ପାଣିପାଗ ପରିବର୍ତ୍ତନ ବଢ଼ାଉଛି: ଶେଷ ସୁଯୋଗ ପର୍ଯ୍ୟଟନ

ସମ୍ପ୍ରତି ଜଳବାୟୁ ପରିବର୍ତ୍ତନର କୁପରିଣତି ଯୋଗୁଁ ବିଶ୍ବରେ ଅନବରତ ପାଣିପାଗ ସଂକ୍ରାନ୍ତ ଆଲୋଚନା ଜାରି ରହିଛି। କୌଣସି ସମ୍ଭାବ୍ୟ ଅଘଟଣରୁ ବର୍ତ୍ତିବା ଲାଗି ଆଗାମୀ ଦଶକରେ କିଭଳି ପଦକ୍ଷେପ ନେବାକୁ ହେବ ତାହା ମଧ୍ୟ ବୈଜ୍ଞାନିକମାନେ ଧାର୍ଯ୍ୟ କରୁଛନ୍ତି। ପ୍ରତି ମାସରେ କେଉଁଠି ନା କେଉଁଠି ତାପମାତ୍ରା ବୃଦ୍ଧି ରେକର୍ଡର ଖବର ଆସୁଛି। ପୃଥିବୀର ତାପମାତ୍ରା ଏଭଳି ବଢ଼ିବା ଦ୍ବାରା ପ୍ରବାଳ ପ୍ରାଚୀର, ହିମଶୈଳ ଓ ଦ୍ବୀପସମୂହ (ଆର୍କିପଲାଗୋ) ପରି ପ୍ରାକୃତିକ ଆଶ୍ଚର୍ଯ୍ୟଗୁଡ଼ିକ କ୍ରମେ ଉଭେଇଯିବାର ଆଶଙ୍କା ରହିଛି। ତେଣୁ କିଛି ଉତ୍ସାହୀ ପରିଭ୍ରମଣକାରୀ ସତ୍ତା ହରାଇବାକୁ ଥିବା ସେଭଳି କିଛି ମନଲୋଭା ସ୍ଥାନ ଥରେ ବୁଲି ଆସିବାକୁ ମନ ବଳାଉଛନ୍ତି। ଏହାକୁ ‘ଶେଷ ସୁଯୋଗ ପର୍ଯ୍ୟଟନ’ ବା ‘ଲାଷ୍ଟ-ଚାନ୍ସ ଟୁରିଜିମ୍‌’ ବୋଲି କୁହାଯାଉଛି। 

ପର୍ଯ୍ୟଟନର ଏଭଳି ଏକ ନୂତନ ବିଭାଗର ଉଦ୍ଦେଶ୍ୟ ହେଉଛି ବିଶ୍ବର ସବୁଠୁ ବିପଦଗ୍ରସ୍ତ ପ୍ରାକୃତିକ ତଥା ସାଂସ୍କୃତିକ ସ୍ଥଳଗୁଡ଼ିକ ଅନ୍ତର୍ଦ୍ଧାନ ହେବା ଆଗରୁ ଶେଷ ଥର ପାଇଁ ସେଗୁଡ଼ିକୁ ଦର୍ଶନ କରିବା। ସୂଚନାଯୋଗ୍ୟ, ପ୍ରଥମ ଥର ଲାଗି କୌଣସି ପର୍ବତ ଶୃଙ୍ଗରେ ପାଦଦେବା କି ଦୁର୍ଗମ ସୀମାରେଖା ଅତିକ୍ରମ କରିବା କି କୌଣସି ପ୍ରଜାତି ବା ଭୂମିରୂପ ବାବଦରେ ବିବରଣୀ ପ୍ରକାଶ କରିବା ପାଇଁ ଏଇ ମନୁଷ୍ୟ ହଜାର ହଜାର ବର୍ଷ ଧରି ପ୍ରୟାସ ଜାରି ରଖିଛି। ତେବେ ସମ୍ପ୍ରତି ଶେଷ ଥର ପାଇଁ ଆମକୁ ସେଭଳି କିଛି ଆଶ୍ଚର୍ଯ୍ୟର ସାକ୍ଷୀ ହେବାକୁ ପଡୁଛି। ତେଣୁ ଏପରି ଏକ ବିରଳ ଅନୁଭୂତିର ଦ୍ରଷ୍ଟା ସାଜିବାକୁ ଏହି ‘ଶେଷ ସୁଯୋଗ ପର୍ଯ୍ୟଟନ’ର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥି ସହିତ ମନୁଷ୍ୟକୃତ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଅବକ୍ଷୟପ୍ରାପ୍ତ ସେଭଳି ସ୍ଥାନ ଭ୍ରମଣ କରିବା ଦ୍ବାରା ଆମ ମନରେ ସଚେତନତା ସୃଷ୍ଟି ହେବ ବୋଲି ଆଶା କରାଯାଉଛି ଯଦ୍ଦ୍ବାରା ପର୍ଯ୍ୟାବରଣ ପ୍ରଣାଳୀର ସୁରକ୍ଷା ଦିଗରେ ଆମେ ଅଧିକ ସକ୍ରିୟ ହୋଇପାରିବା। ସେଭଳି କିଛି ଅନ୍ତର୍ଦ୍ଧାନଶୀଳ ଆଶ୍ଚର୍ଯ୍ୟ ମଧ୍ୟରେ ରହିଛି ଫ୍ରାନ୍ସର ‘ମର୍‌ ଡି ଗ୍ଲେସ୍‌’ ନାମକ ବୃହତ୍‌ ହିମଶୈଳ ଯାହା ଦ୍ରୁତ ଗତିରେ ତରଳିବାରେ ଲାଗିଛି।

ଅଷ୍ଟ୍ରେଲିଆରେ ଥିବା ବିଶ୍ବର ବୃହତ୍ତମ ପ୍ରବାଳ ପ୍ରାଚୀର ‘ଗ୍ରେଟ୍‌ କୋରାଲ୍‌ ରିଫ୍‌’ ମଧ୍ୟ ଅନୁରୂପ ଭାବେ ଜଳବାୟୁ ପରିବର୍ତ୍ତନର ଶିକାର ହୋଇ ଦିନକୁ ଦିନ ସତ୍ତା ହରାଇବାରେ ଲାଗିଛି। ସେହିପରି ପ୍ରଦୂଷଣ, ଅବକ୍ଷୟ ଓ ମାତ୍ରାଧିକ ପର୍ଯ୍ୟଟନ ଯୋଗୁଁ ଅନ୍ୟତମ ପ୍ରାଚୀନ ଐତିହ୍ୟ ‘ଗ୍ରେଟ୍‌ ଵାଲ୍‌ ଅଫ୍‌ ଚାଇନା’ର ମୌଳିକ ଢାଞ୍ଚାରେ ପରିବର୍ତ୍ତନ ଘଟିଚାଲିଛି। ତାଞ୍ଜାନିଆର ‘ସେରେଙ୍ଗେଟି ଜାତୀୟ ଉଦ୍ୟାନ’ ମଧ୍ୟ ଅନ୍ୟତମ ଆକର୍ଷଣ ଯେଉଁଠି ସିଂହ, ଚିତାବାଘ, ହାତୀ, ଗୟଳ, ଗଣ୍ଡା ପରି ବିଭିନ୍ନ ପ୍ରଜାତିର ଲକ୍ଷ ଲକ୍ଷ ବନ୍ୟଜନ୍ତୁ ଓ ପଶୁପକ୍ଷୀଙ୍କର ବାସସ୍ଥଳୀ ଅଛି। ପାଣିପାଗରେ ପରିବର୍ତ୍ତନ ଓ ଶିକାର ଯୋଗୁଁ ଏହାର ଜୈବବିବିଧତା ପ୍ରତି ବିପଦ ଦେଖାଦେଇଛି। ସେହିପରି ପେରୁର ପରିତ୍ୟକ୍ତ ପବିତ୍ର ସହର ‘ମାଚୁ ପିଚୁ’ର ଭଗ୍ନାବଶେଷ ଓ କାମ୍ବୋଡ଼ିଆ ସ୍ଥିତ ବିଶ୍ବର ବୃହତ୍ତମ ଧାର୍ମିକ ସ୍ଥଳୀ ‘ଆଙ୍ଗକର୍‌ ଵାଟ’ ମଧ୍ୟ ପାଣିପାଗ ପ୍ରଭାବରେ ଅବକ୍ଷୟ ହେବାରେ ଲାଗିଛି। ଏଭଳି ସ୍ଥାନ ଭ୍ରମଣର ଚାହିଦା ବଢ଼ିବା ଯୋଗୁଁ ସେଗୁଡ଼ିକର ସୁରକ୍ଷା ଉଦ୍ଦେଶ୍ୟରେ ପାଣ୍ଠି ସଂଗ୍ରହ ହୋଇପାରୁଛି ସତ, ତେବେ ‘ଶେଷ ସୁଯୋଗ ପର୍ଯ୍ୟଟନ’ ଆଳରେ ସେଠିକି ମାତ୍ରାଧିକ ପର୍ଯ୍ୟଟକଙ୍କ ଗସ୍ତ ସେଗୁଡ଼ିକର ଅବକ୍ଷୟର ଅନ୍ୟତମ କାରଣ ସାଜୁଛି ବୋଲି ଅନେକ ସମାଲୋଚନା କରିଛନ୍ତି।

Leave a Reply

Your email address will not be published. Required fields are marked *