ଆରଜି କର ମାମଲା: ମନ୍ଥର କାର୍ଯ୍ୟାନୁଷ୍ଠାନ ନେଇ ଏସସି କଠୋର, ମମତା ସରକାର ଦେଲେ ଏଭଳି ଉତ୍ତର…

କୋଲକାତା: ପଶ୍ଚିମବଙ୍ଗର କୋଲକାତାର ଆରଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଘଟିଥିବା ମହିଳା ଡାକ୍ତରଙ୍କ ଦୁଷ୍କର୍ମ ହତ୍ୟା ମାମଲାର ସୋମବାର ସୁପ୍ରିମକୋର୍ଟ(ଏସସି)ରେ ଶୁଣାଣି ହୋଇଥିଲା ।

ଏହି ମାମଲାର ଶୁଣାଣି ବେଳେ ଆରଜି କର ହସ୍ପିଟାଲର ସୁରକ୍ଷାକୁ ନେଇ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ ଉପରେ ଏସସି ପ୍ରଶ୍ନ ପଚାରିଥିଲେ। କୋର୍ଟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାରଙ୍କୁ ପଚାରିଥିଲେ କାର୍ଯ୍ୟ କେବେ ଶେଷ ହେବ?

କାର୍ଯ୍ୟାନୁଷ୍ଠାନ ଏତେ ମନ୍ଥର କାହିଁକି?ପଶ୍ଚିମବଙ୍ଗ ସରକାରଙ୍କୁ ଡାକ୍ତରଖାନାରେ ସିସିଟିଭି କ୍ୟାମେରା, ଶୌଚାଳୟ ଏବଂ ପୃଥକ ବିଶ୍ରାମ ଗୃହ ନିର୍ମାଣ ପାଇଁ କ’ଣ ପଦକ୍ଷେପ ନିଆଯାଇଛି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି।ଏହା ଉପରେ ମମତା ସରକାର କହିଛନ୍ତି ଯେ, ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଦରକାର। କାରଣ ରାଜ୍ୟରେ ଲାଗି ରହିଥିବା ବନ୍ୟା ସମସ୍ୟା ଯୋଗୁ ନିର୍ମାଣ ସାମଗ୍ରୀ ଆଣିବାରେ ଅସୁବିଧା ହେଉଛି। ସରକାର କହିଛନ୍ତି ଯେ ଡାକ୍ତରଖାନାରେ ୨୬ ପ୍ରତିଶତ ସିସିଟିଭି ଲଗାଯାଇଛି ଏବଂ ଅବଶିଷ୍ଟ କ୍ୟାମେରା ଅକ୍ଟୋବର ୧୦ ସୁଦ୍ଧା ଲଗାଯିବ।ଏହା ଉପରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଯେ ୫୦ ପ୍ରତିଶତରୁ ଅଧିକ କାମ ଏପର୍ଯ୍ୟନ୍ତ ହୋଇନାହିଁ, ପ୍ରକ୍ରିୟା ଏତେ ମନ୍ଥର କାହିଁକି?

ଅଗଷ୍ଟ ୯ ତାରିଖରୁ କୋର୍ଟ ଏହି ମାମଲା ଉପରେ ନଜର ରଖିଛନ୍ତି। ଏନେଇ ମମତା ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଅଧିକାଂଶ କାର୍ଯ୍ୟ ଅକ୍ଟୋବର ୧୩ ସୁଦ୍ଧା କରାଯିବ ଏବଂ ଅକ୍ଟୋବର ୩୧ ସୁଦ୍ଧା କାର୍ଯ୍ୟ ଶେଷ ହେବ। ପରବର୍ତ୍ତୀ ଶୁଣାଣିରେ ନ୍ୟାସନାଲ ଟେଷ୍ଟ ଫୋର୍ସ (ଏନଟିଏଫ)ର ରିପୋର୍ଟ ଉପସ୍ଥାପନ କରିବାକୁ କୋର୍ଟ ମମତା ସରକାରଙ୍କ ପକ୍ଷରୁ ହାଜର ହୋଇଥିବା ସୋଲିସିଟର ଜେନେରାଲଙ୍କୁ କହିଛନ୍ତି।ସୂଚନାଯୋଗ୍ୟ,କୋଲକାତା ମାମଲା ପରେ ସୁପ୍ରିମକୋର୍ଟ ଡାକ୍ତରଙ୍କ ସୁରକ୍ଷା ଉପରେ ଏକ ଜାତୀୟ ଟାସ୍କ ଫୋର୍ସ(ଏନଟିଏଫ) ଗଠନ କରିବାକୁ ଘୋଷଣା କରିଥିଲେ। କୋର୍ଟଙ୍କ ତତ୍ତ୍ବାବଧାନରେ ଏନଟିଏଫ ଗଠନ କରାଯିବ ଯେଉଁଥିରେ ଡାକ୍ତରମାନେ ସାମିଲ ହେବେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୪ରେ ସୁପ୍ରିମକୋର୍ଟରେ ହେବ ।

Leave a Reply

Your email address will not be published. Required fields are marked *