ଏଆଇସିଏଫ୍‌ ଦାୟିତ୍ବରେ ୪ ଓଡ଼ିଆ, ଆୟକର ଅଧିକାରୀରୁ ଚେସ୍‌ ପ୍ରଶାସକ

ଭୁବନେଶ୍ବର: ଗୁରୁବାର ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତୀୟ ଚେସ୍‌ ସଂଘ (ଏଆଇସିଏଫ୍‌) ସ୍ବତନ୍ତ୍ର ବୈଠକରେ ବିଭିନ୍ନ କମିଟିରେ ଦାୟିତ୍ବ ପାଇଛନ୍ତି ୪ ଓଡ଼ିଆ। ନିଖିଳ ଓଡ଼ିଶା ଚେସ୍‌ ସଂଘ (ଏଓସିଏ)ର ସମ୍ପାଦକ ଦେବବ୍ରତ ଭଟ୍ଟ ଚେସ୍‌ ଇନ୍ ସ୍କୁଲ୍‌ ଫର୍ ଇଷ୍ଟର୍ଣ୍ଣ ଇଣ୍ଡିଆର ଉପାଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ରାଜ୍ୟର ଦ୍ବିତୀୟ ଆଇଏମ୍ ସ୍ବୟଂଶୁ ସତ୍ୟପ୍ରଜ୍ଞ ଚେସ୍‌ ଇନ୍ ସ୍କୁଲ୍ କମିଟିର ଉପାଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି। ତେଲେଙ୍ଗାନାର କେଏସ୍ ପ୍ରସାଦ ଏହାର ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି। ରାଜ୍ୟର ପ୍ରଥମ ଆଇଏମ୍ ଶେଖର ଚନ୍ଦ୍ର ସାହୁ ଏବଂ ଏଆଇସିଏଫ୍‌ର ପୂର୍ବତନ ଯୁଗ୍ମ ସମ୍ପାଦକ ରଂଜନ ମହାନ୍ତିଙ୍କୁ ଯଥାକ୍ରମେ ଟ୍ରେନର୍ସ କମିସନ୍‌ ଓ ଇଭେଣ୍ଟ୍ କମିଟିର ସଦସ୍ୟ ମନୋନୀତ କରାଯାଇଛି ।

ଖେଳାଳିରୁ କ୍ରୀଡ଼ା ପ୍ରଶାସକ ହୋଇଥିବା ରଂଜନ ମହାନ୍ତି ବୃତ୍ତିରେ ଜଣେ ଆୟକର ଅଧିକାରୀ ହୋଇଥିଲେ ମଧ୍ୟ ଚେସ୍‌ ତାଙ୍କ ଉତ୍ସାହର ମାଧ୍ୟମ। ରାଜ୍ୟ ଚେସ୍‌ର ପରିଚିତ ଚେହେରା ରଂଜନ ମହାନ୍ତିଙ୍କୁ ଏଆଇସିଏଫ୍‌ର ୫ ଜଣିଆ ଶକ୍ତିଶାଳୀ ଇଭେଣ୍ଟ୍‌ସ କମିଟିରେ ସ୍ଥାନ ମିଳିଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଖେଳାଳି, ଫିଡେ ଆର୍ବିଟର୍‌, ଫିଡେ ଇନ୍‌ଷ୍ଟ୍ରକ୍ଟର ଗୌରବପ୍ରାପ୍ତ ରଂଜନ ମଧ୍ୟ ଫିଡେ ଫେୟାରପ୍ଲେ ଏକ୍ସର୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ରଂଜନଙ୍କ ପ୍ରାଶାସନିକ ଦକ୍ଷତା ଓ ଚେସ୍‌ ଅଭିଜ୍ଞତାକୁ ନଜରରେ ରଖି ଏଆଇସିଏଫ୍‌ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଛି। ୨୦୨୫ ଫିଡେ ବିଶ୍ବକପ୍ ପାଇଁ ଭାରତ ବିଡ୍‌ ଦାଖଲ କରିଥିବା ବେଳେ ଏହା ପଛରେ ରଂଜନ ମହାନ୍ତିଙ୍କ ପ୍ରଛନ୍ନ ହାତ ରହିଛି। ପୂର୍ବରୁ ଶ୍ରୀ ମହାନ୍ତି ଏସୀୟ ଯୁବ ଚେସ୍‌ରେ ଜାତୀୟ ଦଳର ମୁଖ୍ୟ ଭାବେ କୋରିଆ ଗସ୍ତ କରିଥିବା ବେଳେ ଭାରତ ଦଳଗତ ବିଜେତା ହୋଇଥିଲା। କିଟ୍‌ରେ ଅନୁଷ୍ଠିତ ତୃତୀୟ ଇଣ୍ଡୋ-ଚାଇନା ଚେସ୍‌ ସମ୍ମିଟ୍‌ରେ ସେ ଆୟୋଜନ ସମିତି ମୁଖ୍ୟ ଥିଲେ। ଭାରତ ମଧ୍ୟ ପ୍ରଥମ ଥର ଚାଇନା ବିପକ୍ଷ ଶୃଙ୍ଖଳାରେ ବିଜୟୀ ହୋଇଥିଲା। ଭାରତରେ ଗତବର୍ଷ ଅନୁଷ୍ଠିତ ୪୪ତମ ଚେସ୍‌ ଅଲିମ୍ପିଆଡ୍‌ର ସଂ‌ଯୋଜକ ଭାବେ ବିଭିନ୍ନ କମିଟିରେ ରହିବା ଏବଂ ଓଡ଼ିଶାରେ ମଶାଲ ଶୋଭାଯାତ୍ରାର ନେତୃତ୍ବ ନେବା ତାଙ୍କୁ ଜଣେ ପ୍ରତିଷ୍ଠିତ ଚେସ୍‌ ପ୍ରଶାସକ ଭାବେ ପରିଚିତ କରାଇଛି। ରଂଜନଙ୍କୁ ସଦ୍ୟତମ ଦାୟିତ୍ବ ପାଇଁ ଏଓସିଏ ସଭାପତି ଜିସି ମହାପାତ୍ର, ଆଇଏମ୍ ଶେଖର ଚନ୍ଦ୍ର ସାହୁ, ଚେସ୍‌ ଐତିହାସିକ ଶୁଭାଶିଷ ପଟ୍ଟନାୟକ, ଏସ୍‌ଆର୍‌ ଚେସ୍‌ କେନ୍ଦ୍ର ମୁଖ୍ୟ ସତ୍ୟରଂଜନ ପଟ୍ଟନାୟକ ଓ କିଟ୍‌-କିସ୍‌ କ୍ରୀଡ଼ା ବିଭାଗ ମହାପ୍ରବଂଧକ ଗଗନେନ୍ଦୁ ଦାଶ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *