
କଟକ: ରାଜ୍ୟ ସରକାର ଯାନବାହନ ଫିଟ୍ନେସ୍ ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବା ଲକ୍ଷ୍ୟ ରଖିଛନ୍ତି। ଏଥି ପାଇଁ ପରିବହନ ବିଭାଗ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଅନୁସାରେ ରାଜ୍ୟରେ ଯାନବାହନଗୁଡ଼ିକର ଫିଟନେସ ପରୀକ୍ଷା କରାଯିବ। ଏଥି ପାଇଁ ଏଟିଏସ୍ ବ୍ୟବସ୍ଥା କରାଯାଉଛି। ପ୍ରାରମ୍ଭିକ ଭାବେ ଏହା କଟକରୁ ଆରମ୍ଭ ହୋଇଯାଇଛି ।
ରାସ୍ତାରେ ଗଡୁଥିବା ଗାଡ଼ିଥିବା ଫିଟନେସ୍ ଠିକ ରହିବା ଆବଶ୍ୟକ। ଗାଡିର ଫିଟନେସ ଠିକ୍ ଥିଲେ ଦୁର୍ଘଟଣା ହ୍ରାସ ପାଇବ। ଲୋକଙ୍କର ଧନଜୀବନ ସୁରକ୍ଷିତ ରହିବ। କିନ୍ତୁ ଅବହେଳା କାରଣରୁ ଅନେକ ଲୋକ ସେମାନଙ୍କର ଗାଡ଼ିକୁ ଫିଟ୍ନେସ ରଖୁ ନାହାନ୍ତି। ବହୁତ ଗାଡ଼ି ଚାଳକ ଅଛନ୍ତି ଯେଉଁମାନେ ବିନା ଫିଟନେସ୍ ପ୍ରମାଣପତ୍ରରେ ଗାଡ଼ି ଚଲାଉଛନ୍ତି। କିଛି ଲୋକ ସରକାରୀ ନିୟମ ଅନୁସାରେ ଫିଟନେସ୍ ସାର୍ଟିଫିକେଟ ବାହାର କରୁନାହାନ୍ତି। ତେଣୁ ଏଭଳି ମନମାନି କରୁଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ। ଫିଟନେସ ପ୍ରମାଣପତ୍ର ନଥିବା ଗାଡ଼ି ରାସ୍ତାରେ ଚାଲି ପାରିବ ନାହି ।
ରାଜ୍ୟରେ ପ୍ରଥମ ଥର ପାଇଁ ସ୍ୱୟଂକ୍ରିୟ ଯାନ ପରୀକ୍ଷଣ ବ୍ୟବସ୍ଥା (ଏଟିଏସ୍) ପଞ୍ଜୀକୃତ ହୋଇଛି। କଟକସ୍ଥିତ ଅଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ) ଅଧୀନରେ ଏହାର ସ୍ଥାପନା ହୋଇଛି। ବୈଷୟିକ ଜ୍ଞାନକୌଶଳ ଜରିଆରେ ସ୍ୱୟଂକ୍ରିୟ ପଦ୍ଧତିରେ ଏହା ଗାଡ଼ିର ଫିଟନେସ ପରୀକ୍ଷା କରିବ। କେନ୍ଦ୍ରୀୟ ମୋଟର ଯାନ ନିୟମ ଅନୁଯାୟୀ ଗାଡ଼ିର ଫିଟନେସ ପରୀକ୍ଷା ପାଇଁ ଏଟିଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।
ଆଗକୁ ରାଜ୍ୟରେ ଆହୁରି ୨୧ଏଟିଏସ ସ୍ଥାପନା ହେବ। ଏହି ବ୍ୟବସ୍ଥା ସଡ଼କ ସୁରକ୍ଷା କ୍ଷେତ୍ରରେ ଯାନର ସ୍ଥିତି ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ରାସ୍ତାରେ ଗାଡ଼ି ଚାଲିବା ପାଇଁ ଗାଡ଼ିର ସ୍ଥିତି କିଭଳି ଥିବା ଦରକାର। ସେଥିପାଇଁ ମୋଟର ଯାନ ନିୟମାବଳୀ ରହିଛି। ତେବେ ପୂର୍ବରୁ ଫିଟନେସ ସାର୍ଟିଫିକେଟ ତଥା ଗାଡ଼ିର ପଞ୍ଜୀକରଣ ନବୀକରଣ ମନୁଷ୍ୟ ମୂଲ୍ୟାୟନ ଆଧାରରେ ହେଉଥିଲା। ଏହି ପରୀକ୍ଷଣ ବ୍ୟବସ୍ଥାକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବାକୁ ଫିଟନେସ ପରୀକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଫଳରେ ରାସ୍ତାକୁ ଯିବା ପାଇଁ ଯୋଗ୍ୟ ନ ଥିବା ଗାଡ଼ି ସ୍ୱୟଂକ୍ରିୟ ପଦ୍ଧତିରେ ବାଦ୍ ପଡ଼ିବେ, ଯାହା ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ସହାୟକ ହେବ ବୋଲି ଆଶା କରାଯାଉଛି ।