ଚଳିତ ବର୍ଷ ଶହେ ହାଇସ୍କୁଲରେ ଖୋଲିଛି +୨ କଳା

ନୂଆଦିଲ୍ଲୀ : ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ୧୦୦ଟି ମାଧ୍ୟମିକ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରାଯାଇଛି ଓ ଏଠାରେ ଯୁକ୍ତ ଦୁଇ କଳା ପାଠ୍ୟକ୍ରମ ଖୋଲାଯାଇଛି। ଏହା ସହିତ ଜିଲ୍ଲା ପରିଷଦ ଅଧୀନରେ ଥିବା ଅନ୍ୟ ୧୧୭ଟି ହାଇସ୍କୁଲକୁ ଉନ୍ନୀତ କରିବା ପାଇଁ ସମ୍ବନ୍ଧିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଫେରାଇ ଦିଆଯାଇଛି। ସେଗୁଡ଼ିକୁ ଅପଗ୍ରେଡ୍‌ କରିବା ପ୍ରସ୍ତାବ ଉପରେ ବିଚାର କରିବ‌ା ପାଇଁ କୁହାଯାଇଛି। ଓଡ଼ିଶା ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ‌ଦିଲ୍ଲୀର ନାଗରିକ ଅଧିକାର ସଂଗଠନ ‘ସୋସିଆଲ ଜୁରିଷ୍ଟ’ ଉପଦେଷ୍ଟା ଅଶୋକ କୁମାର ଅଗ୍ରୱାଲଙ୍କୁ ଏହା ଅବଗତ କରିଛନ୍ତି। ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ବିଦ୍ୟାଳୟମାନଙ୍କରେ ଭିତ୍ତିଭୂମି ଅଭାବ ଓ ପର୍ଯ୍ୟାପ୍ତ ମାତ୍ରାରେ ଦ୍ବାଦଶ ଶ୍ରେଣୀ ବିଦ୍ୟାଳୟ ନଥିବା ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ଭିଡିଓ କନଫରେନ୍‌ସିଂ ଜରିଆରେ ଶ୍ରୀ ଅଗ୍ରୱାଲଙ୍କ ସହିତ ବିଚାରବିମର୍ଶ କରିଥିଲେ।ଓଡ଼ିଶାର ସରକାରୀ ସ୍କୁଲଗୁଡିକରେ କୋଠା, ଶୌଚାଳୟ, ପାନୀୟ ଜଳ ଯୋଗାଣ, ମୌଳିକ ସୁବିଧାର ଘୋର ଅଭାବ ସଂପର୍କରେ ସୋସିଆଲ ଜୁରିଷ୍ଟ ପକ୍ଷରୁ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଏହି ପ୍ରସଙ୍ଗରେ ସଚିବ କହିଛନ୍ତି, ବିଦ୍ୟାଳୟରେ ଭିତ୍ତିଭୂମି ସମସ୍ୟା ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ଜୁରିଷ୍ଟ ପକ୍ଷରୁ ବଲାଙ୍ଗୀର ଓ ପୁରୀ ଜିଲ୍ଲାର ୧୧ଟି ସ୍କୁଲର ଅବ୍ୟବସ୍ଥାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *