ଧକ୍କା ଦେବା ପରେ ଘୋଷାଡ଼ି ନେଲେ କାର ଚାଳକ କନଷ୍ଟେବଳଙ୍କ ହେଲା ମୃତ୍ୟୁ

ନୂଆଦିଲ୍ଲୀ: ଦିଲ୍ଲୀର ନାଂଗାଲୋଇ ଅଞ୍ଚଳରେ ହିଟ-ଆଣ୍ଡ-ରନର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଦିଲ୍ଲୀ ପୁଲିସର ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଯାଇଥିବା ଜଣାପଡ଼ିଛି। ଏହି ଘଟଣାର ଏକ ସିସିଟିଭି ଫୁଟେଜ ବି ଭାଇରାଲ ହୋଇଛି। ରବିବାର ଏହି ଘଟଣା ଘଟିଥିବା ବେଳେ ଉକ୍ତ କନଷ୍ଟେବଳଙ୍କ ନାମ ସନ୍ଦୀପ ବୋଲି ଜଣାପଡ଼ିଛି। ଯିଏକି ନାଂଗାଲୋଇ ପୁଲିସ ଷ୍ଟେସନରେ ନିୟୋଜିତ ଥିଲେ ।

ସୂଚନାଯୋଗ୍ୟ, କନଷ୍ଟେବଳ ନାଂଗାଲୋଇ ଅଞ୍ଚଳରେ ହଠାତ ବୃଦ୍ଧି ପାଇଥିବା ଡକାୟିତି ଘଟଣାର ଯାଞ୍ଚପାଇଁ ସିଭିଲ ପୋଷାକରେ ଡିୟୁଟି କରୁଥିଲେ। ସେ ତାଙ୍କ ବାଇକରେ ଥିବା ବେଳେ ଅନିୟନ୍ତ୍ରିତ ଭାବେ ଏକ କାର ମାଡ଼ି ଆସୁଥିବା ଦେଖି କନଷ୍ଟେବଳ ଚାଳକଙ୍କୁ ଗାଡ଼ିର ଗତି ମନ୍ଥର କରିବା ପାଇଁ ସଙ୍କେତ ଦେଇଥି‌ଲେ ।

କିନ୍ତୁ କାର ଚାଳକ ଜଣକ କନଷ୍ଟେବଳ ସନ୍ଦୀପଙ୍କ କଥା ଶୁଣି ନଥିଲେ।ଏହାପରେ ସନ୍ଦୀପ କାରକୁ ଓଭରଟେକ କରି ଅଟକାଇବା ପାଇଁ ଯାଉଥିବା ବେଳେ କାରଚାଳକ କନଷ୍ଟେବଳଙ୍କ ବାଇକକୁ ପଛରୁ ଧକ୍କା ଦେଇଥିଲେ। ଆଉ ବାଇକକୁ ପାଖାପାଖି ୧୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଏହାପରେ କାରଛାଡ଼ି ଚାଳକ ଓ ତାଙ୍କ ସହିତ ଥିବା ଦୁଇଜଣ ଯୁବକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଗୁରୁତର ଆହତ ହାଇଥିବା କନଷ୍ଟେବଳଙ୍କୁ ସ୍ଥାନୀୟଲୋକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତଘୋଷଣା କରିଥିଲେ। ପୁଲିସ ଏହି ଘଟଣାର ସିସିଟିଭି ଯାଞ୍ଚ କରି ଗାଡ଼ି ଚାଳକ ଓ ତାଙ୍କ ସହିତ ବସିଥିବା ଯୁବକଙ୍କ ପରିଚୟ ପାଇଯାଇଛି। ଖୁବଶୀଘ୍ର ଦୁହିଁଙ୍କୁ ଗିରଫ କରିବ ବୋଲି ସୂଚନା ଦେଇ କହିଛି ।

Leave a Reply

Your email address will not be published. Required fields are marked *