
ଭଞ୍ଜନଗର (ଓଡ଼ିଶା ଟୁଡେ): ଦିନିକିଆ ଗଞ୍ଜାମ ଗସ୍ତରେ ଆସିଛନ୍ତି ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ଜିଲ୍ଲାର ବେଲଗୁଣ୍ଠା ଗସ୍ତରେ ଆସି ଏକ ସାଧାରଣ ସଭାକୁ ସମ୍ବୋଧନ କରିଛନ୍ତି ପାଣ୍ଡିଆନ । ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଲ୍ଲେଖ କରିବା ସହ ବିରୋଧୀଙ୍କ ଉପରେ ବର୍ଷିଛନ୍ତି । ବିରୋଧୀଙ୍କୁ ଟାର୍ଗେଟ କରି ୫-ଟି ଅଧ୍ୟକ୍ଷ କହିଛନ୍ତି ଯେ, ଲୋକେ ଆସିବେ, ମଞ୍ଚଉପରେ ଭାଷଣ ଦେଇ ଚାଲିଯିବେ । ମାତ୍ର ସେ ସେପରି ଲୋକ ନୁହଁନ୍ତି । ସେ ଲୋକଙ୍କ ସେବା କରି ଚାଲିଥିବେ ବୋଲି ପାଣ୍ଡିଆନ କହିଛନ୍ତି । ସେ କହିଛନ୍ତି ସେ ଗତଥର ସୋରଡା ଆସିବାବେଳେ ୪୪୦ଟି ଦରଖାସ୍ତ ପାଇଥିଲେ । ସେଥିରୁ ୪୦୦ଟି ସମସ୍ୟାର ସମାଧାନ ହୋଇଛି । ଅବଶିଷ୍ଟ ଦରଖାସ୍ତ ଉପରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯିବ । ବର୍ତ୍ତମାନ ସୁଦ୍ଧା ସ୍ଥାନୀୟ ଅଞ୍ଚଳର ବିକାଶ ଲାଗି ୬୦ କୋଟି ଟଙ୍କା ମଞ୍ଜୁର ହୋଇଛି । ପିପଳପଙ୍କା ଜଳପ୍ରକଳ୍ପ ଲାଗି ୧ ହଜାର କୋଟି ଟଙ୍କା ମଞ୍ଜୁର ହୋଇଛି । ବେଲଗୁଣ୍ଠା ସାଇନସ କଲେଜର ଉନ୍ନତି ଲାଗି ୨କୋଟି ୫୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସୋରଡା ଋଷିକୁଲ୍ୟା କଲେଜ ଲାଗି ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ସୋରଡା ଡିଗ୍ରୀ ଓ ଜୁନିଅର କଲେଜ ଲାଗି ୧ କୋଟି ୯ ୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି । ବେଲଗୁଣ୍ଠା ଓ ସୋରଡାର ସବୁ କଲେଜର ରୂପାନ୍ତରଣ ଲାଗି ଟଙ୍କା ମଞ୍ଜୁର ହୋଇସାରିଛି ।
ବ୍ରାହ୍ମଣ ଦେବୀ ମନ୍ଦିରର ଉନ୍ନତି ଲାଗି ୧ କୋଟି ୧୦ ଲକ୍ଷ ଟଙ୍କା ଏବଂ ମା ଖୁଣ୍ଟେଶ୍ବରୀ ମନ୍ଦିର ଲାଗି ୧ କୋଟି ୯୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି ବୋଲି ସେ କହିଛନ୍ତି । ପିପଳପଙ୍କା ଡ଼୍ୟାମ ଓ ସୋରଡା ଜଳଭଣ୍ଡାର ବିସ୍ଥାପିତଙ୍କ ପଟ୍ଟା ସମସ୍ୟା ସମାଧାନ ହୋଇଛି । ୬୦-୭୦ ବର୍ଷ ଧରି ଲାଗି ରହିଥିବା ସମସ୍ୟାର ଅନ୍ତଘଟିବା ସହ ସମସ୍ତ ବିସ୍ଥାପିତ ପଟ୍ଟା ପାଇଛନ୍ତି ।
ବେଲଗୁଣ୍ଠାର ପିତଳ ମାଛ କାରିଗରୀକୁ ବିଶ୍ବସ୍ତରରେ ପରିଚିତ କରାଯିବ । ଏ ଦିଗରେ ସହଯୋଗ କରିବା ଲାଗି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ଫାଇଭ-ଟି ଅଧ୍ୟକ୍ଷ । ସେ କହିଛନ୍ତି- ମନ୍ଦିର, ମସଜିଦ, ଚର୍ଚ୍ଚ ସମ୍ପର୍କରେ ୨୭ ତାରିଖ ସୁଦ୍ଧା ଖୁସି ଖବର ମିଳିବ । ଯେଉଁମାନେ ଭତ୍ତା ପାଇନାହାନ୍ତି ସେମାନଙ୍କୁ ବି ଖୁବ ଶୀଘ୍ର ଭତ୍ତା ମିଳିବ । ରାଜ୍ୟ ସରକାର ଗର୍ଭବତୀଙ୍କ ଉନ୍ନତି ଲାଗି ମମତା ଯୋଜନା କରିଛନ୍ତି । ଆଗରୁ ଗର୍ଭବତୀଙ୍କୁ ୫ ହଜାର ଟଙ୍କା ମିଳୁଥିବାବେଳେ ବର୍ତ୍ତମାନ ୧୦ ହଜାର ଟଙ୍କା ସେମାନେ ପାଉଛନ୍ତି । ଆଗରୁ କଳାକାର ଓ ବୁଣାକାର ଭତ୍ତା ଥିଲା ୧୨ ଶହ ଟଙ୍କା । ବର୍ତ୍ତମାନ ତାହା ୨ ହଜାର ଟଙ୍କା ହୋଇଛି । ଯୁକ୍ତ ୩ ଛାତ୍ର ଲାଗି ନୂଆ-ଓରେ ୯ ହଜାର ଟଙ୍କା ବୃତ୍ତି ମିଳିବ । ସେହିପରି ଛାତ୍ରୀଙ୍କୁ ୧୦ ହଜାର ଟଙ୍କା ବୃତ୍ତି ମିଳିବ । ୭ ଦିନ ମଧ୍ୟରେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ଯିବ । ବାପାମା’ଙ୍କ ଉପରେ ବୋଝ ହ୍ରାସ ଲାଗି ମୁଖ୍ୟମନ୍ତ୍ରୀଙ୍କ ଏହି ଯୋଜନା ହାତକୁ ନେଇଛନ୍ତି । ବିଜୁ ସ୍ବାସ୍ଥ୍ୟ କଲ୍ଯାଣ ଯୋଜନାରେ ମା’ ମାନଙ୍କୁ ୧୦ ଲକ୍ଷ, ପୁରୁଷଙ୍କୁ ୫ ଲକ୍ଷ ଟଙ୍କାର ସହାୟତା କରାଯାଉଛି । ଯୁବପିଢିଙ୍କୁ ବ୍ୟବସାୟ ଲାଗି ଲକ୍ଷେ ଟଙ୍କାଯାଏ ବିନା ସୁଧରେ ଋଣ ଯୋଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ବେଲଗୁଣ୍ଠା ପ୍ରବାଦପୁରୁଷ ବିଜୁବାବୁ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମମାଟି ବୋଲି କହିଥିଲେ କାର୍ତ୍ତିକ ପାଣ୍ଡିଆନ ।