
ଭୁବନେଶ୍ବର: ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ (ବିଆଇପିଏଫ) ପକ୍ଷରୁ ‘ଦସରା’ ସହଭାଗିତାରେ ବାର୍ଷିକ ସମ୍ମିଳନୀ ଆଇଡିଏଟ୍-୨୦୨୪ ଅନୁଷ୍ଠିତ ହୋଇଯାଇଛି। ‘ଉତ୍କଳ ଉଦ୍ୟମ-ଜଳବାୟୁ ସ୍ଥାୟିତ୍ବର ସୁଦୃଢ଼ୀକରଣ ପାଇଁ ଗୋଷ୍ଠୀ କୈନ୍ଦ୍ରୀକ ବିକାଶ’ ବିଷୟ ଉପରେ ଆଧାରିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ସମାରୋହରେ ବିଆଇପିଏଫ୍ର ଟ୍ରଷ୍ଟି ତଥା ସିଇଓ ଶୈଫାଳିକା ପଣ୍ଡା କହିଛନ୍ତି ଯେ ଆଞ୍ଚଳିକ ସ୍ତରରେ ଉପଲବ୍ଧ ଜ୍ଞାନ ଓ ଅଭିଜ୍ଞତାକୁ ବ୍ୟବହାର କରି ପ୍ରଭାବଶାଳୀ ରଣନୀତି ପ୍ରସ୍ତୁତ କରାଯାଇପାରିବ। ପରିବେଶ ସମସ୍ୟା ସମାଧାନ ଦିଗରେ ନେତୃତ୍ବ ନେବାର କ୍ଷମତା ଓଡ଼ିଶାର ରହିଛି। ବୋଷ୍ଟନ୍ ୟୁନିଭରସିଟି ଫର୍ ଗ୍ଲୋବାଲ୍ ସଷ୍ଟେନେବିଲିଟିର ନିର୍ଦ୍ଦେଶକ ବେଞ୍ଜାମିନ ସୋଭାକୁଲ କହିଛନ୍ତି ଯେ ଏସିଆର ଲୋକମାନେ ଜଳବାୟୁକୁ ପ୍ରକୃତି, ସଂସ୍ଥାଗତ ଓ ସୂଚନା ଆଧାରରେ ଗ୍ରହଣ କରୁଥିବାରୁ ଆଗାମୀ ଦିନରେ ତାହା ଲୋକମାନଙ୍କ ସୁରକ୍ଷାରେ ସହାୟକ ହେବ ବୋଲି ସେ କହିଛନ୍ତି। ପରିବେଶ ଲାଗି ସମସ୍ତଙ୍କୁ ଏକଜୁଟ ହେବାର ସମୟ ଆସିଛି ବୋଲି କାର୍ଯ୍ୟକ୍ରମର ବକ୍ତାମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।
ସମସ୍ତେ ଏକଜୁଟ ହେବାର ସମୟ ଆସିଛି
ଏହି ଅବସରରେ ଅନୁଷ୍ଠିତ ‘ଜଳବାୟୁ ସ୍ଥିରତା ପାଇଁ ତୃଣମୂଳ ସ୍ତରର ଜ୍ଞାନ ବ୍ୟବହାର’ ଶୀର୍ଷକ ପ୍ୟାନେଲ୍ ଆଲୋଚନାରେ ‘ସମ୍ବାଦ’ ସମ୍ପାଦକ ତନୟା ପଟ୍ଟନାୟକ ଯୋଗଦେଇ କହିଥିଲେ, ପରିବେଶରେ ଘଟୁଥିବା ସମସ୍ତ ପରିବର୍ତ୍ତନ ସମ୍ପର୍କରେ ତୃଣମୂଳ ସ୍ତରଠାରୁ ଆରମ୍ଭ କରି ନୀତି ନିର୍ଧାରକଙ୍କ ପର୍ଯ୍ୟନ୍ତ ସମସ୍ତେ ଅବଗତ ହେବା ଆବଶ୍ୟକ। ଗଣମାଧ୍ୟମ ଭାବେ ପରିବେଶ ପ୍ରତି ଆମର କର୍ତ୍ତବ୍ୟକୁ ହୃଦ୍ବୋଧ କରି ଆମେ ‘ପୁନଶ୍ଚ ପୃଥିବୀ’ ନାମରେ ତିନି ବର୍ଷ ହେବ ଏକ ଅଭିଯାନ ଆରମ୍ଭ କରିଛୁ। ଏକ ସ୍ବତନ୍ତ୍ର ପରିବେଶ ଡେସ୍କ ଗଠନ କରାଯାଇଛି। ସମ୍ବାଦ ଓ କନକ ନିଉଜର୍ ସମସ୍ତ ସାମ୍ବାଦିକ ଏଥିପାଇଁ ଯୋଗଦାନ ଦେଉଛନ୍ତି। ଆଗାମୀ ଦିନରେ ୫୦୦ ପରିବେଶ ସାମ୍ବାଦିକ ଗଢ଼ିବାକୁ ଆମେ ଆଶା ରଖିଛୁ। ୧୪୭ ବିଧାୟକ ଏବଂ ବିଭିନ୍ନ ଅଞ୍ଚଳର ଯୁବଗୋଷ୍ଠୀ, ମହିଳା ଓ ବୁଦ୍ଧିଜୀବୀମାନଙ୍କୁ ନେଇ ପରିବେଶ ପଞ୍ଚାୟତ ଆୟୋଜନ କରାଯାଉଛି। ସମସ୍ତେ ସଚେତନ ହେଲେ ଆଗାମୀ ଦିନରେ ଯେଉଁ ନିୟମ ପ୍ରଣୟନ ହେବ ତାହା ପରିବେଶ ଅନୁକୂଳ ହେବ। ଆମେ କେବଳ ସମସ୍ୟା ଓ ସମାଧାନ ଭିତରେ ଯୋଗସୂତ୍ର ଭାବେ କାର୍ଯ୍ୟ କରୁଛୁ ବୋଲି ସେ କହିଛନ୍ତି ।
ଏହି ଆଲୋଚନାଚକ୍ରରେ ରେନ୍ମ୍ୟାଟର୍ ଫାଉଣ୍ଡେସନର ସିଇଓ ସମୀର ସିସୋଦିଆ ଏକ ସହଭାଗୀ ପରିବେଶ ଗଠନ କରିବାର ଆବଶ୍ୟକତା ଉପରେ ଆଲୋକପାତ କରି ସହଯୋଗୀ ପଦକ୍ଷେପ ଜଳବାୟୁ ସମ୍ପର୍କିତ କାର୍ଯ୍ୟପନ୍ଥା ପାଇଁ ନିହାତି ଆବଶ୍ୟକ ବୋଲି କହିଥିଲେ। ମ୍ୟାକ୍ଆର୍ଥର ଫାଉଣ୍ଡେସନ୍ର ଉପ ନିର୍ଦ୍ଦେଶକ ଜର୍ଣ୍ଣେଲ ସିଂହ ଲୋକାଲାଇଜେସନର ଗୁରୁତ୍ବ ଉପରେ ଆଲୋକପାତ କରି ଆଞ୍ଚଳିକ ସ୍ତରରେ ଉଭୟ ଦୀର୍ଘସ୍ଥାୟୀ ଓ ପ୍ରଭାବୀ ସମାଧାନକୁ ପରିଚାଳିତ କରିବାରେ ରାଷ୍ଟ୍ର ଆଧାରିତ ରଣନୀତିର ଗୁରୁତ୍ବପୂର୍ଣ ଭୂମିକା ରହିଛି ବୋଲି କହିଥିଲେ। ସୋକ୍ରାଟସ ଫାଉଣ୍ଡେସନ୍ର କାର୍ଯ୍ୟକ୍ରମ ନିର୍ଦ୍ଦେଶକ ଦେବଜିତ୍ ମିତ୍ରା ଯୋଗଦେଇ ଜନ ଜ୍ଞାନ ସମ୍ପଦ ଭଳି ବିଭିନ୍ନ ବିଷୟ ଉପରେ ଆଲୋକପାତ କରିଥିଲେ। ସମ୍ଭବର ସହ-ପ୍ରତିଷ୍ଠାତା ସାବରମତି କହିଥିଲେ ଯେ ପରିବେଶ ବିଷୟରେ ଅଶି ଦଶକରେ କେହି ଜାଣି ନଥିଲେ। ମୋ ବାପା ସେବେଠାରୁ ଏହି ଦିଗରେ ଚିନ୍ତା କରି ଲୋକଙ୍କୁ ସଚେତନ କରାଇବାକୁ ଚେଷ୍ଟା କରିଥିଲେ ।
ଦସରାରେ କ୍ଲାଇମେଟ୍ ରାଇଜ୍ର ନିର୍ଦ୍ଦେଶକ ପାର୍ନାଶା ବାନାର୍ଜୀ ଆଲୋଚନାଚକ୍ରକୁ ପରିଚାଳନା କରିଥିଲେ। ଦ୍ବିତୀୟ ଅଧିବେଶନରେ ୟୁଏନ୍ଡିପି ଇଣ୍ଡିଆ ଓଡ଼ିଶା କାର୍ଯ୍ୟାଳୟର ମୁଖ୍ୟ ଆରା ମିଶ୍ର, ମହିଳା ହାଉସିଂ ଟ୍ରଷ୍ଟର ନିର୍ଦ୍ଦେଶକ ବିଜଲ ବ୍ରହ୍ମଭଟ୍ଟ, ଜଳବାୟୁ ଚାମ୍ପିଅନ୍ ମଧୁସ୍ମିତା ପରିଡ଼ା ଜଳବାୟୁ ସ୍ଥାୟିତ୍ବ ଉପରେ ଆଲୋଚନା କରିଥିଲେ। ଏଥିରେ ଜଳବାୟୁ ସମ୍ପର୍କିତ କାର୍ଯ୍ୟପନ୍ଥାରେ ମହିଳାମାନଙ୍କୁ ଏକ ପ୍ରମୁଖ ଭୂମିକା ପ୍ରଦାନ ପାଇଁ ଏକ ବ୍ୟବସ୍ଥିତ ଯୋଜନା ପ୍ରସ୍ତୁତ ଉପରେ ଗୁରୁତ୍ବ ଦିଆଯାଇଥିଲା ।