
ସମ୍ବଲପୁର (ଓଡ଼ିଶା ଟୁଡେ): ଜିଲ୍ଲା ମାନ୍ୟତା ଦାବିରେ କୁଚିଣ୍ଡା ବନ୍ଦ । ସକାଳ 6 ରୁ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ 12 ଘଣ୍ଟିଆ ବନ୍ଦ ପାଳନ କରାଯାଇଛି । କୁଚିଣ୍ଡା ଉପଖଣ୍ଡକୁ ଜିଲ୍ଲା ଦାବି ନେଇ ବନ୍ଦ ପାଳନ କରିଛି କ୍ରୀୟାନୁଷ୍ଠାନ କମିଟି ।
ଏହି ସମୟରେ 49 ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି କ୍ରିୟାନୁଷ୍ଠାନ କମିଟି । ଏହି ବନ୍ଦ ପାଳନକୁ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ସମର୍ଥନ କରୁଥିବାରୁ ସରକାରୀ ବେସରକାରୀ କାର୍ଯ୍ୟାଳୟ ସହ ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି ।ବନ୍ଦରୁ ଜରୁରୀ ସେବା ଗୁଡ଼ିକୁ ବାଦ୍ ଦିଆଯାଇଛି। ଡାକ୍ତରଖାନା ଓ ଦମକଳ ସେବାକୁ ଏଥିରୁ ବାଦ୍ ଦିଆଯାଇଛି। ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିଲେ, ସେଗୁଡ଼ିକ ମଧ୍ୟ ଖୋଲା ରହିବ ବୋଲି କହିଛନ୍ତି କୁଚିଣ୍ଡା ଜିଲ୍ଲା ଗଠନ ଦାବି କ୍ରିୟାନୁଷ୍ଠାନ କମିଟି ଆବାହକ ପ୍ରମୋଦ ଛୁରିଆ ।
କୁଚିଣ୍ଡା, ବାମରା, ଯମନକିରା ବ୍ଲକକୁ ନେଇ ଗଠିତ ଏହି ଉପଖଣ୍ଡକୁ ଜିଲ୍ଲା ଗଠନ ନେଇ ଦୀର୍ଘଦିନରୁ ଦାବି ହୋଇଆସୁଛି ।