ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତି, ଆଉ ତିନି ବର୍ଷ ପାଇଁ ବଢିଲା କାଳିଆ ଯୋଜନା, କ୍ୟାବିନେଟ ବୈଠକରେ ଅନୁମୋଦନ

ଭୁବନେଶ୍ବର (ଓଡ଼ିଶା ଟୁଡେ): ଆଜି ରାଜ୍ୟ ସରକାର ଓଡିଶାର ଲୋକପ୍ରିୟ ଯୋଜନା କାଳିଆ କୁ ଆଉ ତିନି ବର୍ଷ ପାଇଁ ବୃଦ୍ଧି କରିଛନ୍ତି। ଆଜି ରାଜ୍ୟ କ୍ୟାବିନେଟରେ ଏହାକୁ ଅନୁମୋଦନ ମିଳିଛି । ଫଳରେ ୨୦୨୫-୨୬-୨୭ ମସିହା ପର୍ଯ୍ୟନ୍ତ ଏହି ଯୋଜନା ଚାଲୁ ରହିବ ।

ଚାଷୀମାନେ ଯେପରି ବାର୍ଷିକ ୧୨୫୦୦ ଟଙ୍କା ଦୁଇଟି କିସ୍ତିରେ ପାଉଥିଲେ ତାହା ଆଉ ତିନି ବର୍ଷ ଦିଆଯିବ । ଏଥିପାଇଁ ରାଜ୍ୟ ରାଜକୋଷରୁ ୬ ହଜାର ୨୯ କୋଟି ୭୦ ଲକ୍ଷ ଟଙ୍କା ବ୍ୟୟ ହେବ। ଏହାକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।

ଆଜି ରାଜ୍ୟ କ୍ୟାବିନେଟର ୭୪ ତମ ବୈଠକ ଲୋକ ସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।

ରାଜ୍ୟ କ୍ୟାବିନେଟ ବୈଠକରେ ନିଷ୍ପତ୍ତି ସଂପର୍କରେ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କ୍ୟାବିନେଟରେ ପାରିତ ହୋଇଥିବା ବିଭିନ୍ନ ପ୍ରସ୍ତାବ ସଂପର୍କରେ ବିଶଦ ସୂଚନା ଦେଇଥିଲେ ।

ଆଜିର କ୍ୟାବିନେଟ ବୈଠକରେ ୧୩ ଟି ବିଭିନ୍ନ ବିଭାଗ ର ୧୬ ଟି ପ୍ରସ୍ତାବ ଆଗତ କରାଯାଇ ଥିଲା ବେଳେ ସମସ୍ତ ପ୍ରସ୍ତାବ ପାରିତ ହୋଇଛି ।  ଅନୁଷ୍ଠିତ ପ୍ରେସ ବିବୃତ୍ତି ସମୟରେ ପ୍ରମୁଖ ଶାସନ ସଚିବ ଡଃ ଅରବିନ୍ଦ କୁମାର ପାଢ଼ୀ, ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, କମିଶନର ତଥା ଶାସନ ସଚିବ ଅଶ୍ୱଥି ଏସ,କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲ ମଧ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *