ଡାକ୍ତରଙ୍କ ସୁରକ୍ଷା ପାଇଁ ଆସିଲା ସ୍ବତନ୍ତ୍ର ଗାଇଡ୍ ଲାଇନ୍

ଭୁବନେଶ୍ୱର:  ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଅଣାଯାଇଛି । କୋଲକାତାରେ ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି।  

ରାଜ୍ୟରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ବାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଗାଇଡ୍ ଲାଇନ୍ ଆଣିଛି । ଏହା ଅନ୍ତର୍ଗତ ସବୁ ମେଡିକାଲ କଲେଜର ଏଣ୍ଟ୍ରି ଓ ଏକ୍ସଜିଟ୍ ପଏଣ୍ଟକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯି । ମେଡିକାଲ ଷ୍ଟାଫ୍ ଓ କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ଡ୍ରେସ୍ କୋଡ୍ ଓ ଆଇକାର୍ଡ ବାଧ୍ୟତାମୂଳକ ରହିବ। ରୋଗୀଙ୍କ ପାଇଁ ଭିଜିଟର ପାସ୍ ସିଷ୍ଟମ୍ ରହିବ। 

ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କ ପାଇଁ ଦୁଇଟି ଏଣ୍ଟ୍ରି ପାସ୍ କରାଯିବ। ମେଡିକାଲ ସୁପରିଟେନଡେଣ୍ଟଙ୍କ ଦ୍ବାରା ନିର୍ଦ୍ଧାରିତ ସମୟରେ କେବଳ ରୋଗୀଙ୍କ ସମ୍ପର୍କୀୟମନେ ହିଁ ରୋଗୀକୁ ଭେଟି ପାରିବେ। ଆଉଟ୍ ଡୋର ବାହାରେ ୨୪ ଘଣ୍ଟିଆ ପୁରୁଷ ଓ ମହିଳା ସିକ୍ୟୁରିଟି ଗାର୍ଡ ରହିବେ। ମେଡିକାଲ କଲେଜ ପରିସରରୁ ସନ୍ଦିଗ୍ଧ ଗାଡ଼ିକୁ ସିକ୍ୟୁରିଟି ଗାର୍ଡ ବାହାର କରିବେ। ମେଡିକାଲ କଲେଜର ହଷ୍ଟେଲ, ରାସ୍ତା ସହିତ ଅନ୍ୟ ସମସ୍ତ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଯାଇ ତଦାରଖ କରାଯିବ ।

ନାଇଟ୍ ସିଫ୍ଟରେ କାର୍ଯ୍ୟ କରୁଥିବା ମହିଳା ଡାକ୍ତର, କର୍ମଚାରୀ ଓ ମେଡିକାଲ ଛାତ୍ରୀଙ୍କୁ ଏସ୍କଟ କରି ସୁରକ୍ଷିତ ଭାବେ ଘରେ ଛଡ଼ାଯିବ। ପ୍ରତି ମେଡିକାଲ କଲେଜ ଓ ହସ୍ପିଟାଲରେ ପୋଲିସ ଆଉଟପୋଷ୍ଟ ରହିବ। ଏହି ପୋଲିସ ଆଉଟପୋଷ୍ଟରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମୁତୟନ କରାଯିବ ।

ପ୍ରତିଦିନ ମେଡିକାଲର ସେଫଟି ଅଡିଟ୍ କରାଯିବା ସହ ନିକଟସ୍ଥ ଥାନା ଅଧିକାରୀଙ୍କ ସହ ନିୟମିତ ଯୋଗାଯୋଗ ରଖାଯିବ। ଜରୁରୀକାଳୀନ ପରିସ୍ଥିତି ପାଇଁ ମେଡିକାଲରେ ପେନିକ୍ ବଟମ, ଜରୁରୀକାଳୀନ ଫୋନ୍ ନମ୍ବର ଓ ମୋବାଇଲ ଆପ୍‌ର ବ୍ୟବସ୍ଥା କରାଯିବ। କୌଣସି ଅପ୍ରୀତିକର ପରିସ୍ଥିତି ଘଟିଲେ ଜରୁରୀକାଳୀନ ଫୋନ୍ ନମ୍ବରରେ କିପରି କଣ୍ଟ୍ରୋଲ ରୁମ୍ ସହ ଯୋଗାଯୋଗ କରିହେବ ସେ ବ୍ୟବସ୍ଥା ଗ୍ରହଣ କରାଯିବ ।

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, ଓଡିଶାରେ ଡାକ୍ତରଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର  ଗାଇଡ୍ ଲାଇନ୍ ସ୍ୱାସ୍ଥ୍ୟ ବିଭାଗ ଆଣିଛି । ଏ ନେଇ ସୋସିଆଲ ମିଡିଆରେ ମଧ୍ୟ ଅବଗତ  କରାଯାଇଛି। ଡ଼ାକ୍ତରଙ୍କ ସୁରକ୍ଷା ସରକାରଙ୍କ ମୁଖ୍ୟ ଦାୟିତ୍ୱ। ଏନେଇ  ସୁରକ୍ଷା  ଓ ରୋଗୀଙ୍କ ସେବାକୁ ବିଚାର କରି ଗାଇଡ୍‌ ଲାଇନ୍‌ ଅଣାଯାଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *