ଗଣେଶ ମୂର୍ତ୍ତି ଭସାଣି ବେଳେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ

ଖୁଣ୍ଟୁଣୀ: କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଧୁରୁଷିଆ ଗ୍ରାମରେ ଗତକାଲି ରାତିରେ ଗଣେଶ ମେଢ଼ ଭସାଣି ଉତ୍ସବ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକ ହେଲେ ସୂର୍ଯ୍ୟକାନ୍ତ ସାମଲ। ଆଉଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।

ସୂଚନା ମୁତାବକ ଗତକାଲି ସନ୍ଧ୍ୟାରେ ଧୁରୁଷିଆ ଗ୍ରାମର ମନ୍ଦିର ସାହି ଓ ଦଳିତ ସାହିର ଗଣେଶ ଭସାଣି ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ରାତି ପ୍ରାୟ ୧୦ ଟାରେ ଉଭୟ ପୂଜା କମିଟିର ମେଢ଼ ଧୁରୁଷିଆ ଗ୍ରାମ ମଝିରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ଆକ୍ଷେପ ଓ ପ୍ରତି ଆକ୍ଷେପ ଯୋଗୁ ଗଣ୍ଡଗୋଳ ଆରମ୍ଭ ହୋଇଥିଲା। ଦୁଇ ଗୋଷ୍ଠୀ ପରସ୍ପରକୁ ଛୁରୀ ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ମାଡ଼ପିଟ ଓ ଛୁରୀରେ ଆକ୍ରମଣ କରାଯିବାରୁ ଉଭୟ ପକ୍ଷର ୩ ଜଣ ଆହତ ହୋଇଥିଲେ ତନ୍ମଧ୍ୟରୁ ଦୁଇ ଗୁରୁତରଙ୍କୁ ପରିବାର ଲୋକ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଆଜି ଜଣଙ୍କର ପ୍ରାଣହାନି ଘଟିଛି ।

 ଏଣେ ଖବର ପାଇ ଖୁଣ୍ଟୁଣୀ ଥାନା ଆଇଆଇସି ରବି ନାରାୟଣ ବେହେରା ଓ ଏସ ଆଇ ବିକାଶ ସେଠୀ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *