
ଭଞ୍ଜନଗର (ବବି ରଥ/ ବିନାୟକ ଗୌଡ଼, ଓଡ଼ିଶା ଟୁଡେ) ୦୯/୦୯/୨୩: ଭଞ୍ଜନଗର ନିକଟସ୍ଥ କୁଲାଡ ତଳ ବାଗଦେବୀ ପୀଠ ଠାରେ ଆଜି ଘୁମୁସର ବାହିନୀ ପକ୍ଷରୁ ଘୁମୁସର ଜିଲ୍ଲା ପ୍ରେମୀ ଏବଂ ସଂଗ୍ରାମୀଙ୍କୁ ନେଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଶତାଧିକ ଘୁମୁସର ଜିଲ୍ଲା ପ୍ରେମୀ ଭଞ୍ଜନଗର ଉପଖଣ୍ଡର ବିଭିନ୍ନ ବ୍ଲକ୍ ଯଥା ବୁଗୁଡ଼ା, ଜଗନ୍ନାଥ ପ୍ରସାଦ, ସୋରଡା, ଧରାକୋଟ, ଶେରଗଡ଼, ବେଲଗୁଣ୍ଠା ଏବଂ ଭଞ୍ଜନଗର ରୁ ଯୋଗ ଦେଇଥିଲେ । ଏହି ବୈଠକରେ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ ବରିଷ୍ଠ ଶିକ୍ଷାବିତ୍, ସାହିତ୍ୟିକ ତଥା ଶ୍ରୀବତ୍ସ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ପ୍ରଶାନ୍ତ ମହାନ୍ତି, ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ବିଶିଷ୍ଟ ସାହିତ୍ୟିକ ତଥା କୁଲାଡ କବି ସମ୍ରାଟ ବିଦ୍ୟାପୀଠର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀ ମନୁନନ୍ଦ ପତି, ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଶିବରାମ ପଣ୍ଡା । ବିଶିଷ୍ଟ ଅତିଥି ରୂପେ ଯୋଗ ଦେଇଥିଲେ ବରିଷ୍ଠ ଆଇନଜୀବୀ ରାଜେନ୍ଦ୍ର ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ତଥା ଘୁମୁସର ବାହିନୀର ଆଇନ ପରାମର୍ଶଦାତା ଶ୍ରୀ ଖରାଂଶୁ ଶେଖର ଦାଶ ।
ଅତିଥି ମାନେ ଦ୍ଵୀପ ପ୍ରଜ୍ୱଳନ କରିବା ପରେ ସମ୍ମାନିତ ଅତିଥି ଶ୍ରୀ ପଣ୍ଡା ନିଜ ଅଭିଭାଷଣ ରଖିଥିଲେ । ଅତୀତ କଥାକୁ ମନେ ପକାଇ ଘୁମୁସର ଜିଲ୍ଲା ଦାବି ଆନ୍ଦୋଳନ କିପରି ତିନି ଦଶନ୍ଧି ଧରି ଚାଲୁ ରହିଛି, ସରକାର ଏହାକୁ ଅଣଦେଖା କରୁଛନ୍ତି ସେ ବିଷୟରେ ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି । ଘୁମୁସର ଜିଲ୍ଲା ଆନ୍ଦୋଳନ ବିଷୟରେ ବିଭିନ୍ନ ସମୟରେ ସବିଶେଷ ତଥ୍ୟ ଲୋକଙ୍କ ସମ୍ମୁଖରେ ଉପସ୍ଥାପନ କରୁଥିବାରୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସେ ସାଧୁବାଦ ଜଣାଇଥିଲେ । ଘୁମୁସର ଜିଲ୍ଲା ଆନ୍ଦୋଳନ ସମ୍ପର୍କିତ ବିଭିନ୍ନ ତଥ୍ୟ ଲୋକଙ୍କ ନଜରକୁ ଆଣିଥିବାରୁ ଓଡ଼ିଶା ଟୁଡେ କୁ ଧନ୍ୟବାଦ ମଧ୍ୟ ଦେଇଥିଲେ । ଜିଲ୍ଲା ଘୋଷଣା ପର୍ଯ୍ୟନ୍ତ ସମସ୍ତ ପ୍ରକାର ଭୋଟ ବର୍ଜନ କରିବାକୁ ଘୁମୁସର ବାସୀଙ୍କୁ ପରାମର୍ଶ ଦେଇଥିଲେ ।
ଘୁମୁସର ବାହିନୀ ସଦସ୍ୟ ମାଧବ ନାୟକ ଘୁମୁସର ବାହିନୀ ଦ୍ଵାରା ଅତୀତରେ ଗ୍ରହଣ କରାଯାଇଥିବା ବିଭିନ୍ନ କାର୍ଯ୍ୟପନ୍ଥା ଯଥା ବିଭିନ୍ନ ଅନୁଷ୍ଠାନରେ କରାଯାଇଥିବା ଚିଠି ଲେଖା ଓ ଦସ୍ତଖତ ଅଭିଯାନ ସମ୍ପର୍କରେ ଜଣାଇଥିଲେ । ଘୁମୁସର ଜିଲ୍ଲା ଦାବି ପତ୍ର ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କୁ ତାଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ଦିଆଯାଇଥିବା ଜଣାଇଥିଲେ । ୫- ଟି ସଚିବଙ୍କ ଗଞ୍ଜାମ ଗସ୍ତ ର ଦ୍ଵିତୀୟ ଦିନରେ ଆସିକା, ସୋରଡା ଏବଂ ଭଞ୍ଜନଗର ଠାରେ ଅଭିଯୋଗ ପତ୍ର ଗ୍ରହଣ ବେଳେ ଘୁମୁସର ଜିଲ୍ଲା ଦାବି ପତ୍ର ଦିଆଯାଇଥିବା ଜଣାଇଥିଲେ । ଆଗକୁ ମଧ୍ୟ ବିଭିନ୍ନ ସ୍କୁଲ କଲେଜ୍ ରେ ପ୍ରବନ୍ଧ ଏବଂ ବକ୍ତୃତା ପ୍ରତିଯୋଗିତା କରାଯିବା କାର୍ଯ୍ୟକ୍ରମ ରହିଥିବା ଜଣାଇଥିଲେ । ରାଜ୍ୟର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଘୁମୁସର ଜିଲ୍ଲା ଦାବି ପତ୍ର ଦିଆଯିବା ନେଇ ଘୁମୁସର ବାହିନୀ ପ୍ରସ୍ତୁତ ହେଉଥିବା ଜଣାଇଥିଲେ । ଆହୁରି ଅନେକ କାର୍ଯ୍ୟପନ୍ଥା ସମ୍ପର୍କରେ ସମ୍ୟକ୍ ସୂଚନା ଦେଇଥିଲେ ।
ଅତିଥି ମନୁନନ୍ଦ ପତି ଭଞ୍ଜ ସାହିତ୍ୟର ଗୁରୁତ୍ଵ ବିଷୟରେ ଆଲୋଚନା କରିବା ସହ ଭଞ୍ଜ ସାହିତ୍ୟ କିପରି ସ୍ଵତନ୍ତ୍ର ଓଡ଼ିଶା ଗଠନ ଦିଗରେ ସହାୟକ ହୋଇଥିଲା ତଥା ଓଡ଼ିଶା ପାଇଁ ଘୁମୁସର ର ଅବଦାନ ସଂପର୍କରେ ଆଲୋଚନା କରିଥିଲେ ।
ସାମ୍ବାଦିକ ରବୀନ୍ଦ୍ର ପାତ୍ର ଘୁମୁସର ଜିଲ୍ଲା ଆନ୍ଦୋଳନର ଇତିହାସ ପୃଷ୍ଠା କୁ ଓଲଟାଇ ଯେଉଁ ସଂଗ୍ରାମୀ ମାନଙ୍କ ଏହି ଜିଲ୍ଲା ଆନ୍ଦୋଳନ ପ୍ରତି ଅବଦାନ ରହିଥିଲା, ସେମାନଙ୍କୁ ପ୍ରଶଂସା କରିବା ସହ ଆଗାମୀ ଦିନରେ ଘୁମୁସର ଜିଲ୍ଲା ଗଠନ ଦିଗରେ ସମସ୍ତେ କିପରି ସଚେତନ ଓ ଜାଗ୍ରତ ହୋଇପାରିବେ ସେ ଦିଗରେ ନିଜର ଭାଷଣ ରଖିଥିଲେ ।
ଘୁମୁସର ଜିଲ୍ଲା ପ୍ରେମୀ ଭଞ୍ଜ କିଶୋର ପ୍ରଧାନ ଜନ ସଚେତନତା କରିବା ପାଇଁ ଏକ ମାନବ ଶୃଙ୍ଖଳ କରସିଙ୍ଗ ଠାରୁ ଭଞ୍ଜନଗର ପର୍ଯ୍ୟନ୍ତ କରିବାକୁ ପ୍ରସ୍ତାବ ଦେଇଥିଲେ । ଜଣେ ଘୁମୁସର ଜିଲ୍ଲା ପ୍ରେମୀ ଭାବରେ ଘୁମୁସର ଜିଲ୍ଲା ଆନ୍ଦୋଳନ କିପରି ଜନ ଆନ୍ଦୋଳନ ହୋଇପାରିବ ସେ ଦିଗରେ ପଦକ୍ଷେପ ନେବାକୁ ନିଜର ମତ ରଖିଥିଲେ ।
ଆଉ ଜଣେ ଘୁମୁସର ଜିଲ୍ଲା ଗଠନ ଦିଗରେ ସର୍ବଦା ଚେଷ୍ଟିତ ଥିବା ଘୁମୁସର ପ୍ରେମୀ ସୁଶାନ୍ତ ପାତ୍ର ଘୁମୁସର ଜିଲ୍ଲା ଗଠନ ନ ହେବା ଯାଏଁ ଘୁମୁସର ବାସୀ ପ୍ରଶାସନ ଓ ସରକାରଙ୍କ ଉପରେ ଖୁସି ନଥିବା କହିଥିଲେ ।
ଘୁମୁସର ଜିଲ୍ଲା ପ୍ରେମୀ ସୁବ୍ରତ ଦାଶ କହିଥିଲେ ଯେ ଯେଉଁ ଅଞ୍ଚଳ ଦିନେ ଘୁମୁସର ରାଜ୍ୟ ଭାବେ ଚାରିଆଡ଼େ ପ୍ରସିଦ୍ଧି ଲାଭ କରିଥିଲା, ଆଜି ଜିଲ୍ଲା ଗଠନ ପାଇଁ ସଙ୍ଘର୍ଷ କରୁଛି, ନିଶ୍ଚିତ ଭାବରେ ଏହା ପରିତାପର ବିଷୟ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ୧୯୯୨-୯୩ ମସିହାରେ ଯେତେବେଳେ ୧୩ ଜିଲ୍ଲାକୁ ୩୦ ଜିଲ୍ଲା ରେ ପରିଣତ କଲେ, ସେ ସମୟରେ ଘୁମୁସର ଜିଲ୍ଲା ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଥିଲା, କିଛି କୁଚକ୍ରୀ ଗୋଷ୍ଠୀଙ୍କ ଶିକାର ହୋଇ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଅବିଭକ୍ତ ଗଞ୍ଜାମ ଜିଲ୍ଲା କୁ ଭାଙ୍ଗି ଗଜପତି ଜିଲ୍ଲା ଘୋଷଣା କଲେ କିନ୍ତୁ ଘୁମୁସର ଜିଲ୍ଲା ହୋଇପାରିଲା ନାହିଁ । ୨୦୦୬-୦୭ ମସିହାରେ ଗଞ୍ଜାମ ଜିଲ୍ଲାପାଳ ଥିବା ସମୟରେ ଭି. କେ. ପାଣ୍ଡିଆନ RDC ଙ୍କୁ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ସୁପାରିଶ କରିଥିଲେ । ସେ ୨୦୦୧ ଜନଗଣନା ଆଧାରରେ ଭଞ୍ଜନଗର ଉପଖଣ୍ଡ କୁ ଜିଲ୍ଲା ଘୋଷଣା ପାଇଁ ସୁପାରିଶ କରିଥିଲେ । ଇତି ମଧ୍ୟରେ ୨୦୧୧ ଜନଗଣନା ଅନୁସାରେ ଉପଖଣ୍ଡର ଜନ ସଂଖ୍ୟା ବୃଦ୍ଧି ପାଇଛି । ୨୦୨୧ ଜନଗଣନା ହେବା କଥା କିନ୍ତୁ କୋଭିଡ – ୧୯ ପାଇଁ ଜନଗଣନା ହୋଇପାରିନାହିଁ । ନଚେତ୍ ଜନସଂଖ୍ୟା ସରକାରୀ ରେକର୍ଡ ରେ ଆହୁରି ଅଧିକ ହେବ । କିନ୍ତୁ ବର୍ତ୍ତମାନ ସେ ୫- ଟି ସଚିବ ଥାଇ ମଧ୍ୟ ଆଜି ପର୍ଯ୍ୟନ୍ତ ଘୁମୁସର ଜିଲ୍ଲା ଗଠନ ହୋଇ ପାରିଲା ନାହିଁ । ବିଭିନ୍ନ ସମୟରେ ଘୁମୁସର ଜିଲ୍ଲା ଆନ୍ଦୋଳନକୁ ଭଣ୍ଡୁର କରିବା ପାଇଁ ଆସିକା ଋଷିକୂଲ୍ୟା ଜିଲ୍ଲା ଆନ୍ଦୋଳନ ଦାବି ରଖୁଛି, ଯେଉଁ କିଛି ବ୍ଲକ୍ କୁ ନେଇ ଜିଲ୍ଲା ଗଠନ ପ୍ରସ୍ତାବ ରଖୁଛି, ସେ ମଧ୍ୟରୁ କିଛି ବ୍ଲକ୍ ର ଜନ ସାଧାରଣ ଆସିକା ସହ ନ ରହି ପୂର୍ବବତ୍ ଗଞ୍ଜାମ ଜିଲ୍ଲା ରେ ରହିବାକୁ ଚାହୁଁଛନ୍ତି । ଧରାକୋଟ, ଶେରଗଡ଼ ଜନସାଧାରଣ ଘୁମୁସର ଜିଲ୍ଲା ସହ ରହିବାକୁ ଚାହୁଁ ଥିବା ନିଜ ବକ୍ତବ୍ୟରେ କହିଥିଲେ । ନୀତି ଆୟୋଗ, ଭାରତ ସରକାରଙ୍କ ଏକ ଯୁକ୍ତିକୁ ଉପସ୍ଥାପନ କରି କହିଲେ ଯେ ସରକାରୀ ଯୋଜନା ଗୁଡ଼ିକୁ ଯଦି ସଠିକ ଭାବରେ ଜନସାଧାରଣ ଙ୍କ ନିକଟରେ ପହଞ୍ଚାଇବାର ଅଛି, ବଡ଼ ଜନ ବହୁଳ ଭୌଗୋଳିକ ଅଞ୍ଚଳକୁ ଭାଙ୍ଗି ନୂତନ ଜିଲ୍ଲା ସୃଷ୍ଟି କରାଯାଉ । ଏକ ଦୈନିକ ଓଡ଼ିଆ ଖବରକାଗଜରେ ପ୍ରକାଶିତ ଲେଖାକୁ ଉଲ୍ଲେଖ କରି କହିଲେ ଯେ ଗଞ୍ଜାମ ଜିଲ୍ଲା ର ସାହିତ୍ୟ କହିଲେ କେବଳ ଋଷିକୂଲ୍ୟା କୁ ବୁଝାଏ ନାହିଁ । ଏଠି ଭଞ୍ଜ ସାହିତ୍ୟ କହିଲେ ବିଶ୍ଵ ଜାଣେ । ଉପେନ୍ଦ୍ର ଭଞ୍ଜଙ୍କ ଅଦ୍ୱିତୀୟ କାଳଜୟୀ କାବ୍ୟ ପାଇଁ ତାଙ୍କୁ କବିସମ୍ରାଟ ଭାବେ ବିଶ୍ଵ ଜାଣେ । ଆହୁରି ମଧ୍ୟ ଘୁମୁସର ଜିଲ୍ଲା ଦାବିକୁ ବିଭିନ୍ନ ତରିକାରେ ଯଥା ସ୍କୁଲ କଲେଜ୍ ଛାତ୍ରଛାତ୍ରୀଙ୍କୁ ନେଇ ଚିଠି ଲେଖା, ଦସ୍ତଖତ ଅଭିଯାନ ଠାରୁ ଆରମ୍ଭ କରି ୫- ଟି ସଚିବଙ୍କ ଅଭିଯୋଗ ଶୁଣାଣୀ ବେଳେ ଜିଲ୍ଲା ଦାବି ପତ୍ର ଉପସ୍ଥାପନ ହେଉ, ଏ ସମସ୍ତ କାର୍ଯ୍ୟ ନିମନ୍ତେ ଘୁମୁସର ବାହିନୀକୁ ଧନ୍ୟବାଦ ଜଣାଇଥିଲେ ।
ସାମ୍ବାଦିକ ସୁଶାନ୍ତ ସାହୁ ଅତୀତରେ ଘୁମୁସର ଯୋଦ୍ଧା ଙ୍କ ବୀରତ୍ୱର କାହାଣୀ ବିଷୟରେ କହିଥିଲେ । ଘୁମୁସର ର ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ସାହସ ଏବଂ ଲଢ଼ୁଆ ମନୋଭାବ ଦିନେ ନିଶ୍ଚୟ ଘୁମୁସର ଜିଲ୍ଲା ଗଠନରେ ସହାୟକ ହେବ ବୋଲି ନିଜ ଓଜସ୍ୱିନି ଭାଷଣରେ କହିଥିଲେ ।
ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ ଘୁମୁସର ଜିଲ୍ଲା ଦାବି କେଉଁ ଜନୈକ ବ୍ୟକ୍ତି ବିଶେଷଙ୍କ ନୁହେଁ ଏହା ସାମୁହିକ ଏବଂ ଭଞ୍ଜନଗର ଉପଖଣ୍ଡର ଜନସାଧାରଣ ଙ୍କ ଦାବି ବୋଲି କହିଥିଲେ । କିଛି ବ୍ୟକ୍ତି ବାହାରକୁ ନ ଆସି ମଧ୍ୟ ଭିତରୁ ଜିଲ୍ଲା ଆନ୍ଦୋଳନକୁ ସମର୍ଥନ ଓ ସହଯୋଗ କରୁଥିବା ଜଣାଇଥିଲେ ଏବଂ ସେମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । ଆଗାମୀ ଦିନରେ ବିଭିନ୍ନ ସ୍କୁଲ କଲେଜ ରେ ଘୁମୁସର ର ଇତିହାସ ସହିତ ଜିଲ୍ଲା ଆନ୍ଦୋଳନର ପୃଷ୍ଠଭୂମି ସଂପର୍କରେ ବକ୍ତୃତା ପ୍ରତିଯୋଗିତା କରିବାକୁ ପ୍ରସ୍ତାବ ଦେଇଥିଲେ ।
ଉତ୍କଳ ସାମ୍ବାଦିକ ସଂଘ ସୋରଡ଼ା ସଭାପତି ରାଜେଶ ସାହୁ ନିଜ ଅଭିଭାଷଣରେ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ସବୁ ପ୍ରକାର ଅନୁକୂଳ ପରିସ୍ଥିତି, ଭୌଗୋଳିକ ଅବସ୍ଥିତ ଏବଂ ସବୁ ଦୃଷ୍ଟିରୁ ଜିଲ୍ଲା ଘୋଷଣା ପ୍ରସ୍ତାବ ଯୁକ୍ତିଯୁକ୍ତ ବୋଲି କହିଥିଲେ ।
ଉତ୍କଳ ସାମ୍ବାଦିକ ସଂଘ ଭଞ୍ଜନଗର ସଭାପତି ପ୍ରଦୀପ ସ୍ୱାଇଁ, ଘୁମୁସର ଜିଲ୍ଲା ଗଠନ ନିମନ୍ତେ ସରକାରଙ୍କ ମନୋଭାବ ନଥିବା ପରି ପରିଲକ୍ଷିତ ହେଉନଥିବା ଜଣାଇଥିଲେ । ଆଗକୁ କିପରି ପଞ୍ଚାୟତ ସ୍ତର ରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯାଇପାରିବ ସେ ଦିଗରେ ବିଭିନ୍ନ ପ୍ରସ୍ତାବ ନିଜ ଅଭିଭାଷଣ ରେ ରଖିଥିଲେ ।
ରାଜ୍ୟ ଓକିଲ ସଂଘ ଉପସଭାପତି ରାଜେନ୍ଦ୍ର ପ୍ରଧାନ, ଯଦି ଓଡ଼ିଶାରେ ଆଗକୁ କୌଣସି ଜିଲ୍ଲା ଗଠନ କରାଯାଏ, ତେବେ ଘୁମୁସର ଜିଲ୍ଲା ପ୍ରଥମେ ହେବା ଉଚିତ୍ ବୋଲି କହିଥିଲେ । ଘୁମୁସର ଜିଲ୍ଲା ଗଠନ ନିମନ୍ତେ ବ୍ୟାପକ ଜନସଚେତନତା କୁ ନିଜ ଅଭିଭାଷଣରେ ପ୍ରାଧାନ୍ୟ ଦେଇଥିଲେ ।
ଆଇନ ପରାମର୍ଶଦାତା ଖରାଂଶୁ ଶେଖର ଦାଶ ଘୁମୁସର ଜିଲ୍ଲା ଗଠନ ନିମନ୍ତେ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅସହଯୋଗ ବିଷୟରେ ଜଣାଇଥିଲେ । ଅତୀତରେ ଦୁର୍ଗା ପ୍ରସାଦ ଠାରେ ଘୁମୁସର ବାହିନୀ ପକ୍ଷରୁ ଲଗାଯାଇଥିବା ବୋର୍ଡ କୁ ପ୍ରଶାସନ ଉପାଡ଼ି ନେଇଥିବା ଜଣାଇଥିଲେ । ଆଗକୁ ଜିଲ୍ଲା ନାହିଁ ତ ଭୋଟ ନାହିଁ ନାରା ଦେଇ ଜନ ସାଧାରଣ ଙ୍କୁ ସଚେତନ କରାଯାଇପାରିବ ବୋଲି ନିଜ ଅଭିଭାଷଣରେ କହିଥିଲେ ।
ପୂର୍ବତନ ଶିକ୍ଷକ ତଥା ତିନି ଦଶନ୍ଧି ପୂର୍ବେ ଘୁମୁସର ଜିଲ୍ଲା ଆନ୍ଦୋଳନର ସୁତ୍ରଧର ସାହିତ୍ୟିକ ପ୍ରଶାନ୍ତ ମହାନ୍ତି ଘୁମୁସର ଜିଲ୍ଲା ଆନ୍ଦୋଳନ କିପରି ଆରମ୍ଭ କରିଥିଲେ, ଅନ୍ୟକୁ ବିଶ୍ୱାସ କରି ଜିଲ୍ଲା ଆନ୍ଦୋଳନକୁ ଅନ୍ୟ ହାତକୁ ଟେକି ଦେଇ ଜିଲ୍ଲା ଆନ୍ଦୋଳନ ନିରବି ଯାଇଥିବା ଜଣାଇଥିଲେ । ଉପଖଣ୍ଡ ମୁଖ୍ୟାଳୟ ଭଂଜନଗରରେ ଥିବାରୁ ଆଠ ଟି ବ୍ଲକ୍ ର ଜନସାଧାରଣ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ହେଉ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ହେଉ ଅବା ଦ୍ରବ୍ୟ ଏବଂ ସେବାକର ସର୍କଲ ଅଫିସ ହେଉ ସେ ସବୁ କାର୍ଯ୍ୟ ପାଇଁ ଭଞ୍ଜନଗର ଉପରେ ନିର୍ଭରଶୀଳ ଅଟନ୍ତି। ତେଣୁ ଭଞ୍ଜନଗର ପାଖରେ ଜିଲ୍ଲା ଗଠନ ନିମନ୍ତେ ଭିତ୍ତିଭୂମି ରହିଛି। ଆଗକୁ ଜନ ସଚେତନତା କରାଯାଇ ଜିଲ୍ଲା ଆନ୍ଦୋଳନ ସଫଳ ନ ହେବା ଯାଏଁ ଭୋଟ ବର୍ଜନ କରିବାକୁ ପରାମର୍ଶ ଦେଇଥିଲେ ।
ଘୁମୁସର ବାହିନୀ ସଦସ୍ୟ ଅରକ୍ଷିତ ପରିଚ୍ଛା ସ୍ବାଗତ ସମ୍ଭାଷଣ ପ୍ରଦାନ କରି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନ୍ୟତମ ସଦସ୍ୟ ନଚିକେତା ପ୍ରଧାନ ଙ୍କ ସହ ମିଶି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପରିଶେଷରେ ନଚିକେତା ପ୍ରଧାନ ଅତିଥି, ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଏବଂ ସଭାରେ ଉପସ୍ଥିତ ଘୁମୁସର ପ୍ରେମୀ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
କାର୍ଯ୍ୟକ୍ରମ କୌଣସି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନଥିବା ବେଳେ ଘୁମୁସର କୁ ଜିଲ୍ଲା ଗଠନ ଦିଗରେ ଆଗକୁ ନେବା ପାଇଁ ବିଭିନ୍ନ ଘୁମୁସର ପ୍ରେମୀ ସହଯୋଗ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖା ଓ ଦସ୍ତଖତ ଅଭିଯାନ ମଧ୍ୟ ହୋଇଥିଲା ।
ଘୁମୁସର ବାହିନୀ ପକ୍ଷରୁ ଆଗାମୀ ୧୭ ତାରିଖ ଦିନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଡିହପଢ଼ାଳ ଠାରେ ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ “ଘୁମୁସର ଐତିହ୍ୟ ଏବଂ ଜିଲ୍ଲା ଆବଶ୍ୟକତା” ବିଷୟରେ ଇଂରାଜୀ ଓ ଓଡ଼ିଆ ଭାଷାରେ ପ୍ରବନ୍ଧ ପ୍ରତିଯୋଗିତା ସହ ସାଧାରଣଜ୍ଞାନ ପ୍ରତିଯୋଗିତା ଆୟୋଜନ କରାଯିବ । ଏଥିରେ ଉକ୍ତ ବିଦ୍ୟାଳୟ ସହ ଭଞ୍ଜନଗର ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ । ଏଥିନେଇ ଘୁମୁସର ବାହିନୀ ପକ୍ଷରୁ ସୂଚନା ଦିଆଯାଇଛି ।