ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି; ଘୁମୁସରୀ ଗୋବଂଶ ସୁରକ୍ଷା ଦିଗରେ ପ୍ରଶାସନ ତତ୍ପରତା ଶୂନ; ରାଜରାସ୍ତାକୁ ଓହ୍ଲାଇବେ ୧୦ ହଜାରରୁ ଉର୍ଦ୍ଧ୍ବ ଗାଈଗୋରୁ

ଭଞ୍ଜନଗର (ଓଡ଼ିଶା ଟୁଡେ) ୧୯/୦୨/୨୪: ପ୍ରଶାସନ ଦ୍ବାରା ବାରମ୍ବାର ପ୍ରତାଡ଼ିତ ହେଉଛନ୍ତି ଘୁମୁସର ଅଞ୍ଚଳର ଗୋପାଳକ । ଘୁମୁସରୀ ପ୍ରଜାତିର ଗାଈ ଗୋରୁଙ୍କ ପାଇଁ ଗୋଚର ଜମି ଚିହ୍ନଟ ହୋଇ ପାରୁନି, ଗୋପାଳକ ମାନଙ୍କୁ ସରକାରୀ ପ୍ରୋତ୍ସାହନ ମିଳୁନାହିଁ, ଗୁହାଳ ଘର ବ୍ୟବସ୍ଥା ମଧ୍ୟ ସରକାରୀ ସ୍ତରରେ କରାଯାଉ ନାହିଁ, ଘୁମୁସରୀ ଗୋ-ଶିଳ୍ପର ଅଗ୍ରଗତି ମଧ୍ୟ କରାଯାଉ ନାହିଁ । ସର୍ବୋପରି ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ଘୁମୁସରୀ ଗୋ-ପ୍ରଜାତି ଏବଂ ସେମାନଙ୍କୁ ରକ୍ଷଣବେକ୍ଷଣ କରୁଥିବା ଗୋପାଳକ ମାନେ । ସେଥିପାଇଁ ସେମାନେ ନିଜ କୌଳିକ ବୃତ୍ତିରୁ ନିବୃତ୍ତ ମଧ୍ୟ ହେଉଛନ୍ତି । ଯଦ୍ୱାରା ବିଲୁପ୍ତ ପଥରେ ରହିଛି ଘୁମୁସରୀ ଗୋ-ପ୍ରଜାତି ।

ଘୁମୁସରୀ ଗୋ-ପ୍ରଜାତି ଯେକୌଣସି ଜଳବାୟୁରେ ଖାପ ଖୁଆଇବା କ୍ଷମତା ରଖନ୍ତି । ଅଧିକ ପରିଶ୍ରମୀ, କମ୍ ଲାଳନ ପାଳନ, ଅଧିକ ରୋଗପ୍ରତିରୋଧ ଶକ୍ତି ସମ୍ପନ୍ନ, ଶାନ୍ତ ସ୍ୱଭାବର ଗୋ-ପ୍ରଜାତି ଅଟନ୍ତି । ଏମାନଙ୍କ କ୍ଷୀରରେ ବହୁ ଔଷଧୀୟ ଗୁଣ ଥାଏ । ଗୋମୁତ୍ର ଅମୋନିଆ ଓ ୟୁରିଆ ର ବିଷାକ୍ତ ପରିମାଣ ନଥିବାରୁ ଆୟୁର୍ବେଦ ଶିଳ୍ପରେ ପ୍ରଚୁର ବ୍ୟବହୃତ ହୁଏ । ଗୋବର ରୁ ମଧ୍ୟ ବହୁ ଶିଳ୍ପ ସାମଗ୍ରୀ ପ୍ରସ୍ତୁତ ହୁଏ । ତେଣୁ ଘୁମୁସରୀ ଗୋ-ପ୍ରଜାତି କୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅଧୀନ ରାଷ୍ଟ୍ରୀୟ ଡେରୀ ଅନୁସନ୍ଧାନ ସଂସ୍ଥାନ ଦ୍ଵାରା ୨୦୧୦ ମସିହାରେ ଭାରତୀୟ ଜୈବ ବିବିଧତା ଜାତୀୟ ମାନ୍ୟତା ପାଇଛି ।

ଏଭଳି ସ୍ଥଳେ ପ୍ରଶାସନର ଗୋମାତା ପ୍ରତି ବୈମାତୃକ ମନୋଭାବ ହେତୁ ଗୋ-ବଂଶ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେହେତୁ ସେମାନେ ମୁକ ପ୍ରାଣୀ, ସେମାନେ ନିଜ ଅସୁବିଧା ସ୍ଵଂୟ ଉପସ୍ଥାପନ କରିପାରନ୍ତି ନାହିଁ, ତେଣୁ ଗୋପାଳକ ମାନେ ସେହି ଅସୁବିଧାକୁ ପ୍ରଶାସନ ପାଖରେ ବାରମ୍ବାର ରଖି ପ୍ରତାରିତ ହେଉଛନ୍ତି । କୃଷି ବିଭାଗ, ଜଙ୍ଗଲ ବିଭାଗ, ରାଜସ୍ବ ବିଭାଗ ଏବଂ ପ୍ରାଣୀଧନ ବିଭାଗ ମଧ୍ୟରେ ସମନ୍ବୟର ଅଭାବ ମଧ୍ୟ ରହୁଛି । ସୋମବାର ଭଞ୍ଜନଗର ଉପଜିଲ୍ଲାପାଳ ଅଫିସରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ଆସନ୍ତା ୨୭ ତାରିଖରେ ଗୋପାଳକ ଗାଈ ଗୋରୁଙ୍କ ସହ ଧର୍ମଘଟକୁ ଓହ୍ଲାଇବେ ବୋଲି ଘୁମୁସରୀ ଗୋପାଳ ସମିତି ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ଏବଂ ଉପଦେଷ୍ଟା ମୂରଲୀଧର ପଣ୍ଡା ଜଣାଇଛନ୍ତି । ଏହି ଅବସରରେ କରଚୁଲି ଅଞ୍ଚଳର ବାବା ସତ୍ୟାନନ୍ଦ ମହାରାଜଙ୍କ ସମେତ ଶହ ଶହ ଗୋପାଳକ ଗୋପାଳିକା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *