
ଚେନ୍ନାଇ: ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସଂଘଠିତ ଲଘୁଚାପ କ୍ଷେତ୍ର ତୀବ୍ରତର ହୋଇ ସାମୁଦ୍ରିକ ବାତ୍ୟାକୁ ରୂପାନ୍ତରିତ ହୋଇ ଡିସେମ୍ବର ୮ ତାରିଖ ସକାଳ ସୁଦ୍ଧା ଉତ୍ତର ତାମିଲନାଡୁ, ପୁଡ୍ଡୁଚେରୀ ଏବଂ ତତ୍ସଂଲଗ୍ନ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ନିକଟର ପହଞ୍ଚିବାର ସମ୍ଭାବନା ଅଛି ବୋଲି ଆଜି ଭାରତୀୟ ପାଣିପାଗ ସୂଚନା ଦେଇଛି।
ଦକ୍ଷିଣ ଆଣ୍ଡାମାନ ସାଗର ଓ ତତ୍ସଂଲଗ୍ନ ବିଷୁବରୈଖୀୟ ଭାରତ ମହାସାଗର-ମଲାକା ପ୍ରଣାଳୀ ଉପରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳ ୫.୩୦ରେ ଦକ୍ଷିଣ ଆଣ୍ଡାମାନ ସମୁଦ୍ର ଉପରେ ଲଘୁଚାପ ଅଞ୍ଚଳ ସୃଷ୍ଟି ହୋଇଛି।
ଉକ୍ତ ଲଘୁଚାପ ସହିତ ଥିବା ଘୂର୍ଣ୍ଣି ବଳୟ ଟ୍ରୋପୋସ୍ଫିୟରିକ୍ର ମଧ୍ୟସ୍ତର ପର୍ଯ୍ୟନ୍ତ ବିସ୍ତୃତ ହୋଇ ରହିଛି। ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହେବାର ସମ୍ଭାବନା ଅଛି।
ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲା, ପୁଡ୍ଡୁଚେରୀ, କରାଇକଲ୍ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଡିସେମ୍ବର ୭ ତାରିଖ ରାତିରୁ ବର୍ଷା ଆରମ୍ଭ ହୋଇ ୮ ତାରିଖ ପର୍ଯ୍ୟନ୍ତ ବର୍ଷିବାର ସମ୍ଭାବନା ରହିଛି। ସେହିପରି, ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ।