ମନ୍ଦିର ସିଡ଼ି ସଫା କଲେ ପୱନ କଲ୍ୟାଣ

ବିଜୟୱାଡା: ତିରୁପତି ମନ୍ଦିରର ଲଡୁ ପ୍ରସାଦରେ ଅପମିଶ୍ରିତ ଘିଅ ବ୍ୟବହାର ଅଭିଯୋଗ ପରେ ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କର ୧୧ ଦିନିଆ ପ୍ରାୟଶ୍ଚିତର ଏକ ଅଂଶ ଭାବରେ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ ମଙ୍ଗଳବାର ସେଠାରେ ଥିବା କନକ ଦୁର୍ଗା ମନ୍ଦିରରେ ଶୁଦ୍ଧିକରଣ ନୀତି ଅଂଶ ଗ୍ରହଣ କରିଛନ୍ତି ।

ଏହି ସମୟ ମଧ୍ୟରେ ଦଳର ନେତାମାନେ ମଧ୍ୟ ତାଙ୍କ ସହ ଥିଲେ। ସେ ମନ୍ଦିରର ସିଡ଼ିଗୁଡ଼ିକୁ ସଫା କରି ଧୋଇଛନ୍ତି। ପୱନ କଲ୍ୟାଣ ସିଡ଼ି ସଫା କରୁଥିବା ଫଟୋ ଓ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।କଲ୍ୟାଣ ମନ୍ଦିରରେ ଗଣମାଧ୍ୟମକୁ କହିଛନ୍ତି, ମୁଁ ସନାତନ ଧର୍ମ ହିନ୍ଦୁତ୍ୱକୁ ଦୃଢ଼ ଭାବରେ ଅନୁସରଣ କରେ। ଆମେ ରାମଙ୍କର ଭକ୍ତ ଏବଂ ଆମ ଘରେ ରାମଙ୍କ ନାମ ଜପ କରୁଛୁ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତରେ ମୁସଲମାନ, ଖ୍ରୀଷ୍ଟିଆନ ଏବଂ ପାର୍ସୀ ଭଳି ସମସ୍ତ ଧର୍ମକୁ ସମାନ ସମ୍ମାନ ଦିଆଯାଏ ।

ଜନସେନା ନେତା କହିଛନ୍ତି ଯେ ଧର୍ମନିରପେକ୍ଷତାର ଧାରଣା ଏକପାଖିଆ ହୋଇପାରିବ ନାହିଁ କିନ୍ତୁ ଏହା ଏକ ଦ୍ୱିପାକ୍ଷିକ ରାସ୍ତା ଯେଉଁଥିରେ ସମସ୍ତ ଧର୍ମକୁ ସମ୍ମାନ ଦିଆଯିବା ଆବଶ୍ୟକ।ଲଡୁ ବିବାଦ ସମ୍ପର୍କରେ ତାଙ୍କ ଟୁଇଟର ଜବାବରେ ଅଭିନେତା ପ୍ରକାଶ ରାଜଙ୍କ ମନ୍ତବ୍ୟକୁ ନେଇ କଲ୍ୟାଣ ଆପତ୍ତି ଊଠାଇଛନ୍ତି ଏବଂ ଏହି ଘଟଣାରେ ଅଭିନେତାଙ୍କର କ’ଣ ସମ୍ପର୍କ ରହିଛି ବୋଲି ପଚାରିଛନ୍ତି। ସେ ପଚାରିଛନ୍ତି, ପ୍ରକାଶ ରାଜ ମୋ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ମୁଁ ହିନ୍ଦୁମାନଙ୍କ ପ୍ରତି ହେଉଥିବା ଅସଦାଚରଣ ବିଷୟରେ କହୁଥିଲି। ଏଥିରେ ପ୍ରକାଶ ରାଜଙ୍କର ଭୂମିକା କ’ଣ? ମୁଁ କୌଣସି ଧର୍ମକୁ ଅପମାନିତ କଲି କି ?, ମୁଁ ଇସଲାମକୁ ଅପମାନିତ କଲି କି ?, ମୁଁ ଖ୍ରୀଷ୍ଟିଆନ ଧର୍ମକୁ ଅପମାନିତ କଲି କି? ଯଦି କୌଣସି ଭୁଲ ଅଛି,ତେବେ ମୁଁ ଏହା ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ କି?

ସଳଚନାଯୋଗ୍ୟ, ନିକଟରେ ପ୍ରକାଶ ରାଜ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣଙ୍କୁ ‘ଏକ୍ସ’ ରେ ଏକ ପୋଷ୍ଟରେ ଟ୍ୟାଗ୍ କରି କହିଛନ୍ତି ଯେ, ପ୍ରିୟ ପୱନ କଲ୍ୟାଣ , ଆପଣ ଉପମୁଖ୍ୟ ଥିବା ରାଜ୍ୟରେ ଏପରି ଘଟଣା ଘଟିଛି ,ଦୟାକରି ଅନୁସନ୍ଧାନ କରନ୍ତୁ। ଦୋଷୀମାନଙ୍କୁ ଖୋଜନ୍ତୁ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ। ଆପଣ କାହିଁକି ଆଶଙ୍କା ସୃଷ୍ଟି କରୁଛନ୍ତି ଏବଂ ଜାତୀୟସ୍ତରରେ ଏହି ପ୍ରସଙ୍ଗ ଉଠାଉଛନ୍ତି, ଆମ ଦେଶରେ ପୂର୍ବରୁ ଅନେକ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଛି। ଏହାର ଜବାବରେ ଏବେ ପୱନ କଲ୍ୟାଣ ଊତ୍ତର ଦେଇ ଏଭଳି କହିଛନ୍ତି ।

Leave a Reply

Your email address will not be published. Required fields are marked *