
ଭୁବନେଶ୍ୱର (ଓଡ଼ିଶା ଟୁଡେ) ୨୮/୦୯/୨୩: ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଓଡ଼ିଶାରେ ନୂତନ ଜିଲ୍ଲା ସୃଷ୍ଟି ନେଇ ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି । ଅଦ୍ୟାବଧି ଓଡ଼ିଶାରେ ୨୫ ଟି ନୂଆଁ ଜିଲ୍ଲା ଗଠନ ନେଇ ବିଭିନ୍ନ ଅଞ୍ଚଳରୁ ଦାବି ଆସିଥିବା ରାଜସ୍ବ ମନ୍ତ୍ରୀ ଜଣାଇଥିଲେ । ଏଥି ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୪ ଟି ନୂଆଁ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ଆସିଛି । ଘୁମୁସର, ଋଷିକୁଲ୍ୟା, ବ୍ରହ୍ମପୁର ଏବଂ ଭଞ୍ଜନଗର ଭଳି ୪ ଟି ନୂଆଁ ଜିଲ୍ଲା ଗଠନ ନେଇ ଗଞ୍ଜାମ ଜିଲ୍ଲାରୁ ପ୍ରସ୍ତାବ ଆସିଛି । ପ୍ରସ୍ତାବିତ ଘୁମୁସର ଏବଂ ଭଞ୍ଜନଗର ଜିଲ୍ଲା ସମାନ ଅଞ୍ଚଳକୁ ନେଇ ଦାବି ଥିବା ଜଣା ଯାଇଛି । ଏତଦ୍ ବ୍ୟତୀତ ମୟୁରଭଞ୍ଜରୁ ୩ ଟି ନୂଆଁ ଜିଲ୍ଲା ଯଥାକ୍ରମେ ପଶ୍ଚିମ ମୟୂରଭଞ୍ଜ, ରାଇରଙ୍ଗପୁର, ଖିଚିଂ ଜିଲ୍ଲା ଗଠନ ପାଇଁ ଦାବି ଆସିଛି । ଏତଦ୍ ବ୍ୟତୀତ ସୁନ୍ଦରଗଡ଼, ବାଲେଶ୍ଵର, କଟକରୁ ୨ ଟି ଲେଖାଏଁ ନୂଆଁ ଜିଲ୍ଲା ପାଇଁ ଦାବି ଆସିଛି । ବଣାଇ, ରାଉରକେଲା, ଆଠଗଡ଼, ଚଣ୍ଡିଖୋଲ, ପଦ୍ମପୁର, ଧର୍ମଗଡ, ଟିଟିଲାଗଡ଼, କଣ୍ଟାବାଞ୍ଜି, ତାଳଚେର, ପାଲଲହଡ଼ା, ଆଠମଲ୍ଲିକ, ଭୁବନେଶ୍ୱର, କୁଚିଣ୍ଡା, ବାଲିଗୁଡା, ଆନନ୍ଦପୁର, ସୋର, ଗୁଣପୁର ଏବଂ ନୀଳଗିରି ଆଦି ଜିଲ୍ଲା ଘୋଷଣା ପାଇଁ ଦାବି ଆସିଥିବା ଜଣା ଯାଇଛି । ଏ ମଧ୍ୟରୁ କେଉଁ କେଉଁ ଅଞ୍ଚଳ ପ୍ରକୃତରେ ନୂଆଁ ଜିଲ୍ଲା ଗଠନ ପାଇଁ ଯଥାର୍ଥ ଅଟନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରିବାକୁ ଆରଡିସିଙ୍କ ନିର୍ଦ୍ଦେଶରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନେ ତହସିଲଦାର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।