
ଗଞ୍ଜାମ: ଚିକିଟି ମଦ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀଙ୍କୁ ଅପସାରଣ ପାଇଁ ମନ୍ତ୍ରୀ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି ବ୍ରହ୍ମପୁର ଅବକାରୀ ଅଧୀକ୍ଷକ ପ୍ରଦୀପ ପାଣିଗ୍ରାହୀ ହଟିଥିବାବେଳେ ବେଳେ ଗୁରୁବାର ୨ ଅଧିକାରୀଙ୍କୁ ବଦଳି କରାଯାଇଛି। ବ୍ରହ୍ମପୁର ଅବକାରୀ ଇନ୍ସପେକ୍ଟର ଓ ଏସଆଇଙ୍କ ବଦଳି ହୋଇଛି। ଅବକାରୀ ଇନ୍ସପେକ୍ଟର ରମେଶ ଚନ୍ଦ୍ର ମହାନ୍ତି କୋରାପୁଟକୁ ବଦଳି ହୋଇଥିବା ବେଳେ ଏସଆଇ ପ୍ରସନ୍ନ କୁମାର ଜାଲିଙ୍କୁ ଢେଙ୍କାନାଳକୁ ବଦଳି କରାଯାଇଛି ।
ବେଆଇନ ମଦ କାରବାର କେବେ ବି ଗ୍ରହଣୀୟ ନୁହେଁ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ବେଆଇନ ତଥା ଚୋରା ମଦ କାରବାରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ମନ୍ତ୍ରୀ ଗୁରୁତ୍ବାରୋପ କରିଛନ୍ତି ।
ବେଆଇନ ମଦ ଭାଟି ଏବଂ ବିକ୍ରି ସ୍ଥାନରେ ଚଢ଼ାଉ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଚିକିଟି ମଦ ଟ୍ରାଜେଡିକୁ ନେଇ ହଇଚଇ ପରେ ରାଜ୍ୟବ୍ୟାପି ଚଢ଼ାଉ ଜାରି ରହିଛି ।
ଗତକାଲି ସନ୍ଧ୍ୟା ସୁଦ୍ଧା ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୭ ହଜାର ୨୭୪ ଲିଟର ବେଆଇନ ମଦ ଜବତ କରାଯିବା ସହ ୭୨ ଜଣଙ୍କୁ ଗିରଫ କରାଯାଇଥିଲା। ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୩୮୫ ଲିଟର ମଦ ଜବତ କରାଯାଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।