ଆଭା ପଞ୍ଜୀକରଣରେ ଦେଶରେ ତୃତୀୟ ସ୍ଥାନ ଅଧିକାର କଲା ଏମ୍‌ସ ଭୁବନେଶ୍ବର

ଭୁବନେଶ୍ୱର: ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଗ୍ରଣୀ ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଏମ୍‌ସ ଭୁବନେଶ୍ୱର ଆଜି ଦ୍ୱାଦଶ ବାର୍ଷିକ ଉତ୍ସବକୁ ପ୍ରତିବଦ୍ଧତା ଏବଂ ଅର୍ନ୍ତଭୁକ୍ତୀକରଣ ସହିତ ପାଳନ କରିଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଅନୁଷ୍ଠାନକୁ ଭୂୟସୀ ପ୍ରଶଂସା କରିଥିଲେ। ରାଜ୍ୟ ତଥା ରାଜ୍ୟ ବାହାରୁ ଚିକିତ୍ସା ନିମନ୍ତେ ଦୈନିକ ଏଠାକୁ ଆସୁଥିବା ହଜାର ହଜାର ରୋଗୀଙ୍କ ସଂଖ୍ୟା ହିଁ ଏହି ଅନୁଷ୍ଠାନର ସଫଳତାକୁ ପ୍ରତିପାଦିତ କରୁଛି। ଏମ୍‌ସ ଭୁବନେଶ୍ୱରକୁ ଆହୁରି ଅଧିକ ଗତିଶୀଳ ଏବଂ କ୍ରିୟାଶୀଳ କରିବା ନିମନ୍ତେ ରାଜ୍ୟ ସରକାର ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତିବଦ୍ଧ ଥିବା ଶ୍ରୀ ସିଂହ ଦେଓ ପ୍ରକାଶ କରିଥିଲେ ।

ଏମ୍‌ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ଏହି ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜ୍ଞାପନ କରିବା ସହିତ ସମସ୍ତଙ୍କର ସାମୂହିକ ଉଦ୍ୟମ, ରୋଗୀ ସେବା ଏବଂ ଚିକିତ୍ସା ଉତ୍କର୍ଷ ପ୍ରତି ପ୍ରତିବଦ୍ଧତା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ୱାସ୍ଥ୍ୟସେବାରେ ନବସୃଜନ ଆଣିବା ସହିତ ଚିକିତ୍ସା ବିଜ୍ଞାନ ସହିତ ପ୍ରଯୁକ୍ତିବିଦ୍ୟାର ଅର୍ନ୍ତଭୁକ୍ତିକରଣ ପାଇଁ ଏମ୍‌ସ ସର୍ବଦା ପ୍ରୟାସରତ। ଏହି ଅବସରରେ ଗତ ଏକ ବର୍ଷରେ ଏଠାରେ ହୋଇଥିବା ଏକାଧିକ ସଫଳ ଘଟଣା ସମ୍ପର୍କରେ ବର୍ଣ୍ଣନା କରିଥିଲେ ।

ଏମ୍‌ସରେ ଗତ ଏକ ବର୍ଷରେ ୧୦ ଲକ୍ଷରୁ ଅଧିକ ରୋଗୀ ଚିକିତ୍ସିତ ହୋଇଛନ୍ତି। ୧୭ ଲକ୍ଷ ପରୀକ୍ଷା କରାଯାଇଥିବା ବେଳେ ୨୫ହଜାର ଅସ୍ତ୍ରୋପଚାର କରାଯାଇଛି। ଆଭା (ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ) ପଞ୍ଜୀକରଣରେ ଦେଶରେ ତୃତୀୟ ସ୍ଥାନ ଅଧିକାର କରିବାର ସଫଳତା ହାସଲ କରିଛି ଏମ୍‌ସ। ୨୦୨୪ ଶିକ୍ଷାବର୍ଷ ପାଇଁ ଏମ୍‌ସକୁ ଏନ୍‌ଆଇଆରଏଫରେ ୧୫ତମ ସ୍ଥାନ ମିଳିଛି ଯାହାକି ସମଗ୍ର ରାଜ୍ୟରେ ଶ୍ରେଷ୍ଠ। ଅନ୍ୟମାନଙ୍କ ମଧ୍ୟରେ ଡିନ୍‌ (ଏକାଡେମିକ୍ସ) ଡ. ପି ଆର ମହାପାତ୍ର, ଡିନ୍ (ଗବେଷଣା) ଡ. ସତ୍ୟଜିତ୍ ମିଶ୍ର, ଡିନ୍ (ପରୀକ୍ଷା) ଡ. ସୌଭାଗ୍ୟ କୁମାର ଜେନା, ମେଡିକାଲ୍ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡିଡିଏ ଅଭିଜିତ ସରକାର ପ୍ରମୁଖ ଉପସ୍ଥିତ ଥିଲେ। ଦ୍ବାଦଶ ବାର୍ଷିକ ଉତ୍ସବ ସମାରୋହ ଅବସରରେ ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କୁ ନେଇ ଏକାଧିକ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିସହିତ ବାର୍ଷିକ ସ୍ମରଣିକା “ଦି ଇନ୍‌ସାଇଟ୍”କୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଆୟୋଜକ କମିଟି ସଚିବ ଡ. ସ୍ବେତା ସିଂ ଏବଂ ଅତିରିକ୍ତ ସଚିବ ଡ. ସୋମନାଥ ପାଢ଼ୀଙ୍କ ପରିଚାଳନାରେ କାର୍ଯ୍ୟକ୍ରମ ସଫଳତାର ସହିତ ସମାପ୍ତ ହୋଇଥିଲା ।

ପ୍ରଥମଥର ପାଇଁ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀମାନଙ୍କ ମଧ୍ୟରେ ଏକ ଫଟୋଗ୍ରାଫି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶ୍ରେଷ୍ଠ ୫୦ ଫଟୋକୁ ନେଇ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଯାହାକୁ ମୁଖ୍ୟଅତିଥି ଉନ୍ମୋଚନ କରିଥିଲେ। ଏମ୍‌ସ ଭଳି ଅନୁଷ୍ଠାନରେ ରହିଥିବା ଏପରି ସୃଜନଶୀଳ ପ୍ରତିଭାମାନଙ୍କୁ ସମସ୍ତେ ପ୍ରଶଂସା କରିଥିଲେ। ସେହିପରି ଗତ ଏକ ବର୍ଷରେ ଏମ୍‌ସରେ ହୋଇଥିବା ଏକାଧିକ ସଫଳତା ସମ୍ବଳିତ ଏକ ଚିତ୍ରକଳା ପ୍ରଦର୍ଶନୀ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ।

Leave a Reply

Your email address will not be published. Required fields are marked *