ଫିଫା ବିଶ୍ବକପ୍‌: ୫ ଥର ଚାମ୍ପିଅନ ବ୍ରାଜିଲ୍‌ ବିଦା, କ୍ରୋଏସିଆ ସେମିରେ

ଦୋହା : କ୍ରୋଏସିଆ ପ୍ରଥମ ଦଳ ଭାବେ ଫିଫା ବିଶ୍ବକପ୍‌ କାତାର ସଂସ୍କରଣର ସେମିଫାଇନାଲ୍‌ରେ ‌ପ୍ରବେଶ କରିଛି। ଶୁକ୍ରବାର ଏଜୁକେସନ ସିଟି ଷ୍ଟାଡିୟମ୍‌ରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ କ୍ବାର୍ଟରଫାଇନାଲ୍ ମ୍ୟାଚ୍‌ରେ ଏହି ଦଳ ୪-୨ (୧-୧) ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ୫ଥର ବିଜେତା ବ୍ରାଜିଲ୍‌କୁ ପରାସ୍ତ କରି ବିଦାୟ ରାସ୍ତା ଦେଖାଇଦେଇଛି। ଏହାଫଳରେ ବ୍ରାଜିଲ ବିପକ୍ଷରେ କ୍ରୋଏସିଆ ପରାଜୟ ଧାରା ଭାଙ୍ଗିଛି। ଅନ୍ୟପକ୍ଷରେ ନେମାର ବ୍ରାଜିଲ୍‌ ପାଇଁ ସର୍ବାଧିକ ଗୋଲ୍‌ ସ୍କୋରର (୭୭) ଭାବେ ପେଲେଙ୍କ ସମକକ୍ଷ ହୋଇଛନ୍ତି। ଏପରିକି ବିଶ୍ବକପ୍‌ରେ ତାଙ୍କର ଗୋଲ୍‌ ସଂଖ୍ୟା ୮ରେ ପହଞ୍ଚିଛି।

ଦକ୍ଷିଣ କୋରିଆ ବିପକ୍ଷରେ ଜିତିଥିବା ଦଳକୁ ଅପରିବର୍ତ୍ତିତ ରଖି ବ୍ରାଜିଲ୍‌ ଖେଳିଥିଲା ବେଳେ କ୍ରୋଏସିଆ ଦୁଇଟି ପରିବର୍ତ୍ତନ କରିଥିଲା। ଜାପାନ୍‌ ବିପକ୍ଷ ମ୍ୟାଚ୍‌ରେ ଅସୁସ୍ଥତା ଯୋଗୁଁ ଖେଳିନଥିବା ବର୍ଣ୍ଣା ସୋସା ଏବଂ ମ‌ାରିଓ ପାସାଲିକ୍‌ ଦଳକୁ ଫେରିଥି‌ଲେ। ମାତେଓ କୋଭାସିକ୍‌ଙ୍କୁ ତୃତୀୟ ମିନିଟ୍‌ରୁ ଫ୍ରି କିକ୍‌ ମିଳିବାରୁ ‌ଏହିଠାରୁ ରୋମାଞ୍ଚ ଆରମ୍ଭ ହୋଇଥିଲା। ଯଦିଓ ପ୍ରଥମାର୍ଦ୍ଧ ସୁଦ୍ଧା କୌଣସି ଗୋଲ୍‌ ହୋଇନଥିଲା, କିନ୍ତୁ ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ଜିତିବାକୁ ପ୍ରବଳ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଥିଲା। ଦ୍ବିତୀୟାର୍ଦ୍ଧରେ ମଧ୍ୟ ମ୍ୟାଚ୍‌ର ଉଷ୍ମତା ସ୍ପଷ୍ଟ ଦେଖାଯାଉଥିଲା। ତଥାପି କ୍ରୋଏସିଆ ଦୁଇଥର ପେନାଲ୍‌ଟି ପାଇଁ ଆବେଦନ କରିଥିଲେ ହେଁ ଭାର୍‌ରେ ତାହା ଖାରଜ ହେଇଯାଇଥିଲା। ୮୦ ମିନିଟ୍‌ ପରଠୁ ବ୍ରାଜିଲ୍‌ ଏକାଧିକ ଗୋଲ୍‌ ସୁଯୋଗ ତିଆରି କରିଥିଲା। କିନ୍ତୁ ପୂର୍ବ ମ୍ୟାଚ୍‌ର ହିରୋ ଡୋମିନିକ୍‌ ଲିଭାକୋଭିକ୍‌ ପୁଣି ଥରେ ସବୁ ଆକ୍ରମଣକୁ ପଣ୍ଡ କରିଥିଲେ।

ନିର୍ଧାରିତ ସମୟରେ ଫଳାଫଳ ନଆସିବାରୁ ଅତିରିକ୍ତ ସମୟକୁ ମ୍ୟାଚ୍‌ ଚାଲିଯାଇଥିଲା। ୧୦୫ତମ ମିନିଟ୍‌ରେ ଡାନିଲୋ ଗୋଲ୍‌ ମିସ୍‌ କରିବାର ଗୋଟିଏ ମିନିଟ୍‌ ପରେ ନେମାର ଗୋଲ୍‌ ଦେବା ସହ ବ୍ରାଜିଲ୍‌ର ସର୍ବାଧିକ ଗୋଲ୍‌ ସ୍କୋରର ‌ହୋଇପାରିଥିଲେ। ଲୁକାସ ପାକ୍ବେଟାଙ୍କ ସହିତ ବଲ୍‌ ଦିଆନିଆ କରି ପୋଷ୍ଟ ନିକଟତର ହେବା ସହ ଲିଭାକୋଭିକ୍‌ଙ୍କୁ ପରାସ୍ତ କରି ସୁବିଧାରେ ଗୋଲ୍‌ ଦେଇଥିଲେ। କିନ୍ତୁ ୧୧୭ ମିନିଟ୍‌ରେ କ୍ରୋଏସିଆ ମ୍ୟାଚ୍‌ ବରାବର କରିବାରେ ସଫଳ ହୋଇଥିଲା। ମିସ୍‌ଲାଭ୍‌ ଓରସିକ୍‌ଙ୍କ ଡାହାଣପଟୁ ମିଳିଥିବା ପାସ୍‌କୁ ବ୍ରୁନୋ ପେଟ୍‌କୋଭିକ୍‌ ପୋଷ୍ଟ କର୍ଣ୍ଣରକୁ ମାରି ଗୋଲ୍‌ ଦେଇଥିଲେ। ଅତିରିକ୍ତ ସମୟରେ ମଧ୍ୟ ମ୍ୟାଚ୍‌ ବରାବର (୧-୧) ରହିବାରୁ ପେନାଲ୍‌ଟି ସୁଟ୍‌ଆଉଟ୍‌ରେ ଫଳାଫଳ ନିର୍ଦ୍ଧାରଣ ହୋଇଥିଲା।

Leave a Reply

Your email address will not be published. Required fields are marked *