ଜେଲେନସ୍କିଙ୍କୁ ମୋଦୀ ଉପହାରରେ ଦେଇଥିବା ଭୀଷ୍ମ କ୍ୟୁବ୍ କଣ ଜାଣିଛନ୍ତି କି?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ୟୁକ୍ରେନର କିଭ୍ ଠାରେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କୁ ସାକ୍ଷାତ କରିଥିଲେ । ଉଭୟ ନେତାଙ୍କ ମଧ୍ୟରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ସେଗୁଡ଼ିକ ହେଲା କୃଷି ଓ ଖାଦ୍ୟ ଉଦ୍ୟୋଗ କ୍ଷେତ୍ରରେ ସହଯୋଗ ରାଜିନାମା, ମେଡିକାଲ ଉତ୍ପାଦ ନିୟନ୍ତ୍ରଣ କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର, ଉଚ୍ଚ ପ୍ରଭାବଶାଳୀ ଗୋଷ୍ଠୀ ଉନ୍ନୟନ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ଭାରତୀୟ ମାନବିକ ଅନୁଦାନ ସହାୟତା ଉପରେ ବୁଝାମଣାପତ୍ର, ଏବଂ ୨୦୨୪-୨୦୨୮ ପାଇଁ ସାଂସ୍କୃତିକ ସହଯୋଗ କାର୍ଯ୍ୟକ୍ରମ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକ୍ରେନ୍ ସରକାରଙ୍କୁ ଚାରିଟି ଭୀଷ୍ମ (ଭାରତ ହେଲଥ ଇନିସିଏଟିଭ୍ ଫର୍ ସହଯୋଗ ହିତ ଏବଂ ମୈତ୍ରୀ) କ୍ୟୁବ୍ ପ୍ରଦାନ କରିଥିଲେ | 

ତେବେ ଆପଣ ଜାଣନ୍ତି କି ଏହି ଭୀଷ୍ମ କ୍ୟୁବ୍ କଣ? 
ଆହତଙ୍କ ଶୀଘ୍ର ଚିକିତ୍ସା କରିବା ସହ ମୂଲ୍ୟବାନ ଜୀବନ ବଞ୍ଚାଇବାରେ ଏହା ସହାୟକ ହେବ। ପ୍ରତ୍ୟେକ ଭୀଷ୍ମ କ୍ୟୁବ୍ ରେ ସମସ୍ତ ପ୍ରକାର ଆଘାତ ଏବଂ ଚିକିତ୍ସା ପରିସ୍ଥିତି ପାଇଁ ପ୍ରାଥମିକ ଯତ୍ନ, ଔଷଧ ଏବଂ ଉପକରଣ ଆଦି ରହିଛି । ଏଥିରେ ଏକ ସାଧାରଣ ଅପରେସନ୍ ରୁମ୍ ପାଇଁ ଅସ୍ତ୍ରୋପଚାର ଉପକରଣ ମଧ୍ୟ ଅନ୍ତର୍ଭୁକ୍ତ ଯାହା ଦୈନିକ ୧୦-୧୫ଟି ଛୋଟକାଟର ଅସ୍ତ୍ରୋପଚାର ପରିଚାଳନା କରିପାରିବ । ଆଘାତ, ରକ୍ତସ୍ରାବ, ପୋଡ଼ି, ହାଡ଼ ଭାଙ୍ଗିବା ଇତ୍ୟାଦି ଜରୁରୀକାଳୀନ ପରିସ୍ଥିତିରେ ବିଭିନ୍ନ ପ୍ରକୃତିର ପ୍ରାୟ ୨୦୦ ଟି ମାମଲାକୁ ସମ୍ଭାଳିବା ପାଇଁ କ୍ୟୁବ୍ ର କ୍ଷମତା ରହିଛି । ଏହା ମଧ୍ୟ ସୀମିତ ପରିମାଣରେ ନିଜର ଶକ୍ତି ଏବଂ ଅମ୍ଳଜାନ ଉତ୍ପାଦନ କରିପାରିବ । 

Leave a Reply

Your email address will not be published. Required fields are marked *