
ବୁର୍ଲା: କରୋନା ପରେ ଏବେ ବ୍ଲାକ୍ ଫଙ୍ଗସ୍ ଭୟ ପଶ୍ଚିମ ଓଡିଶାରେ ଚିନ୍ତା ବଢାଇଲାଣି । ବୁର୍ଲା ମେଡିକାଲରେ ଗତ କିଛି ଦିନ ମଧ୍ୟରେ ଏହି ବ୍ଲାକ୍ ଫଙ୍ଗସରେ ଆକ୍ରାନ୍ତ ହୋଇ ୭ ଜଣ ରୋଗୀ ଭର୍ତ୍ତି ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି । ତେବେ, ଏମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଔଷଧର ଅଭାବ ଏବେ ସମସ୍ୟା ପାଲଟିଛି ।
କିଛିଦିନ ତଳେ ଭିମସାରରେ ପ୍ରଥମ କରି ବରଗଡ ବରପାଲି ଅଞ୍ଚଳର ଜଣେ ରୋଗୀ ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ତାଙ୍କ ଚିକିତ୍ସା ଜାରି ରହିଛି । ସେପଟେ, ଇତିମଧ୍ୟରେ ଆଉ ୬ ଜଣ ଭର୍ତ୍ତି ହେବା ପରେ ମୋଟ୍ ରୋଗୀଙ୍କ ସଂଖ୍ୟା ୭ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି । ତେବେ, ପ୍ରଥମ ରୋଗୀଙ୍କ ପାଇଁ ଓଡିଶା ଔଷଧ ନିଗମରୁ ଅତି ଆବଶ୍ୟକ ଥିବା ଆମ୍ଫୋଟେରିସିନ୍-ବି ଇଞ୍ଜେକ୍ସନ୍ ସ୍ୱତନ୍ତ୍ର ଭାବେ ୩୦ଟି ଆସିଥିଲା । ହେଲେ ବାକି ରୋଗୀଙ୍କ ପାଇଁ ଏହି ଇଞ୍ଜେକ୍ସନ୍ର ଘୋର ଅଭାବ ରହିଛି ।
ଅନ୍ୟ ପଟେ ଏହି ଇଞ୍ଜେକ୍ସନ୍ ବଜାରରେ ମଧ୍ୟ ମିଳୁନଥିବାରୁ ଏହି ରୋଗୀମାନଙ୍କ ଚିକିତ୍ସା ବାଧାପ୍ରାପ୍ତ ହେଲାଣି । ଏପରିକି ଏନେଇ ଡାକ୍ତରମାନେ ଅବଗତ ଥିବା ସତ୍ତେ୍ୱ ରୋଗୀ ସଂପର୍କୀୟଙ୍କୁ ପ୍ରେସକ୍ରିପସନ୍ ଲେଖି ଏହା ଆଣିବାକୁ କହୁଛନ୍ତି । ହେଲେ ଏହାକୁ ବାହାରେ ସବୁ ଦୋକାନରେ ଖୋଜି ଖୋଜି ସଂପର୍କୀୟ ନିରାଶ ହୋଇ ଫେରୁଛନ୍ତି । ଆଉ ଏନେଇ ଡାକ୍ତରଙ୍କୁ ଜଣାଇଲେ ଆମେ କଣ କରିବୁ ବୋଲି ଉତ୍ତର ମିଳୁଛି ବୋଲି ସଂପର୍କୀୟ ଅଭିଯୋଗ କରିଛନ୍ତି । ମୋଟାମୋଟି ଭାବେ ଏହି ଜୀବନ ରକ୍ଷାକାରୀ ଇଞ୍ଜେକ୍ସନ୍ ମିଳୁନଥିବାରୁ ଡାକ୍ତରମାନେ ବି ହାତ ଟେକି ଦେଇଛନ୍ତି । ତେବେ ଗୋଟିଏ ପଟେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଅନ୍ୟପଟେ ଇଜେକ୍ସନ୍ କିଭଳି ଭାବରେ ବଜାରରେ ବା ମେଡିକାଲରେ ଉପଲବ୍ଧ ହୋଇ ପାରିବ ସେନେଇ ମେଡିକାଲ କର୍ତ୍ତୃପକ୍ଷ, ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ରୋଗୀ ସମ୍ପର୍କୀୟ ମାନେ ଆକୁଳ ନିବେଦନ କରିଛନ୍ତି । ତେବେ ଏନେଇ ଭିମସାର ଇଏନ୍ଟି ବିଭାଗିୟ ମୁଖ୍ୟ ଡା. ଶୋଭାଗିନୀ ଆଚାର୍ଯ୍ୟଙ୍କୁ ପଚାରିବାରୁ ବର୍ତ୍ତମାନ ୪ ଜଣ ସ୍ୱଷ୍ଟ ଚିହ୍ନଟ ହୋଇଥିବା ବେଳେ ଆଉ ୩ ଜଣଙ୍କୁ ସନ୍ଦେହରେ ରଖାଯାଇଥିବା କହିଛନ୍ତି ।