ରେଭେନ୍‌ସା ନାମ ପରିବର୍ତ୍ତନକୁ ବିରୋଧ: କଟକ ରାସ୍ତାରେ ମଶାଲ ଶୋଭାଯାତ୍ରା

କଟକ: ରେଭେନ୍‌ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ବିରୋଧ କରି ଆଜି କଟକ ରାସ୍ତାରେ ଏକ ମଶାଲ ଶୋଭାଯାତ୍ରା ଆୟୋଜନ କରାଯାଇଛି। ରେଭେନ୍‌ସାର ଶତାଧିକ ପୁରାତନ ଓ ବର୍ତ୍ତମାନ ଛାତ୍ର ଏହି ଶୋଭାଯାତ୍ରାରେ ସାମିଲ ହୋଇ ରେଭେନ୍‌ସା ବିଶ୍ବବିଦ୍ୟାଳୟ ପରିକ୍ରମା କରିବା ପରେ କଲେଜ ଛକରୁ ରାଣୀହାଟ କ୍ଲକ୍ ଟାୱାର ଛକ ପର୍ଯ୍ୟନ୍ତ ଯାଇଥିଲେ। ପୁରାତନ ଛାତ୍ରଙ୍କୁ ନେଇ ଗଠିତ ‘ସେଭ୍‌ ରେଭେନ୍‌ସା ଲିଗାସି’ ପକ୍ଷରୁ ମଶାଲ ଶୋଭାଯାତ୍ରା ସହ ରଭେନ୍‌ସା ଲେନ୍‌ରେ ଦସ୍ତଖତ ଅଭିଯାନ, ବୈଠକ ଓ ଛାତ୍ର କଂଗ୍ରେସ, ଡିଏସ୍‌ଓ ଭଳି ସଙ୍ଗଠନ ପକ୍ଷରୁ ବିକ୍ଷୋଭ ଆଜି ରେଭେନ୍‌ସା ପରିସରକୁ ସରଗରମ କରିଛି। ଅନ୍ୟପଟେ ବିଶ୍ବବିଦ୍ୟାଳୟ ପରିସରରେ ସଂଧ୍ୟା ପରେ ଅଣଛାତ୍ରଙ୍କ ପ୍ରବେଶକୁ ବିରୋଧ କରି ଏବିଭିପିର ସଦସ୍ୟମାନେ ଗେଟ୍ ସମ୍ମୁଖରେ ଧାରଣା ଦେବା ଘଟଣା ଉତ୍ତେଜନାର କାରଣ ହୋଇଛି ।

ପୁରାତନ ଛାତ୍ରଙ୍କୁ ନେଇ ଗଠନ ହେଲା ‘ସେଭ୍‌ ରେଭେନ୍‌ସା ଲିଗାସି’
ଅଣଛାତ୍ର ପ୍ରବେଶକୁ ବିରୋଧ କରି ଏବିଭିପିର ଧାରଣା

ରେଭେନ୍‌ସା ନାମ ପରିବର୍ତ୍ତନକୁ ବିରୋଧ କରି ଆଜି ଅପରାହ୍ଣରେ ବିଶ୍ବବିଦ୍ୟାଳୟ ସମ୍ମୁଖ ଲେନ୍‌ରେ ପୁରାତନ ଛାତ୍ରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ରେଭେନ୍‌ସାର ଗୌରବମୟ ଇତିହାସକୁ ନେଇ ପୁରାତନ ଛାତ୍ରମାନେ ମତ ଦେବା ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ବକ୍ତବ୍ୟକୁ ବିରୋଧ କରିଥିଲେ। ନାମ ପରିବର୍ତ୍ତନ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଫେରାଇ ନେବା ସହ ରାଜ୍ୟବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିବାକୁ ଦାବି ହୋଇଥିଲା। ଆଗାମୀ ଦିନରେ ଏହାକୁ ନେଇ ଛାତ୍ର ଆନ୍ଦୋଳନ ତୀବ୍ର କରାଯିବ ବୋଲି ପୁରାତନ ଛାତ୍ରଙ୍କ ପକ୍ଷରୁ ଚେତାବନୀ ଦିଆଯାଇଥିଲା। ଏହା ପରେ ସଂଧ୍ୟାରେ ୫ଶହରୁ ଅଧିକ ପୁରାତନ ଓ ବର୍ତ୍ତମାନର ଛାତ୍ରଛାତ୍ରୀଙ୍କୁ ନେଇ ଏକ ମଶାଲ ଶୋଭାଯାତ୍ରା ବାହାରିଥିଲା। ଏହି ଅବସରରେ ରେଭେନ୍‌ସା ଲେନ୍‌ରେ ଏକ ଦସ୍ତଖତ ଅଭିଯାନ ଆୟୋଜନ ହୋଇଥିଲା। ମଶାଲ ଶୋଭାଯାତ୍ରାରେ ବିଧାୟକ ବ୍ୟୋମକେଶ ରାୟ, ତପନ ମିଶ୍ର, ସୁଦର୍ଶନ ଦାସ, ଲେଲିନ ମହାନ୍ତି, ଧର୍ମେଶ ନାୟକ, ବଦ୍ରି ନାରାୟଣ ମହାନ୍ତି, ଶିଶିର ପରିଜା, ହରିଶଙ୍କର ରାଉତ, ଜିନେସ୍‌ ଦାସ, ବିଶ୍ୱରାଜ ନାୟକ, ନନ୍ଦଲାଲ ସିଂହ, ନସିମ୍‌ ସରକାର, ସିଦ୍ଧାର୍ଥ ରଥ, ଚିନ୍ମୟ ଦାସ, ନିସିଥ୍‌ କରଣ, ଗଣେଶ ତ୍ରିପାଠୀ, ଭଗ୍ୟରବି ଦାସ, ବବି ବଳବନ୍ତରାୟ, ପ୍ରିୟବ୍ରତ ମାଝୀ, ଆସିଫ ଅମିନ, ଅବିନାଶ ମହାନ୍ତି, ସଞ୍ଜୀବ ପୃଷ୍ଟି, ସିଦ୍ଧାର୍ଥ କୁମାର ନାୟକ, ସୁମନ ବେହେରା, ଭବାନୀ ଶଙ୍କର ଦାସ, ସିଦ୍ଧାର୍ଥ ଶେଖର, ଅଶୋକ ତାଣ୍ଡିଙ୍କ ଭଳି ପୂର୍ବତନ ଛାତ୍ରନେତା ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *