କଥା ଦେଇ କଥା ରଖିଲେ ମନ୍ତ୍ରୀ ଆରୁଖ; ଶ୍ରେୟ ଭାରତୀୟ ବିକାଶ ପରିଷଦର, ନାଗରିକ କମିଟିର, ମ୍ୟୁନିସିପାଲଟି ହେଉ ବୋଲି ଚାହୁଁଥିବା ପ୍ରତ୍ୟେକ ଭଞ୍ଜନଗର ବାସୀଙ୍କର

ଭଞ୍ଜନଗର (ଓଡ଼ିଶା ଟୁଡେ): ଗତକାଲି ଅର୍ଥମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ପ୍ରତିନିଧି ଭାବେ ଭଞ୍ଜନଗର ନଗରପାଳ ଗୋପବନ୍ଧୁ ମହାପାତ୍ର ଏବଂ ବ୍ଲକ୍ ବିଜେଡି ସଭାପତି ରାଜେନ୍ଦ୍ର ପ୍ରଧାନ ଭଞ୍ଜନଗର ବନ୍ଦ୍ ଡାକରା ଦେଇଥିବା ନାଗରିକ କମିଟି ସଦସ୍ୟଙ୍କୁ ବୁଝା ସୁଝା କରି ବନ୍ଦ୍ ସ୍ଥଗିତ କରିବାକୁ କହିଥିଲେ । ତତ୍ ସହିତ ଦୁଇ ଦିନ ମଧ୍ୟରେ ଭଞ୍ଜନଗର ମ୍ୟୁନିସିପାଲଟି ହେବାକୁ ଯାଉଛି ଏବଂ ସ୍ଥାନୀୟ ମନ୍ତ୍ରୀ ଏ ନେଇ ପ୍ରତିଶ୍ରୁତି ଦେଇଛନ୍ତି ବୋଲି କହିଥିଲେ । ଠିକ୍ ତା ପର ଦିନ ଅର୍ଥାତ୍ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଞ୍ଜନଗର କୁ ମ୍ୟୁନିସିପାଲଟି ମାନ୍ୟତା ପ୍ରଦାନ କରିଛନ୍ତି ।

୨୦୧୯ ମସିହାରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ସୁରେନ୍ଦ୍ର ପାଣିଗ୍ରାହୀ ହାଇକୋର୍ଟ ନିକଟରେ ଆବେଦନ କରିଥିବା ପି ଆଇ ଏଲ୍ ର ଶୁଣାଣି କରି ଭଞ୍ଜନଗର, ଆସ୍କା, ଛତ୍ରପୁର କୁ ତୁରନ୍ତ ମ୍ୟୁନିସିପାଲଟି ମାନ୍ୟତା ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଦୀର୍ଘ ପାଞ୍ଚ ବର୍ଷ ପରେ ଗତ ଫେବୃଆରୀ ୨୪ ତାରିଖରେ ଆସ୍କା ଏବଂ ଛତ୍ରପୁର କୁ ମୁଖ୍ୟମନ୍ତ୍ରୀ ମ୍ୟୁନିସିପାଲଟି ଘୋଷଣା କଲେ । ଭଞ୍ଜନଗର ବାଦ୍ ପଡ଼ିଥିଲା । ଭଞ୍ଜନଗର କୁ ମ୍ୟୁନିସିପାଲଟି ଘୋଷଣା ରୁ ବାଦ୍ ଦେବାକୁ ବିରୋଧ କରି ଭଞ୍ଜନଗର ନାଗରିକ କମିଟି ଗତ ଫେବୃଆରୀ ୨୬ ତାରିଖରୁ ଗଣଧାରଣା ରେ ବସିଥିଲେ । ଏନେଇ ଖବର ପ୍ରସାରଣ କରିଥିଲା ଓଡ଼ିଶା ଟୁଡେ । ଧାରଣାରେ ସୁଫଳ ନ ମିଳିବାରୁ ଗତକାଲି ଭଞ୍ଜନଗର ବନ୍ଦ୍ ଡାକରା ଦେଇଥିଲେ ଭଞ୍ଜନଗର ନାଗରିକ କମିଟି । ସେମାନଙ୍କୁ ସମର୍ଥନ ଦେଇଥିଲେ ଭଞ୍ଜନଗର ଓକିଲ ସଂଘ, ଘୁମୁସର ବଣିକ ସଂଘ, ସାମ୍ବାଦିକ ସଂଘ ଓ ୩୦ ରୁ ଉର୍ଦ୍ଧ୍ବ ସଂସ୍ଥା ଏବଂ ଭଞ୍ଜନଗର ଜନ ସାଧାରଣ । ଗତକାଲି ମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ସମସ୍ତେ ବନ୍ଦ୍ ରୁ ଓହରିଥିଲେ । ଆଜି ମ୍ୟୁନିସିପାଲଟି ଘୋଷଣା ପରେ ସମସ୍ତେ ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏ ନେଇ ସହର ପରିକ୍ରମା ସହ ଧୁମ୍ ଧାମ ରେ ବାଣ ଫୁଟାଇବା ସହ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଜନ ସାଧାରଣ ସ୍ବାଗତ କରିଥିଲେ ।

Leave a Reply

Your email address will not be published. Required fields are marked *