
ଥିରୁଭାନନ୍ତପୁରମ୍, (ଏଜେନ୍ସି): କେରଳ ବିଧାନସଭାରେ ରାଜ୍ୟର ନାଁ ବଦଳାଇବା ନିମନ୍ତେ ଏକ ପ୍ରସ୍ତାବ ବୁଧବାର ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ଏହାର ନାଁ କେରଳରୁ ‘କେରଳମ୍’ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କୁ ନିବେଦନ କରାଯାଇଛି । ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ଏହି ପ୍ରସ୍ତାବ ଆଗତ କରିଥିଲେ । ଭାରତର ସମ୍ବିଧାନର ୮ମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ରାଜ୍ୟର ନାଁ ବଦଳାଯାଇ ‘କେରଳମ୍’ କରିବା ନିମନ୍ତେ ଏହି ପ୍ରସ୍ତାବରେ ନିବେଦନ କରାଯାଇଛି । ରାଜ୍ୟରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ୟୁଡିଏଫ୍ ମଧ୍ୟ ଏଥିରେ କୌଣସି ସଂଶୋଧନର ପ୍ରସ୍ତାବ ନ ଦେଇ ଏହାକୁ ସମର୍ଥନ କରିଛି ।
ବିଜୟନ୍ କହିଛନ୍ତି, ମାଲାୟଲମରେ କେରଳକୁ କେରଳମ୍ କୁହାଯାଉଛି । କିନ୍ତୁ ଅନ୍ୟ ଭାଷାଗୁଡ଼ିକରେ ଏ ଯାଏ ବି ତାହା କେରଳ ରହିଛି । ସ୍ୱାଧୀନତା ସଂଗ୍ରାମ ବେଳରୁ ମାଲାୟଲମ ସମୁଦାୟର ଲୋକଙ୍କ ପାଇଁ ଏକଜୁଟ କେରଳର ଦାବି ଜୋର ଧରିଥିଲା । କିନ୍ତୁ ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି । ତେଣୁ ଏଥିରେ ସଂଶୋଧନ ଅଣାଯାଇ କେରଳର ନାଁ କେରଳମ୍ ରଖିବା ନିମନ୍ତେ କେନ୍ଦ୍ର ସରକାର ତ୍ୱରିତ ଭିତ୍ତିରେ ପଦକ୍ଷେପ ନିଅନ୍ତୁ ବୋଲି ଏହି ପ୍ରସ୍ତାବ ମାଧ୍ୟମରେ ଅନୁରୋଧ କରାଯାଇଛି ।