
ଭୁବନେଶ୍ବର: ଅଗଷ୍ଟ ୧୫ ସରିଗଲା। ଗଣେଶ ପୂଜା ବି ଶେଷ ହେଲା। ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ମିଳିଲାନି ମାଗଣା ପୋଷାକ। ଜୋତା, ମୋଜା କଥା ନ କହିବା ଭଲ। ଶିକ୍ଷାବର୍ଷ ଅଧା ସରିଥିଲେ ମଧ୍ୟ ଜୋତା, ମୋଜା, ପୋଷାକ ପିଲାଙ୍କୁ ଦିଆଯାଇ ନାହିଁ। ପ୍ରତିବର୍ଷ ଅଗଷ୍ଟ ୧୫ ସୁଦ୍ଧା ଏହି ସବୁ ସାମଗ୍ରୀ ମିଳୁଥିବା ବେଳେ ଏଥର କ’ଣ ପାଇଁ ବିଳମ୍ବ ହେଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାସ ପରେ ମାସ ଗଡ଼ୁଥିଲେ ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ସଚିବ ନିରବ। ସମୀକ୍ଷା ବି ହେଉନାହିଁ। କେବେ ସୁଦ୍ଧା ପୋଷାକ ମିଳିବ ସେ ଉତ୍ତର କାହା ପାଖରେ ନାହିଁ। ଚିନ୍ତାର ବିଷୟ ହେଉଛି ୨୦୨୩-୨୪ ଆର୍ଥିକ ବର୍ଷରେ ଛାତ୍ରଛାତ୍ରୀଙ୍କୁ ବଣ୍ଟନ ହୋଇଥିବା ଡ୍ରେସ୍ର ଅର୍ଥ ଏପର୍ଯ୍ୟନ୍ତ କେତେକ ବିଦ୍ୟାଳୟ ପାଇ ନାହାନ୍ତି। ବିଦ୍ୟାଳୟ ପରିଚାଳନା କମିଟି(ଏସ୍ଏମ୍ସି) ଓ ସ୍କୁଲ କର୍ତ୍ତୃପକ୍ଷ ବିଭାଗୀୟ ଅଧିକାରୀଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହୋଇଛି। ଗୋଟିଏ ବର୍ଷ ବିତିଯାଇଥିଲେ ହେଁ କାହିଁକି ମିଳୁନି ସେନେଇ ପ୍ରଶ୍ନ କଲେ ସମସ୍ତଙ୍କର ସେହି ଗୋଟିଏ ଉତ୍ତର ସରକାର ବଦଳିଥିବାରୁ କାମ ଟିକିଏ ବିଳମ୍ବ ହୋଇଛି। ଖୁବ୍ଶୀଘ୍ର ମିଳିଯିବ। ୫ ମାସ ପାଠପଢ଼ା ସରିଛି। କିଛି ଛାତ୍ରଛାତ୍ରୀ ବିନା ୟୁନିଫର୍ମରେ ସ୍କୁଲ ଆସୁଛନ୍ତି ।
ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତିକ୍ରମେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମାଗଣା ପୋଷାକ ବଣ୍ଟନ ଦାୟିତ୍ବ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍ଏଚ୍ଜି)ଙ୍କ ହାତରେ ଦିଆଯାଇଛି। ଜିଲ୍ଲାସ୍ତରରେ ଚିହ୍ନଟ ହୋଇଥିବା ଏସ୍ଏଚ୍ଜିଗୁଡ଼ିକ ପୋଷାକ ପ୍ରସ୍ତୁତ କରି ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିବେ। ଇତି ମଧ୍ୟରେ କେତେକ ଜିଲ୍ଲା ପ୍ରଶାସନ ଏସ୍ଏଚ୍ଜି ଚୟନ ଶେଷ କରି ତାହାର ତାଲିକା ବିଦ୍ୟାଳୟକୁ ପଠାଇ ଦେଇଛନ୍ତି। ବିଦ୍ୟାଳୟ କର୍ତ୍ତୃପକ୍ଷ ତାଲିକା ଧରି ବସିଥିଲେ ମଧ୍ୟ ଏସ୍ଏଚ୍ଜିର ଦେଖା ନାହିଁ। ଏସ୍ଏଚ୍ଜି ଚୟନରେ ପ୍ରିୟାପ୍ରୀତି ତୋଷଣ ହୋଇଥିବା ଅଭିଯୋଗ ଆସିଲାଣି। କିଛି ସ୍ଥାନରେ ପୋଷାକ ପ୍ରସ୍ତୁତ କରୁ ନ ଥିବା ଏସ୍ଏଚ୍ଜିକୁ ଚୟନ କରାଯାଇଛି। ସେମାନେ ବାହାରୁ ପୋଷାକ କିଣି ସ୍କୁଲରେ ବଣ୍ଟନ କରିବାକୁ ଯୋଜନା କରିଛନ୍ତି ।
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ସଭାପତି ବ୍ରହ୍ମାନନ୍ଦ ମହାରଣା କହିଛନ୍ତି ଏଥର ଗଣେଶ ପୂଜା ସରିଥିଲେ ମଧ୍ୟ ପୋଷାକ ମିଳିପାରି ନାହିଁ। ଚଳିତବର୍ଷ ଏସ୍ଏଚ୍ଜି ପୋଷାକ ପ୍ରସ୍ତୁତ କରି ଦେବାକୁ କୁହାଯାଇଛି। ମାତ୍ର ବ୍ଲକ୍ର ହାତଗଣତି ଏସ୍ଏଚ୍ଜି ପୋଷାକ ପ୍ରସ୍ତୁତ କରୁଥିବାରୁ ସବୁ ସ୍କୁଲକୁ ଠିକ୍ ସମୟରେ ପୋଷାକ ଯୋଗାଣରେ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠୁଛି। ଯେଉଁ ଏସ୍ଏଚ୍ଜିଙ୍କର ସିଲାଇ କେନ୍ଦ୍ର ରହିଛି, ସେମାନଙ୍କୁ ହିଁ ଦାୟିତ୍ବ ଦିଆଯାଉ। ଆଉ ଗୋଟିଏ କଥା ହେଲା, ଏସ୍ଏଚ୍ଜି ଯଦି ଡ୍ରେସ୍ ଦେବେ ତାହା ହେଲେ ସ୍କୁଲ ଆକାଉଣ୍ଟକୁ ଅର୍ଥ କାହିଁକି ଆସିବ? ଜିଲ୍ଲା ପ୍ରଶାସନ ଯେଉଁମାନଙ୍କୁ ଚୟନ କରିଛି ସେମାନଙ୍କ ଆକାଉଣ୍ଟକୁ ଅର୍ଥ ଦିଆଯିବନି କାହିଁକି? ଶିକ୍ଷାଦାନ କରୁଥିବା ଶିକ୍ଷକମାନେ କାହିଁକି ଏହା ଭିତରକୁ ଆସିବେ? ନିମ୍ନମାନର ପୋଷାକ ହେଲେ ପ୍ରଧାନଶିକ୍ଷକଙ୍କୁ କାହିଁକି ଦାୟୀ କରାଯିବ? ବିଦ୍ୟାଳୟ କାହିଁକି ବିନିଯୋଗ ପ୍ରମାଣପତ୍ର ଦାଖଲ କରିବ? ଏଭଳି କାର୍ଯ୍ୟରୁ ଶିକ୍ଷକଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରାଯାଉ। ସେପଟେ ଜୋତା, ମୋଜା ବଣ୍ଟନ କଥା ମଧ୍ୟ ସମାନ। ମେ’ ୨୦ରେ ତତ୍କାଳୀନ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶିକା ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କୁ ଚିଠି ଲେଖି ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ(ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ଅଧ୍ୟୟନରତ ଛାତ୍ରଛାତ୍ରୀ ଏବଂ ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଜୁନ୍ ୨୦ ସୁଦ୍ଧା ମାଗଣା ଜୋତା, ମୋଜା, ଟି-ସାର୍ଟ, ଟ୍ରାକ୍ ପ୍ୟାଣ୍ଟ, ଟୋପି ଓ ପରିଚୟପତ୍ର ବଣ୍ଟନ କରିବାକୁ କହିଥିଲେ। କେଉଁ ସାମଗ୍ରୀ ପାଇଁ କେତେ ଟଙ୍କା ଦିଆଯିବ ତାହା ମଧ୍ୟ ସ୍ଥିର ହୋଇଥିଲା। ମାତ୍ର ଜୁନ୍ ଯାଇ ସେପ୍ଟେମ୍ବର ମାସ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟାଳୟ ସ୍ତରରେ ଅର୍ଥ ପହଞ୍ଚିପାରି ନ ଥିବାରୁ ଅସନ୍ତୋଷ ବଢ଼ିବାରେ ଲାଗିଛି ।