍ଷଲକ୍ଷ ହିତାଧିକାରୀ ଭିଟାମାଟି ଠାରୁ ବହୁ ଦୂରରେ ରହୁଛନ୍ତି। ପେଟ ପାଳିବା ପାଇଁ ବାହାର ରାଜ୍ୟରେ ଦାଦାନ ଖଟୁଛନ୍ତି ଅଥବା କୌଣସି ଘରୋଇ କଂପାନିରେ କାର୍ଯ୍ୟରତ ଅଛନ୍ତି। ଏଭଳି ହିତାଧିକାରୀମାନେ ଏବେ ଇ-କେୱାଇସି କରିବା ପାଇଁ ହନ୍ତସନ୍ତ ହେଉଛନ୍ତି। କାରଣ ହାତରେ କମ ସମୟ ଥିବାରୁ କେମିତି ଏହି କାମ ସଫଳତାର ସହିତ ପୂରା କରିବେ ସେଥିପାଇଁ ଚିନ୍ତିତ ଅଛନ୍ତି। ରାସନକାର୍ଡ ତାଲିକାରୁ ନାମ କଟିଯିବା ଭଳି ମଧ୍ୟ ଭୟ ରହୁଛି, ଯେଉଁଥି ପାଇଁ ହୃଦ୍‌ସ୍ପନ୍ଦନ ବଢ଼ିବା ସ୍ବାଭାବିକ। ଅଭିଯୋଗ ହେଉଛି ଯେ, ଇ-କେୱାଇସିରେ ବ୍ୟାପକ ଅବ୍ୟବସ୍ଥା ଓ ତ୍ରୁଟି ଦେଖାଯାଉଛି। ଏହି କାମ ଯେପରିକି ସହଜରେ ହୋଇପାରିବ, ସେଥି ପାଇଁ ରାଜ୍ୟ ସରକାର ସୁବ୍ୟବସ୍ଥା କରିପାରି ନାହାଁନ୍ତି। କୋରାପୁଟ, ମାଲକାନଗିରି, ମୟୂରଭଂଜ, ସୁନ୍ଦରଗଡ଼ ଜିଲ୍ଲାର ଉପାନ୍ତ ଅଞ୍ଚଳର ଲୋକଟି ଭୁବନେଶ୍ବର, କଟକ କିମ୍ବା ଅନ୍ୟ କେଉଁ ସହରରେ ଜୀବିକା ପାଇଁ ରହୁଥିଲେ ସେ କେମିତି ଇ-କେୱାଇସି କରିବ? ଏଥି ପ୍ରତି ସରକାର ଚିନ୍ତିତ ନାହାନ୍ତି। ସେହିପରି ତାମିଲନାଡୁ, ଗୁଜରାଟ, ଦିଲ୍ଲୀରେ ରହୁଥିବା ଗରିବ ଓଡ଼ିଆ କିପରି ଇ-କେୱାଇସି କରିପାରିବେ ତା’ର କିଛି ସହଜ ମାଧ୍ୟମ ନାହିଁ ।

ରାଜ୍ୟ ସରକାର ପୂର୍ବରୁ କହିଛନ୍ତି, ଜଣେ ହିତାଧିକାରୀ ଯେକୌଣସି ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରକୁ ଯାଇ ଇ-କେୱାଇସି କରିପାରିବେ। କିନ୍ତୁ ସରକାର କହୁଥିବା କଥା ଓ ତୃଣମୂଳସ୍ତରରେ ହେଉଥିବା କାମ ମଧ୍ୟରେ ଆକାଶ-ପାତାଳ ପାର୍ଥକ୍ୟ। ଇ-କେୱାଇସି ପାଇଁ ସହରାଞ୍ଚଳରେ ହିତାଧିକାରୀଙ୍କୁ ବହୁ ହଟହଟ୍ଟା ହେବାକୁ ପଡୁଛି। ଏଠାରେ ଥିବା ଅନେକ ଯୋଗାଣ ସହାୟକମାନେ ହିତାଧିକାରୀମାନଙ୍କ ସହିତ ଯୁକ୍ତି କରୁଛନ୍ତି। କିଛି ଯୋଗାଣ ସହାୟକମାନେ କହୁଛନ୍ତି, କାର୍ଡ ଯେଉଁଠି ଅଛି ସେଇଠି ଇ-କେୱାଇସି କରନ୍ତୁ। ଆଉ କିଛି ସ୍ଥାନରୁ ହିତାଧିକାରୀମାନେ ଏକାଧିକ ଥର ଫେରିବାକୁ ପଡୁଛି। ସବୁଠାରୁ କ୍ଷୋଭର ବିଷୟ ହେଲା ଅନେକ ହିତାଧିକାରୀଙ୍କ କହିବା ଅନୁସାରେ Electronic Point of Sale (E-POS) machinesରେ ଇ-କେୱାଇସି ସଫଳ ହୋଇଥିଲେ ମଧ୍ୟ ଯୋଗାଣ ବିଭାଗର ୱେବ୍‌ସାଇଟ୍‌ରେ ଏହା ଅସଫଳ ଦେଖାଯାଉଛି। ଯୋଗାଣ ବିଭାଗ ପୁଣି ଥରେ ଇ-କେୱାଇସି କରିବାକୁ ତାଲିକା ପଠାଉଛି। ଏଭଳି ସ୍ଥିତିରେ ହିତାଧିକାରୀମାନେ ବାରମ୍ବାର ଇ-କେୱାଇସି କରିବାକୁ ଯାଇ ଖର୍ଚ୍ଚାନ୍ତ ଓ ହଇରାଣ ହେଉଛନ୍ତି। ବେଙ୍ଗାଲୁରୁରେ ଅଧ୍ୟୟନ କରୁଥିବା ଜଣେ ଓଡ଼ିଆ ଛାତ୍ର କହିଛନ୍ତି, ଇ-କେୱାଇସି ପାଇଁ ତାଙ୍କୁ ୬୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି। ଓଡ଼ିଶାର କିଛି ଲୋକ ପିଓଏସ୍ ମେସିନ ସହିତ ଯାଇ ବେଙ୍ଗାଲୁରୁରେ ଇ-କେୱାଇସି କରୁଛନ୍ତି। ଏଥି ପାଇଁ ଓଡ଼ିଆ ଲୋକଙ୍କଠାରୁ ଏଭଳି ଟଙ୍କା ମଧ୍ୟ ଦାବି କରୁଛନ୍ତି ।

Leave a Reply

Your email address will not be published. Required fields are marked *