
ନୂଆଦିଲ୍ଲୀ (ଏଜେନ୍ସି): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଲୋକସଭା ନିର୍ବାଚନ ସତ୍ତ୍ୱେ ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ବୋଲି ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୁମଲ କହିଛନ୍ତି ।
ସାଧାରଣ ନିର୍ବାଚନ ଏପ୍ରିଲ ଏବଂ ମେ ମାସରେ ହେବା ସମ୍ଭାବନା ରହିଛି । ସେଥିପାଇଁ ଆଇପିଏଲର ୧୭ତମ ସିଜନ ପାଇଁ କାର୍ଯ୍ୟସୂଚୀ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଧୁମଲ କହିଛନ୍ତି ଯେ ପ୍ରଥମେ ଏହି ଲିଗର ପ୍ରଥମ ୧୫ ଦିନର କାର୍ଯ୍ୟସୂଚୀ ଘୋଷଣା କରାଯିବ । ସାଧାରଣ ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଘୋଷଣା କରାଯିବ। ଆସନ୍ତା ମାସ ଆରମ୍ଭରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବା ସମ୍ଭାବନା ରହିଛି ।
ଧୁମଲ କହିଛନ୍ତି, “ଆମେ ମାର୍ଚ୍ଚ ୨୨ରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବାକୁ ଯୋଜନା କରୁଛୁ। ଆମେ ସରକାରୀ ସଂସ୍ଥା ଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛୁ । ଆମେ ପ୍ରଥମେ ପ୍ରାରମ୍ଭିକ କାର୍ଯ୍ୟସୂଚୀ ରିଲିଜ୍ କରିବୁ । ପୂରା ଟୁର୍ଣ୍ଣାମେଣ୍ଟ ଭାରତରେ ଅନୁଷ୍ଠିତ ହେବ ।
୨୦୦୯ରେ ସାଧାରଣ ନିର୍ବାଚନ ଯୋଗୁଁ ଆଇପିଏଲର ପୂରା ସିଜନ୍ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହୋଇଥିବାବେଳେ ୨୦୧୪ରେ କିଛି ମ୍ୟାଚ୍ ୟୁଏଇରେ ଖେଳାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନ ସମୟରେ ପୂରା ଲିଗ୍ ଦେଶରେ ଅନୁଷ୍ଠିତ ହୋଇଥିଲା ।
ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଦୃଷ୍ଟିରୁ ମେ ୨୬ରେ ଆଇପିଏଲ୍ ଫାଇନାଲ ଅନୁଷ୍ଠିତ ହୋଇପାରେ।
ଭାରତୀୟ ଦଳ ଟି-୨୦ ବିଶ୍ୱକପରେ ଜୁନ୍ ୫ରେ ନ୍ୟୁୟର୍କରେ ଆୟର୍ଲାଣ୍ଡ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧ରୁ ଆମେରିକା ଓ କାନାଡ଼ା ମଧ୍ୟରେ ମ୍ୟାଚରୁ ଆରମ୍ଭ ହେବ ।
ସାଧାରଣତଃ ଆଇପିଏଲ୍ ର ଉଦଘାଟନୀ ମ୍ୟାଚ୍ ପୂର୍ବ ବର୍ଷର ବିଜେତା ଏବଂ ରନର୍ ଅପ୍ ମଧ୍ୟରେ ହୋଇଥାଏ । ତେଣୁ ଏଥର ଉଦଘାଟନୀ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି ।