୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ୪ ଅଭିଯୁକ୍ତ

ଢେଙ୍କାନାଳ: ସଦର ଥାନା ଭାପୁର ଅଂଚଳରେ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସଂପୃକ୍ତ ଅଂଚଳର କେତେକ ଯୁବକ ଦୀର୍ଘ ମାସ ଧରି ଗଣଦୁଷ୍କର୍ମ କରିଆସୁଥିଲେ। ଏ ସଂପର୍କରେ ସଂପୃକ୍ତ ପୀଡ଼ିତା ଗ୍ରାମରେ ଜଣାଇଥିଲେ ମଧ୍ୟ ପାଗେଳି କହି କଥାକୁ କେହି ଗୁରୁତ୍ୱ ନଦେଇ ଚାପି ଦେଉଥିଲେ। ଏହାର ସୁଯୋଗନେଇ ସଂଘବଦ୍ଧଭାବେ କେତେକ ଯୁବକ ଫାଇଦା ଉଠାଇଚାଲିଥିଲେ। ସଖୀକର୍ମୀମାନେ ପୀଡ଼ିତାଙ୍କୁ ଉଦ୍ଧାର କରି ତାଙ୍କ ଠାରୁ ଘଟଣା ସଂପର୍କରେ ବୁଝିବା ପରେ ଗତକାଲି ସେମାନଙ୍କ ସହଯୋଗରେ ପୀଡ଼ିତା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ସଂପୃକ୍ତ ଅଂଚଳରେ ପହଂଚି ୪ ଜଣଙ୍କୁ ଉଠାଇ ଆଣିବା ସହ ଘଟଣାର ତଦନ୍ତ କରିଥିଲା ଓ ପରେ ଗିରଫ କରିଥିଲା ।

ଭାପୁର ଅଂଚଳ ନିର୍ଦ୍ଧିଷ୍ଟ ଏକ ଗ୍ରାମରେ ସଂପୃକ୍ତ ଯୁବତୀ ନିଜ ବାପାଙ୍କ ସହ ରୁହନ୍ତି। ତାଙ୍କ ମା’ଙ୍କ ମୃତୁ୍ୟ ହେବାପରେ ବିଭିନ୍ନ ଚାପରୁ ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ଶୁଣାଯାଉଛି।  ସେମାନଙ୍କର ରହିବା ଲାଗି କୌଣସି ଘରବାଡି ନଥିବାରୁ ଗ୍ରାମର  ଅଙ୍ଗନବାଡିକେନ୍ଦ୍ରର ଏକ କୋଠରୀରେ ଉଭୟ ବାପ ଝିଅ ରହୁଥିଲେ।  ସେହି କୋଠରୀକୁ ଭିତର ପଟୁ ବନ୍ଦ କରିବା ସୁବିଧା ନଥିବାରୁ ଖୋଲାମେଲାରେ ସେମାନେ ରହୁଥିଲେ। ବାପା ମାନସିକ ବିକାରଗ୍ରସ୍ତ ହୋଇଥିବା ବେଳେ ରାତିରେ ମଦପିଇ ନିଶାସକ୍ତ ହୋଇ ଶୋଇପଡୁଥିଲେ। ସଂପୃକ୍ତ କୋଠରୀର କବାଟ ଭିତରୁ ବନ୍ଦ କରିହେଉନଥିବାରୁ ଏହାର ସୁଯୋଗ ନେଇ ଗାଁର ୭/୮  ଜଣ ଯୁବକ ତାଙ୍କ ଘରେ ପଶିବା ସହ ଯୁବତୀଙ୍କୁ ଛାତ ଉପରକୁ ନେଇ ଦୁଷ୍କର୍ମ କରୁଥିଲେ। ପାଳିକରି ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗଣ ଦୁଷ୍କର୍ମ କରିବା ପରେ ଭୋର ବେଳକୁ ସେଠାରୁ ଚାଲିଯାଉଥିଲେ। ପ୍ରତିଦିନ ଯୁବତୀ ଏଭଳି ଦୁଷ୍ମର୍ମର ଶିକାର ହେଉଥିଲେ। ଏପରିକି ଗର୍ଭବତୀ ହେବା ପରେ ମଧ୍ୟ ଦୁଷ୍କର୍ମକାରୀମାନେ ଏଭଳି ଘୃଣ୍ୟ କାମରୁ ବିରତ ହେଉନଥିଲେ। ଯୁବତୀ ଜଣକ ପ୍ରଥମେ ପ୍ରଥମେ ଦୁଷ୍କର୍ମର ଶିକାର ହେବା ପରେ ଘଟଣା ସଂପର୍କରେ ଅଭିଯୁକ୍ତମାନଙ୍କ ପରିବାର ଠାରେ ଅଭିଯୋଗ କରିଥିଲେ। ସେମାନେ ଏହା ଉପରେ ଗୁରୁତ୍ୱ ନଦେଇ ନିଜ ପିଲାଙ୍କ ସଫେଇ କଥା ଉପରେ ବିଶ୍ୱାସ କରି ତାଙ୍କୁ ପାଗେଳି କହି ତାଙ୍କ କଥାକୁ ସମସ୍ତେ ଏଡେଇ ଦେଉଥିଲେ।  ଫଳରେ ଯୁବତୀଜଣକ ନିରାଶ ହୋଇ ମୁହଁ ଖୋଲିବା ପରିବର୍ତେ ଚୁପ ହୋଇ ସବୁ ନିର୍ଯ୍ୟାତନା ସହିଯାଉଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ଢେଙ୍କାନାଳ ସଖୀ କେନ୍ଦ୍ର ପକ୍ଷରୁ ପୀଡ଼ିତା ଯୁବତୀଙ୍କୁ ଗତ ଦୁଇଦିନତଳେ ଉଦ୍ଧାର କରି ଅଣାଯାଇଥିଲା। ତାଙ୍କୁ କାଉନସେଲିଂ କରିବା ପରେ ସଂପୃକ୍ତ ଯୁବତୀ ପାଗେଳି ନୁହଁନ୍ତି, ପରିସ୍ଥିତି  ଏବଂ ଅସାମାଜିକମାନେ ତାଙ୍କୁ ପାଗେଳି ସଜେଇଦେଇଥିବା ଜଣେ କର୍ମୀ ପ୍ରକାଶ କରିଛନ୍ତି । 

Leave a Reply

Your email address will not be published. Required fields are marked *