
କଟକ: ଦେଶରେ କଳା ଟଙ୍କା କାରବାର ସ˚ପର୍କରେ ତଦନ୍ତ କରୁଥିବା ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (ଏସ୍ଆଇଟି)ର ବୈଠକରେ ଆଜି ଭିଜିଲାନ୍ସ ମାମଲା, ନିଶା କାରବାରରେ କଳାଟଙ୍କା, ଜିଏସ୍ଟି ଠକେଇ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆଜି ଏସ୍ଆଇଟିର ବୈଠକ ପରେ ଉପାଧୢକ୍ଷ ଜଷ୍ଟିସ ଅରିଜିତ ପଶାୟତ କହିଛନ୍ତି ଯେ ଭିଜିଲାନ୍ସ ମାମଲାର ଅଧିକ ଦୁଇଟି ଦିଗ ରହିଛି। ଯେଉଁଠି ଭିଜିଲାନ୍ସ ମାମଲାରେ ଜଣେ ଅଧିକାରୀ ଧରା ପଡ଼ୁଛନ୍ତି ଓ ବିପୁଳ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରାଯାଉଛି ସେଠାରେ ଆୟକର ଦିଗ ମଧ୍ୟ ଯାଞ୍ଚ ହେବା ଉଚିତ। ଏଥି ସହିତ ବେଆଇନ ଅର୍ଥ କାରବାର ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମଧ୍ୟ ଯାଞ୍ଚ କରିବା ଆବଶ୍ୟକ। ଏହା ଦ୍ବାରା ଭିଜିଲାନ୍ସ ମାମଲାରେ ଧରାପଡ଼ିଥିବା ସରକାରୀ ଅଧିକାରୀଙ୍କ ଅପ୍ରକାଶିତ ଆୟ ବା କଳାଧନ ଉପରେ ଆୟକର, ଜରିମାନା ଆଦାୟ ସହିତ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ। ଦୁର୍ନୀତି ନିବାରଣ ଆଇନରେ ମାମଲା ହେଲେ ସଂପୃକ୍ତ ତଥ୍ୟ ଅନ୍ୟ ବିଭାଗକୁ ପ୍ରଦାନ କରାଯିବା ଉଚିତ। ଫଳରେ ଆୟକର ଓ ଇଡି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ।
ଭିଜିଲାନ୍ସ ମାମଲାରେ ଚଢ଼ଉ ବେଳେ ଆୟକର, ଇଡି ଓ ଅନ୍ୟ ବିଭାଗକୁ ମଧ୍ୟ ସାମିଲ କରାଯିବା ପ୍ରସଙ୍ଗରେ ଆଜି ବୈଠକରେ ବିଶେଷ ଭାବେ ଆଲୋଚନା ହୋଇଛି। ଯେଉଁଠି ଚଢ଼ଉ ବେଳେ ଅନ୍ୟ ଏଜେନ୍ସିକୁ ସାମିଲ ସମ୍ଭବ ନୁହେଁ ସେଠାରେ ପରବର୍ତ୍ତୀ ସମୟରେ ଅନ୍ୟ ଏଜେନ୍ସିକୁ ତୁରନ୍ତ ତଥ୍ୟ ପ୍ରଦାନ ଉପରେ ଗୁରୁତ୍ବାରୋପ କରାଯାଇଛି। ଭିଜିଲାନ୍ସ, ଆୟକର, ଇଡି ଓ ଅନ୍ୟ ବିଭାଗଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରି ଓ ମିଳିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ଏକ ବାର୍ତ୍ତା ବାହାରକୁ ଯିବ। ଯାହା ଦ୍ବାରା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମନରେ ଭୟ ସୃଷ୍ଟି ହେବ। ସେହିଭଳି ଭାବେ ଅନ୍ଲାଇନ କାରବାର, କ୍ରିପ୍ଟୋ କରେନ୍ସି, ସାଇବର ଅପରାଧ, ଅନ୍ ଲାଇନ ଗ୍ୟାମ୍ବଲିଂ ଭଳି ପ୍ରସଂଗରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି। ଜିଏସ୍ଟି ଠକେଇ ଘଟଣା ଦେଶରେ ବୃଦ୍ଧି ପାଉଥିବା ବେଳେ ଏ ନେଇ ବିଭିନ୍ନ ଏଜେନ୍ସି ଗ୍ରହଣ କରିଥିବା ପଦକ୍ଷେପ ସଂକ୍ରାନ୍ତରେ ବୈଠକରେ ତଥ୍ୟ ଉପସ୍ଥାପନ କରାଯାଇଥିଲା। ନିକଟରେ ଭୁବନେଶ୍ବର ବିମାନବନ୍ଦରରୁ ୮୭ କେଜି ସୁନା ଓ ୨ଶହ କେଜି ରୁପା ଜବତ ଘଟଣା ସଂପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। କିଛି ବର୍ଷ ପୂର୍ବେ ନାର୍କୋଟିକ୍ସରେ କଳାଧନ କଥା କେହି ଚିନ୍ତା କରୁ ନଥିଲେ ।
ପୂର୍ବରୁ ସ୍ବର୍ଣ୍ଣ ଅଳଙ୍କାର ଓ ରିୟଲ ଇଷ୍ଟେଟରେ ଏପରି କଳାଧନ ଥିଲା। କିନ୍ତୁ ବର୍ତ୍ତମାନ ବିଚଳିତ କରିବା ଭଳି ପ୍ରସଙ୍ଗ ହେଉଛି ନିଶା କାରବାରରେ କଳାଟଙ୍କା। ଭାରତବର୍ଷରେ ନିଶା କାରବାର ଗୁରୁତର ସମସ୍ୟା ସୃଷ୍ଟି କରିଛି ବୋଲି ଏନ୍ସିବି ତଥ୍ୟରୁ ସ୍ପଷ୍ଟ ହୋଇଥିଲା। ନିକଟରେ ତିନି ହଜାର କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଥିଲା। ଆଉ ୧୫ ଦିନରୁ ଏକ ମାସ ଭିତରେ ସୁପ୍ରିମକୋର୍ଟରେ ପରବର୍ତ୍ତୀ ରିପୋର୍ଟ ଏସ୍ଆଇଟି ପକ୍ଷରୁ ଦାଖଲ କରାଯିବ ବୋଲି ଉପାଧ୍ୟକ୍ଷ ଜଷ୍ଟିସ ପାଶାୟତ ଆଜି ସୂଚନା ଦେଇଛନ୍ତି। ଏସ୍ଆଇଟି ଉପାଧୢକ୍ଷ ଜଷ୍ଟିସ୍ ପଶାୟତଙ୍କ ଅଧୢକ୍ଷତାରେ ତାଙ୍କ ତେଲେଙ୍ଗାବଜାରସ୍ଥିତ ବାସଭବନରେ ଅନୁଷ୍ଠିତ ବୈଠକରେ ଇଡିର ନିର୍ଦ୍ଦେଶକ ରାହୁଲ ନବୀନ, ଉପନିର୍ଦ୍ଦେଶକ, ଭିଜିଲାନ୍ସ ନିର୍ଦ୍ଦେଶକ ୱାଇ.କେ.ଜେଠୱା, କ୍ରାଇମବ୍ରାଞ୍ଚ ଆଇଜି, ଏନ୍ସିବି ଡିଡିଜି, ଆରବିଆଇ ଡିଜିଏମ୍, ସିବିଡିଟି ଅଧ୍ୟକ୍ଷ, ସିଟି ଜିଏସ୍ଟି ଯୁଗ୍ମ କମିସନର ଓ ଅନ୍ୟ ଏଜେନ୍ସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।