ସାଧାରଣ ଲୋକଙ୍କୁ ଝଟ୍‌କା:୩୫ ବେସିସ୍‌ ପଏଣ୍ଟ୍‌ ବଢ଼ାଇ ୬.୨୫%କୁ ରେପୋ ରେଟ୍‌ ବୃଦ୍ଧି କଲା ରିଜର୍ଭ ବ୍ୟାଙ୍କ୍‌; ବଢ଼ିପାରେ କାର୍‌ ଓ ବାସଗୃହ ‘ଇଏମ୍‌ଆଇ’

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ୩୫ ବେସିସ୍‌ ପ‌ଏଣ୍ଟ୍‌ ବଢ଼ାଇ ୬.୨୫% କରିଥିବା କଥା ଆଜି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଘୋଷଣା କରିଛନ୍ତି।

ରିଜର୍ଭ ବ୍ୟାଙ୍କ୍‌ର ଉପରୋକ୍ତ ସଦ୍ୟତମ ନିଷ୍ପତ୍ତି ଯୋଗୁଁ କାର୍‌, ବାସଗୃହ ଓ ଅନ୍ୟାନ୍ୟ ଋଣ ପରିଶୋଧ କିସ୍ତି (ଇଏମ୍‌ଆଇ) ବୃଦ୍ଧି ପାଇପାରେ ବୋଲି ଅର୍ଥନୀତିଜ୍ଞମାନେ କହୁଛନ୍ତି।

ବୈଶ୍ବିକ ଆର୍ଥିକ ପରିସ୍ଥିତି ଚିନ୍ତାଜନକ ହୋଇଥିବା ପରିସ୍ଥିତିରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଲାଗି ‘ରୋପୋ ରେଟ୍‌’ ବୃଦ୍ଧି କରିବା ପାଇଁ ‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ ନିଷ୍ପତ୍ତି ଗ୍ରହଣ କରିଥିଲା। ‘ମନିଟାରି ପଲିସି କମିଟି’ ବୈଠକରେ କରାଯାଇଥିବା ମୂଲ୍ୟାୟନ ଭିତ୍ତିରେ ଉପରୋକ୍ତ ନିଷ୍ପତ୍ତି ଗ୍ରହଣ କରାଯାଇଛି।

‘ଭାରତୀୟ ରିଜର୍ଭ ବ୍ୟାଙ୍କ୍‌’ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି, ମୁଦ୍ରାସ୍ଫୀତି ବୃଦ୍ଧି ପାଇ ଚାଲିଛି। ମୁଦ୍ରାସ୍ଫୀତିଜନିତ ସମ୍ଭାବ୍ୟ ବିପଦର ମୁକାବିଲା ପାଇଁ ସଂଗ୍ରାମ ମଧ୍ୟ ଚାଲିଛି। ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ପରେ ବୈଶ୍ବିକସ୍ତରରେ ମୁଦ୍ରାସ୍ଫୀତି ବ୍ୟାପକ ଆକାରରେ ବୃଦ୍ଧି ପାଇ ଚାଲିଛି। ଆର୍ଥିକ ବର୍ଷ ୨୩ ନିମନ୍ତେ ଖାଉଟି ମୁଦ୍ରାସ୍ଫୀତି ୬.୭% ଦର୍ଶାଯାଇଥିବା ବ‌େଳେ ଏହାର ବେଗ ମନ୍ଥର କରିବା ଲାଗି ଆମେ ତୀବ୍ର ଦୃଷ୍ଟି ରଖିଛୁ।

ସ୍ମରଣଯୋଗ୍ୟ, ସେପ୍ଟେମ୍ବର ମାସରେ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୯% କରିଥିଲା। ସେହିଭଳି, ନିୟମିତ ‘ମନିଟାରି ପଲିସି ରିଭ୍ୟୁ’ ବାହାରେ ମଧ୍ୟ ଗତ ଅଗଷ୍ଟ ମାସରେ ‘ରେପୋ ରେଟ୍‌’ ୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରି ୫.୪% କରିଥିଲା।

Leave a Reply

Your email address will not be published. Required fields are marked *