
ଭଞ୍ଜନଗର/ ସୋରଡା/ ଆସିକା/ ଭୁବନେଶ୍ବର (ଓଡିଶା ଟୁଡେ ବ୍ୟୁରୋ) ୨୬/୦୮/୨୦୨୩: ଦୀର୍ଘ ୩ ଦଶନ୍ଧି ଧରି ହୋଇ ଆସୁଥିବା ‘ଘୁମୁସର ଜିଲ୍ଲା’ ଘୋଷଣା ଦାବି ଦିନକୁ ଦିନ ତୀବ୍ରତର ହେବାରେ ଲାଗିଛି । ଆଜି ୫-ଟି ସଚିବ ଭି କେ ପାଣ୍ଡିଆନଙ୍କ ଗଞ୍ଜାମ ଗସ୍ତର ଦ୍ବିତୀୟ ଦିନରେ ଭଞ୍ଜନଗର, ସୋରଡା ଓ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଗସ୍ତରେ ଆସିଥିଲେ । ୫-ଟି ଅଧିନରେ ବିଭିନ୍ନ ଅନୁଦାନ ଘୋଷଣା କରିବା ସହ ଜନସାଧାରଣଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହି ଅବସରରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ୫-ଟି ସଚିବଙ୍କୁ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ପ୍ରଦାନ କରାଯାଇଛି । ଘୁମୁସର ବାହିନୀ ପକ୍ଷରୁ ଭଞ୍ଜନଗର, ସୋରଡା ଏବଂ ଆସିକା ଠାରେ ବିଭିନ୍ନ ସ୍ବେଚ୍ଛାସେବୀ, ମହିଳା ସଂଗଠନ, ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ୧୬ରୁ ଉର୍ଦ୍ଧ୍ବ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଏତଦ୍ ଭିନ୍ନ ଭଞ୍ଜନଗର ଠାରେ ଭଞ୍ଜନଗର ବାର୍ ଆସୋସିଏସନ୍ ପକ୍ଷରୁ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଏବଂ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ଭଞ୍ଜନଗର ଠାରେ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଚାଷୀ ମୂଲିଆ ସଂଘ ତରଫରୁ ସୋରଡା ଠାରେ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ୫-ଟି ସଚିବଙ୍କୁ ପ୍ରଦାନ କରାଯାଇଥିଲା । ଏହି ସମସ୍ତ ଦାବି ପତ୍ରରେ ଭଞ୍ଜନଗରକୁ କେନ୍ଦ୍ର କରି ଭଞ୍ଜନଗର, ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ବୁଗୁଡା, ଧରାକୋଟ୍, ସୋରଡା, ଆସିକା ଏବଂ ଶେରଗଡ ଆଦି ୮ଟି ବ୍ଲକ୍ କୁ ନେଇ ‘ଘୁମୁସର ଜିଲ୍ଲା’ ଘୋଷଣା କରିବାକୁ ଦାବି ହୋଇଛି । ଘୁମୁସର ବାହିନୀ ତରଫରୁ ୧୨ ପୃଷ୍ଠା ସମ୍ବଳିତ ଦାବି ପତ୍ର ପ୍ରଦାନ କରାଯାଇଥିଲା, ଯେଉଁଥିରେ ୧୧ ପୃଷ୍ଠା କେବଳ ୫-ଟି ସଚିବଙ୍କୁ ମନେ ପକେଇଦେବା ପାଇଁ ସେ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟର ସୁପାରିଶ ପତ୍ର ଏବଂ ଅନ୍ୟ ଦରକାରୀ କାଗଜ ସଂଲଗ୍ନ କରାଯାଇଥିଲା । ଭଞ୍ଜନଗର ବାର୍ ଆସୋସିଏସନ ପକ୍ଷରୁ ବାର୍ ଆସୋସିଏସନ୍ ଲେଟରପ୍ୟାଡ୍ ରେ ଦାବି ପତ୍ର ପ୍ରଦାନ କରାଯାଇଥିଲା । ଘୁମୁସର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୩ ପୃଷ୍ଠା ସମ୍ବଳିତ ଦାବି ପ୍ରଦାନ କରାଯାଇଥିଲା ଏବଂ ସେଥିରେ ୫-ଟି ସଚିବ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟର ସୁପାରିଶ ପତ୍ରକୁ ସଂଲଗ୍ନ କରାଯାଇଥିଲା । ବହୁ ସ୍ବେଚ୍ଛାସେବୀ cmo@nic.in ମାଧ୍ୟମରେ ‘ଘୁମୁସର ଜିଲ୍ଲା’ ଦାବି ପତ୍ର ସିଏମଓ କୁ ମେଲ୍ ମଧ୍ୟ କରିଥିବା ସୂଚନା ମିଳିଛି ।
ପ୍ରକାଶ ଥାଉ କି ୧୯୯୩ ମସିହା ଠାରୁ ଆରମ୍ଭ ହୋଇଥିବା ଜିଲ୍ଲା ଆନ୍ଦୋଳନରେ ତତ୍କାଳିନ ଭଞ୍ଜନଗର ବିଧାୟକ ରାମକୃଷ୍ଣ ଗୌଡ, ତତ୍କାଳିନ ଜଗନ୍ନାଥ ପ୍ରସାଦ ବିଧାୟକ ମାଧବାନନ୍ଦ ବେହେରା, ତତ୍କାଳିନ ସୋରଡା ବିଧାୟକ ଗନ୍ତାୟତ ସ୍ବାଇଁ, ତତ୍କାଳିନ ଭଞ୍ଜନଗର ବ୍ଲକ୍ ଚେୟାରମେନ୍ ବିକ୍ରମ କେଶରୀ ଆରୁଖ, ତତ୍କାଳିନ ଭଞ୍ଜନଗର ଏନ୍.ଏ.ସି. ଚେୟାରମେନ୍ ଏମ୍.ଡି. ଲତିଫ୍, ବର୍ତ୍ତମାନର କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ ଓ ଅନ୍ୟମାନେ ପୃଷ୍ଠପୋଷକ ଥିଲେ । ତତ୍କାଳିନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କୁ ଘୁମୁସର ଅଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଜନପ୍ରତିନିଧି ଏବଂ ଜନସାଧାରଣ ଭେଟି ଜିଲ୍ଲା ଦାବି ଜଣାଇବା ବେଳେ ବିଜୁ ବାବୁ ‘ଘୁମୁସର ଜିଲ୍ଲା’ ଗଠନ ହେବା ନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ୫-ଟି ସଚିବ ଭି କେ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଘୁମୁସର ଜିଲ୍ଲା ଘୋଷଣା ହେବା ଉଚିତ ବୋଲି ହୃଦୟଙ୍ଗମ କରିଥିଲେ, ଭଞ୍ଜନଗରକୁ ହେଡ୍ କ୍ବାର୍ଟର ରଖି ଘୁମୁସର ଜିଲ୍ଲା ଘୋଷଣାକୁ ଉପର ସ୍ତରରେ ପହଞ୍ଚାଇବା ପାଇଁ ସୁପାରିଶ କରିଥିଲେ । ତେବେ ‘ଘୁମୁସର’ ଅଞ୍ଚଳ କେବେ ଜିଲ୍ଲାରେ ପରିଣତ ହେଉଛି ତାହା ଦେଖିବାକୁ ରହିଲା ।