ଜୀ-ସୋନୀ ମିଶ୍ରଣକୁ ମିଳିଲା ଏନସିଏଲଟିର ଅନୁମତି, ୧୦ ପ୍ରତିଶତ ବଢ଼ିଲା ଶେୟାର ମୂଲ୍ୟ

ନୂଆଦିଲ୍ଲୀ, (ଏଜେନ୍ସି): ମନୋରଞ୍ଜନ ଜଗତର ଦୁଇ ବଡ଼ କମ୍ପାନିଙ୍କ ମିଶ୍ରଣକୁ ମିଳିଲା ଅନୁମତି। ଗୁରୁବାର ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ (ଏନସିଏଲଟି)ର ମୁମ୍ବାଇ ପୀଠ ZEE-SONY ମିଶ୍ରଣକୁ ଅନୁମତି ଦେଇଛନ୍ତି। ଏହା ସହ ଜୀ-ସୋନୀ ବିଲୟକୁ ନେଇ ଥିବା ସବୁ ଆପତ୍ତିକୁ ମଧ୍ୟ ଖାରଜ କରିଛନ୍ତି। ନ୍ୟାୟିକ ସଦସ୍ୟ ଏଚବି ସୁବ୍ବା ରାଓ ଏବଂ ପ୍ରଯୁକ୍ତି ସଦସ୍ୟ ମଧୁ ସିହ୍ନାଙ୍କ ଖଣ୍ଡପୀଠ ବିଲୟ ମାମଲାରେ ନିଜ ଆଦେଶ ସୁରକ୍ଷିତ ରଖିଛନ୍ତି।

ସେପଟେ ଏହି ଖବର ପରେ ଜୀ ଏଣ୍ଟରଟେନମେଣ୍ଟର ଶେୟାରରେ ମଧ୍ୟ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ସୂଚନାଥାଉକି, ବିଭିନ୍ନ ପରିଚାଳନା ଏବଂ ଆର୍ଥିକ ଋଣଦାତାମାନେ ଏନସିଏଲଟିରେ ଜି-ସୋନୀ ବିଲୟ ଯୋଜନା ଉପରେ ଆପତ୍ତି ଉଠାଇଥିଲେ। କାରଣ କମ୍ପାନି ଆଇଡିବିଆଇ ବ୍ୟାଙ୍କ୍‌, ଇଣ୍ଡସଇଣ୍ଡ ବ୍ୟାଙ୍କ୍‌ ଏବଂ ଆଇପିଆରଏସ ସହ ବୁଝାମଣା କରିଛି।

କ୍ଷତିରେ ରହିଛି କମ୍ପାନି:

ପ୍ରମୁଖ ଗଣମାଧ୍ୟମ କମ୍ପାନି ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡକୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବାର୍ଷିକ ଆଧାରରେ ୫୩.୪୨ କୋଟିର କ୍ଷତି ହୋଇଛି। ଏହାର କାରଣ କଲ୍ଭର ମ୍ୟାକ୍ସ ସହ ବିଲୟ ବୋଲି କୁହାଯାଇଛି। ତ୍ରୈମାସିକ ସମୟ​‌ରେ କଲ୍ଭର ମ୍ୟାକ୍ସ ସହ ବିଲୟ ଯୋଗୁଁ କମ୍ପାନିକୁ ୭୦.୬୪ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହୋଇଛି।

ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜ ଲିମିଟେଡ କହିଛି ଯେ, କମ୍ପାନି ଗତ ବର୍ଷ ସମାନ ତ୍ରୈମାସିକରେ ୧୦୬.୬୦ କୋଟି ଟଙ୍କାର ଲାଭ କରିଥିଲା। ଅବଶ୍ୟ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ସମୁଦାୟ ଆୟ ୬.୪୬ ପ୍ରତିଶତ ବଢ଼ି ୧୯୯୮.୨୬ ଟଙ୍କା ହୋଇଛି। ଯାହ ଗତ ବର୍ଷ ଏହି ତ୍ରୈମାସିକରେ ୧,୮୭୬ କୋଟି ଟଙ୍କା ଥିଲା। ଜୁନ୍‌ ତ୍ରୈମାସିକରେ ସମୁଦାୟ ଖର୍ଚ୍ଚ ୧୬.୫ ପ୍ରତିଶତ ବଢ଼ି ୧,୯୨୬.୯୭ କୋଟି ଟଙ୍କା ରହିଛି।

Leave a Reply

Your email address will not be published. Required fields are marked *