ବିଜେପି ବିଜୟରେ ଉଲ୍ଲସିତ ଧର୍ମେନ୍ଦ୍ର, ବଜାଇଲେ ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ…. ଉଠୁ ଗତ ଗୌରବ, ହୃତ ଗୌରବ ମୃତ ଗୌରବ ରାଜି’

ଭୁବନେଶ୍ୱର (ଓଡ଼ିଶା ଟୁଡେ): ବିଜେପିର ଓଡ଼ିଶା ବିଜୟ । ୭୮ ସିଟ୍ ରେ ବିଜୟ ଲାଭ କରି ଓଡ଼ିଶାରେ ଶାସନ କରିବାକୁ ଯାଉଛି ବିଜେପି । ଓଡ଼ିଶାରେ ଏଥର ଡବଲ ଇଞ୍ଜିନ ସରକାର । ୨୪ ବର୍ଷର ବିଜେଡି ସରକାରଙ୍କୁ ଶାସନ ଚ୍ୟୁତ କରିବା ପାଇଁ ନେତାଙ୍କ ଠୁ କର୍ମୀ ସମସ୍ତେ ଲାଗି ପଡ଼ିଥିଲେ । ଜନତାଙ୍କ ମଧ୍ୟ ସାଥ ମିଳିଲା ଆଉ ଏବେ ଓଡ଼ିଶାର ଇତିହାସ ଏକ କଡ ଲେଉଟେଇଲା । ଜୁନ ୪, ୨୦୨୪ ଓଡ଼ିଶାର ଇତିହାସରେ ଏକ ଯୁଗର ଅବସାନ ବୋଲି ଲେଖିବ । ଆଉ ଏହି ସମୟରେ ଏହି ଇତିହାସର ମୁଖ୍ୟ ପୁରୋଧା ମାନେ ଖୁସି ହେବେନି କିପରି? ରାଜ୍ୟରେ ଶାସନକୁ ଆସିବାକୁ ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡ଼ିଥିଲା ଆଉ ସେହି ପରିଶ୍ରମ ତା’ ର ରୂପ ନେଇଛି । ୨୦ ଟି ଲୋକସଭା ଆସନ ହାତେଇ କେନ୍ଦ୍ରରେ ମୋଦୀଙ୍କ ହାତକୁ ମଧ୍ୟ ଶକ୍ତ କରିଛି ଓଡ଼ିଶା ବିଜେପି । ବିଜେଡିର ସମସ୍ତେ ସ୍ତବ୍ଧ । ପାଦ ତଳୁ ମାଟି ଖସିଗଲା ପରି ସେମାନେ ଅନୁଭବ କରୁଛନ୍ତି । କିନ୍ତୁ ବିଜେପି ନେତାଙ୍କ ଆନନ୍ଦ କହିଲେ ନସରେ । ଓଡ଼ିଶା ଯେ ଏଥର ନିର୍ବାଚନରେ ଗେରୁଆମୟ ହେବ ଆଉ ଏହିପରି ହେବ ତାହା ସମସ୍ତଙ୍କ କଳ୍ପନା ବାହରେ ଥିଲା । ବିଜେପି ବିଜୟ ପରେ ଧର୍ମେନ୍ଦ୍ର ପ୍ରଧାନ ପଣ୍ଡିତ ଗୋଦାବରୀଶ ମହାପାତ୍ରଙ୍କ ‘ଉଠ କଙ୍କାଳ ଛିଡ଼ୁ ଶୃଙ୍ଖଳ…’ ଗୀତକୁ ସାମ୍ବାଦିକ ସମ୍ମିଳନୀରେ ବଜାଇ ଉତ୍ସାହ ଜାହିର କରିଛନ୍ତି । ପାଖରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଉପସ୍ଥିତ ଥିଲେ । ଉଭୟ ନେତା ପରସ୍ପରକୁ ଲଡୁ ମଧ୍ୟ ଖୁଆଇଛନ୍ତି । ପଣ୍ଡିତ ଗୋଦାବରୀଶଙ୍କ ଏହି ଲେଖାଟି ସେତେବେଳେ ଓଡିଶାବାସୀଙ୍କୁ ଉତ୍ତେଜିତ କରିଥିଲା ଗୋଲାମୀ ଶାସନର ଜବାବ ଦେବା ପାଇଁ । ଏବେ ଏକ ଦୁର୍ନୀତି ଖୋର୍ ସରକାରର ଅନ୍ତ ଘଟାଇ ଓଡ଼ିଶାର ପୂର୍ବ ଗୌରବ ଓଡ଼ିଶାବାସୀ ଫେରାଇ ଆଣିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି ।

Leave a Reply

Your email address will not be published. Required fields are marked *