ଗଠନ ହେବ ଏବେ ନୂଆଁ ଓଡ଼ିଶା: ନବୀନ ଯୁଗର ଅବସାନ

ଭୁବନେଶ୍ବର: ଆଜି ଓଡିଶା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ବର୍ତ୍ତମାନ ସୁଦ୍ଧା ଗଣତି ଚାଲିଥିଲେ ମଧ୍ୟ ଯାହା ସ୍ଥିତି ଆସିଛି ତାହା କେହି କେବେ ଭାବି ନ ଥିଲେ। ଏତେ ସଂଖ୍ୟାରେ ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ଲାଭ କରିବେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେହିପରି ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ନବୀନଙ୍କ ବିଜେଡି ଏପରି ବିପର୍ଯ୍ୟୟର ସମ୍ମୁଖୀନ ହେବ।

ବର୍ତ୍ତମାନ ଫଳାଫଳ ଅନୁସାରେ ବିଜେପି 80 ଟି ଆସନରେ ଆଗୁଆ ଥିବା ବେଳେ ବିଜେଡି ମାତ୍ର 50ଟି ଆସନରେ ଆଗୁଆ ରହିଛି। ଓଡିଶାରେ ସରକାର ଗଠନ କରିବା ପାଇଁ ଦରକାର 74ଟି ଆସନ। ଏହି ଆସନରୁ ଢେର ଆଗରେ ରହିଛି ବିଜେପି। ସେହିପରି ଲୋକସଭାରେ ମଧ୍ୟ ବିଜେଡିର ବଡ ବିପର୍ଯ୍ୟୟ ଘଟିଛି। କାରଣ ଏଥିରେ ମଧ୍ୟ ବିଜେଡି ମାତ୍ର ଗୋଟିଏ ଆସନରେ ଆଗରେ ରହିଛି। ବିଜେପି 19ଟି ଆସନରେ ଆଗରେ ଅଛି। ସେହିପରି କଂଗ୍ରେସ ମଧ୍ୟ କୋରାପୁଟରେ ଆଗରେ ଅଛି।

ବର୍ତ୍ତମାନ ବିଜେପି ଯେତିକି ଆସନ ହାସଲ କରିଛି ତାହା ସରକାର ଗଠନ କରିବା ପାଇଁ ଯଥେଷ୍ଠ ହୋଇପାରିଛି। ଯଦି ବିଜେଡି ଆଉ କିଛି ଅଧିକ ଆସନ ଅର୍ଥାତ 65 କିମ୍ବା 70 ପାଖାପାଖି ରହିଥାଆନ୍ତା ତାହା ହେଲେ ହୁଏତ କଂଗ୍ରେସ ସହିତ ମିଶି ସରକାର ଗଠନ କରିଥାଆନ୍ତା। କଂଗ୍ରେସ ବର୍ତ୍ତମାନ 14ଟି ଆସନରେ ଆଗୁଆ ରହିଛି। ବିଜେଡିର 50 ଆସନ ଏବଂ କଂଗ୍ରେସର 14 ଆସନ ମିଶାଇଲେ 64 ହେଉଛି। ସେଥିରେ ସ୍ବାଧୀନ ପ୍ରାର୍ଥୀ 4 ଜଣଙ୍କୁ ଯୋଗ କଲେ 68 ହେଉଛି। ଏତେ ମିଶାମିଶି ପରେ ମଧ୍ୟ ବିଜେଡି ସଂଖ୍ୟା ଗରିଷ୍ଠତା ହାସଲ କରିପାରୁ ନାହିଁ।

ତେଣୁ 25 ବର୍ଷର ବିଜେଡି ସରକାର ବଦଳି ଓଡିଶାରେ ହେବ ବିଜେପି ସରକାର ବର୍ତ୍ତମାନର ଗଣତିରୁ ସ୍ପଷ୍ଟ ହୋଇଯାଇଛି।

Leave a Reply

Your email address will not be published. Required fields are marked *