କଥା ଦେଲେ ସାଂସଦ: ଧର୍ମଗଡ଼ ସହରଠୁ ୭କିମି ମଧ୍ୟରେ ହେବ ରେଳଷ୍ଟେସନ୍‌

ଧର୍ମଗଡ: କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼କୁ ରେଳଲାଇନ୍‌ ସଂପ୍ରସାରଣ ହେବ। ଏହି ସହର ଠାରୁ ୭କିଲୋମିଟର ମଧ୍ୟରେ ରେଳଷ୍ଟେସନ ପ୍ରତିଷ୍ଠା କରାଯିବ। ଧର୍ମଗଡ଼ ଗସ୍ତକାଳରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀ ଶନିବାର ଏହା କହିଛନ୍ତି। ସାଂସଦଙ୍କ ଏହି ପ୍ରତିଶ୍ରୁତି ଫଳରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ନୂଆ ଆଶା ସଂଚାର ହୋଇଛି । 

ଆଜି ଏଠାରେ ନବରଙ୍ଗପୁରର ସାଂସଦ ବଳଭଦ୍ର ମାଝୀଙ୍କୁ ଧର୍ମଗଡ଼ ନାଗରିକ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଏହି ଅବସରରେ ଜୁନାଗଡ ଠାରୁ ନବରଙ୍ଗପୁରକୁ ସମ୍ପ୍ରସାରିତ ହେଉ ଥିବା ନୂତନ ରେଳଲାଇନକୁ ପ୍ରସ୍ତାବିତ ଧର୍ମଗଡ ରେଳଷ୍ଟେସନ ଧର୍ମଗଡ ସହର ଠାରୁ ୭ କିମି ମଧ୍ୟରେ କରିବାକୁ ଉପସ୍ଥିତ ଜନସାଧାରଣ ସାଂସଦ ଶ୍ରୀ ମାଝୀଙ୍କୁ ଅନୁରୋଧ କରିଥିଲେ। ଉପସ୍ଥିତ ଲୋକଙ୍କ ଭାବାବେଗକୁ ଦେଖି ସାଂସଦ ଶ୍ରୀ ମାଝୀ କହିଥିଲେ, ଏହି ପ୍ରସଙ୍ଗରେ ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, କଳାହାଣ୍ଡି ସାଂସଦ ମାଲବିକା ଦେଓ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀଙ୍କ ସହିତ ଆଗରୁ ଆଲୋଚନା କରିଛି। ଧର୍ମଗଡ ସହର ଠାରୁ ୭ କିଲୋମିଟର ମଧ୍ୟରେ ପ୍ରସ୍ତାବିତ ଧର୍ମଗଡ ରେଳ ଷ୍ଟେସନ ପ୍ରତିଷ୍ଠା ହେବ । 

ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସିଟିଜେନ୍‌ ଫୋରମ୍‌ର ଆବାହକ ତୁଷାର ରଞ୍ଜନ ପଟଯୋଶୀ, ବିଜେପି କେନ୍ଦ୍ରୀୟ ପରିଷଦ ସଦସ୍ୟ ଧନଞ୍ଜୟ ପାତ୍ର, ଧର୍ମଗଡ ନଗରପାଲ ଅଶୋକ ମହାନ୍ତି, ଜଗନ୍ନାଥ ସେବା ସମିତି ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଧର୍ମଗଡ ଓକିଲ ସଂଘ, ସାମ୍ୱାଦିକ ସଂଘ, ବ୍ୟବସାୟୀ ସଂଘ, ନିଖିଳ ଓଡ଼ିଶା ଅନୁସୂଚିତ ଜାତି ଫେଡେରେସନ, ଶିକ୍ଷକ ସଂଘ, ମାରୱାଡି ମହିଳା ସମିତି, ସମେତ ଅନ୍ୟାନ୍ୟ ସଙ୍ଗଠନର ଶତାଧିକ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଲକ୍ଷ୍ମୀକାନ୍ତ ବାଗ ପରିଚାଳନା କରି ଥିବା ବେଳେ ବଙ୍କିମ ଚନ୍ଦ୍ର ସାଗର ଧନ୍ୟବାଦ ଅର୍ପଣ କରିଥିଲେ ।

ସୂଚନାଯୋଗ୍ୟ ସାଂସଦ ଶ୍ରୀ ମାଝୀ ସାଂସଦ ହେବା ପୂର୍ବରୁ ରେଳବାଇରେ ମୂଖ୍ୟ ଯନ୍ତ୍ରୀ ଥିଲେ। ରେଲୱେ ଲାଇନ ସଂଯୋଗୀକରଣ ବିଷୟରେ ତାଙ୍କର ବେଶ୍ ଅଭିଜ୍ଞତା ଥିବାରୁ ଧର୍ମଗଡ଼ବାସୀଙ୍କ ଦୀର୍ଘ ଦିନର ଆଶା ପୂରା ହେବ ବୋଲି କୁହାଯାଉଛି । 

Leave a Reply

Your email address will not be published. Required fields are marked *