ଜାତିସଂଘରେ ପାକିସ୍ତାନକୁ ଭାରତର କଡ଼ା ଜବାବ: ଆତଙ୍କବାଦର ପରିଣାମ ଭୋଗିବ

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇବା ପରେ ଭାରତ ଏହାର ତୀବ୍ର ସମାଲୋଚନା କରିଛି। ଭାରତ ଏହାର ଜବାବ ଦେଇ କହିଛି ଯେ ପାକିସ୍ତାନ ଭାରତୀୟ ଅଞ୍ଚଳକୁ ଲୋଭ କରୁଛି ଏବଂ ଭାରତର ଅବିଚ୍ଛେଦ୍ୟ ଅଂଶ ଜମ୍ମୁ-କଶ୍ମୀରରେ ନିର୍ବାଚନରେ ବାଧା ସୃଷ୍ଟି କରିବା ପାଇଁ ଆତଙ୍କବାଦକୁ ବ୍ୟବହାର କରୁଛି। ଏହି ରାଷ୍ଟ୍ର (ପାକିସ୍ତାନ)କୁ ଆତଙ୍କବାଦର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଭାରତ କହିଛି ।

ଭାରତୀୟ କୂଟନୀତିଜ୍ଞ ଭାବିକା ମଙ୍ଗଳାନନ୍ଦନ କହିଛନ୍ତି, ବିଶ୍ୱ ଜାଣେ ଯେ ପାକିସ୍ତାନ ଦୀର୍ଘ ଦିନ ଧରି ସୀମାପାର ଆତଙ୍କବାଦକୁ ନିଜ ପଡ଼ୋଶୀଙ୍କ ବିରୋଧରେ ଅସ୍ତ୍ର ଭାବେ ବ୍ୟବହାର କରିଆସୁଛି। ଏହା ଆମ ସଂସଦ, ଆମର ଆର୍ଥିକ ରାଜଧାନୀ ମୁମ୍ବାଇ, ବଜାର ଓ ତୀର୍ଥସ୍ଥଳଉପରେ ଆକ୍ରମଣ କରିଛି। ଏହି ତାଲିକା ବହୁତ ଲମ୍ବା। ଏଭଳି ଦେଶ ପାଇଁ ଯେକୌଣସି ସ୍ଥାନରେ ହିଂସା ବିଷୟରେ କହିବା ହାସ୍ୟାସ୍ପଦ। ମଙ୍ଗଳାନନ୍ଦନ ଆହୁରି କହିଛନ୍ତି ଯେ ନିର୍ବାଚନରେ ଜାଲିଆତିର ଇତିହାସ ଥିବା ଦେଶକୁ ଗଣତନ୍ତ୍ର ବିଷୟରେ କହିବା ଶୋଭା ପାଉନି। ଶୁକ୍ରବାର ୟୁଏନ୍‌ଜିଏରେ ଦେଇଥିବା ଭାଷଣରେ ସରିଫ ଜମ୍ମୁ-କଶ୍ମୀରର ସ୍ଥିତିକୁ ପାଲେଷ୍ଟାଇନ ସହ ତୁଳନା କରି କହିଛନ୍ତି ଯେ ଲୋକମାନେ ନିଜର ସ୍ୱାଧୀନତା ଓ ଆତ୍ମନିର୍ଣ୍ଣୟ ଅଧିକାର ପାଇଁ ଏକ ଶତାବ୍ଦୀ ଧରି ସଂଘର୍ଷ କରିଥିଲେ। ଜମ୍ମୁ-କଶ୍ମୀରରରେ ଧାରା ୩୭୦ ଉଚ୍ଛେଦକୁ ପ୍ରତ୍ୟାହାର କରିବାକୁ ସେ ଭାରତକୁ ଆହ୍ୱାନ ଦେବା ସହ ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ତାବ ଓ କଶ୍ମୀରବାସୀଙ୍କ ଇଚ୍ଛା ଅନୁଯାୟୀ ଆଲୋଚନା କରିବାକୁ ଅନୁରୋଧ କରିଥିଲେ ।

ଭାରତ ‘ଆଜାଦ କଶ୍ମୀର’

ଛଡ଼ାଇ ନେବାକୁ ଧମକ ଦେଉଛି:

ସରିଫ୍‌ ପାକିସ୍ତାନ ହିଂସା ବିଷୟରେ କହିବା ହାସ୍ୟାସ୍ପଦ: ଭାରତପାକ୍ ପ୍ରଧାନମନ୍ତ୍ରୀ ଆହୁରି ଦାବି କରିଛନ୍ତି ଯେ ଭାରତ ଇସଲାମାବାଦର ପାରସ୍ପରିକ ରଣନୈତିକ ସଂଯମ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ଏବଂ ଭାରତୀୟ ନେତୃତ୍ୱ ନିୟନ୍ତ୍ରଣ ରେଖା (ଏଲ୍‌ଓସି) ଅତିକ୍ରମ କରି ପାକିସ୍ତାନର ‘ଆଜାଦ କଶ୍ମୀର’ ଭିତରେ ପ୍ରବେଶ କରିବାକୁ ଧମକ ଦେଉଛନ୍ତି। ଏହାର ଉତ୍ତରରେ ଆତଙ୍କବାଦ ଓ ଆଲୋଚନା ଏକାଠି ହୋଇପାରିବ ନାହିଁ ବୋଲି ଭାରତ ନିଜର ଆଭିମୁଖ୍ୟକୁ ଦୋହରାଇବା ସହ ରଣନୈତିକ ସଂଯମ ଉପରେ ସରିଫଙ୍କ ମନ୍ତବ୍ୟକୁ ପ୍ରତ୍ୟାଖ୍ୟାନ କରିଛି। ଏଥି ସହ ଭାରତ ବିରୋଧରେ ସୀମାପାର ଆତଙ୍କବାଦ ଅନିବାର୍ଯ୍ୟ ପରିଣାମକୁ ଆମନ୍ତ୍ରଣ କରିବ ବୋଲି ଭାରତୀୟ ପ୍ରତିନିଧି କହିଛନ୍ତି। ୧୯୭୧ ଗଣହତ୍ୟା ଓ ସଂଖ୍ୟାଲଘୁଙ୍କ ଉପରେ ଚାଲିଥିବା ଅତ୍ୟାଚାରକୁ ଉଲ୍ଲେଖ କରି ପାକିସ୍ତାନର ମାନବାଧିକାର ରେକର୍ଡକୁ ମଧ୍ୟ ସମାଲୋଚନା କରି ଭାରତ କହିଛି ଯେ ଏଭଳି ଦେଶ ହିଂସା ଓ ଅସହିଷ୍ଣୁତା ବିଷୟରେ କହିବା ହାସ୍ୟାସ୍ପଦ ।

Leave a Reply

Your email address will not be published. Required fields are marked *