
ଭଞ୍ଜନଗର ୦୩/୦୫/୨୦୨୩ (ବବି ରଥ): ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ମା’ ବ୍ୟାଘ୍ରଦେବୀଙ୍କର ଆଜ୍ଞା ମିଳିଛି। ଆଜି ଭଞ୍ଜନଗର ଠାକୁରାଣୀ ଯାତ୍ରାର ପ୍ରଥମ ଦିନ। ମା’ ବ୍ୟାଘ୍ରଦେବୀଙ୍କ ଆଜ୍ଞା ମିଳିବା ପରେ ଯଥାରୀତୀ ପୂଜା ବିଦ୍ଧି କରାଯାଇ ମା’ଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥିବା ଶଗଡରେ ମା ବ୍ୟାଘ୍ରଦେବୀ ଭଞ୍ଜନଗର ସହରରେ ପଦାର୍ପଣ କରିଛନ୍ତି। ମା’ଙ୍କୁ ସ୍ବାଗତ କରିବା ପାଇଁ ଭଞ୍ଜନଗର ବାଗଦେବୀ ରୋଡ୍ ଠାରେ ଜନସମୁଦ୍ର ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ମାନେ ଦିନ ତମାମ ମା’ଙ୍କ ଆସିବା ବାଟକୁ ଚାତକ ପରି ଚାହିଁ ରହିଥିଲେ। ଶଗଡରେ ମା’ ଆସିବା ପରେ ଦର୍ଶନ କରି ଭକ୍ତମାନେ କୃତ କୃତ ହୋଇ ଉଠିଥିଲେ। ମା’ କିଛି ସମୟ ବାଟ ବାଗଦେବୀ ପୀଠରେ ଅବସ୍ଥାନ କରିବା ପରେ ରାତ୍ର ସମୟରେ ବହୁ ପଟୁଆର, ବାଜା ଆତସବାଜି ସହିତ ଭଞ୍ଜନଗର ମେନ୍ ରୋଡରେ ଥିବା ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ପ୍ରବେଶ କରିବେ। ଓଡିଶା ବିଧାନସଭା ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଉପସ୍ଥିତିରେ ନିଜେ ଉପଜିଲ୍ଲାପାଳ ମା’ଙ୍କୁ ନେଇ ଅସ୍ଥାୟୀ ମଣ୍ଡପରେ ବିରାଜମାନ କରାଇବେ।