ସ୍ଥାୟୀ ଡିଜିପି ନିଯୁକ୍ତି ପ୍ରସଙ୍ଗ: କେନ୍ଦ୍ର, ଓଡ଼ିଶା ସମେତ ସାତ ରାଜ୍ୟକୁ ସୁପ୍ରିମ୍‌କୋର୍ଟଙ୍କ ନୋଟିସ୍‌

ନୂଆଦିଲ୍ଲୀ: ପୁଲିସ ମହାନିର୍ଦ୍ଦେଶକଙ୍କ ନିଯୁକ୍ତି ନେଇ ପ୍ରକାଶ ସିଂହ ମାମଲା ମାର୍ଗଦର୍ଶିକାକୁ ଲାଗୁ କରିବା ତଥା ଦୁଇ ବର୍ଷର ନିଶ୍ଚିତ କାର୍ଯ୍ୟକାଳ ପାଇଁ ନିୟମିତ ନିଯୁକ୍ତି ଦାବି ସଂପର୍କିତ ଅର୍ଜିର ଶୁଣାଣି କରି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସହ ଓଡ଼ିଶା, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡକୁ ନୋଟିସ୍‌ ଜାରି କରିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ କେନ୍ଦ୍ର ଓ ୭ ରାଜ୍ୟର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଗତ ସୋମବାରରେ ଆଇନଜୀବୀ ସାବିତ୍ରୀ ପାଣ୍ଡେଙ୍କ ଦ୍ବାରା ଦାଖଲ ଆବେଦନର ଶୁଣାଣି କରି ଏହି ନୋଟିସ୍‌ ଜାରି କରିଛନ୍ତି ।

ଏଥିରେ ଉଲ୍ଲେଖ କରାଯାଇଛି, ୨୨ ଡିସେମ୍ବର ୨୦୦୬ର ପୁଲିସ ସଂସ୍କାର ନିଷ୍ପତ୍ତି ମାର୍ଗଦର୍ଶିକା ଆଧାରରେ ଡିଜିପିଙ୍କ ସ୍ଥାୟୀ ନିଯୁକ୍ତି ସଂପର୍କିତ ନିର୍ଦ୍ଦେଶ ଅନେକ ରାଜ୍ୟ ପାଳନ କରୁନାହାନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେମାନଙ୍କୁ ସ୍ଥାନାନ୍ତର କରିଦିଆଯାଉଛି କିମ୍ବା ଅନ୍ୟବିଭାଗ ବା ପଦରେ ନିଯୁକ୍ତି ଦିଆଯାଉଛି। ରାଜ୍ୟମାନେ ସ୍ଥାୟୀ ପୁଲିସ ମହାନିର୍ଦ୍ଦେଶକ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଓ ୟୁପିଏସ୍‌ସି ମାର୍ଗଦର୍ଶିକା ପାଳନ କରନ୍ତୁ। ଭାରପ୍ରାପ୍ତ ଡିଜିପି ନିଯୁକ୍ତି କରାନଯାଉ ଏବଂ ଅତି ଆବଶ୍ୟକ ହେଲେ ହିଁ ଭାରପ୍ରାପ୍ତ ଡିଜିପି/ଅସ୍ଥାୟୀ ଡିଜିପିଙ୍କ ନିଯୁକ୍ତି ହେଉ ବୋଲି ଆବେଦନକାରୀ ଅର୍ଜିରେ ଦର୍ଶାଇଛନ୍ତି ।

Leave a Reply

Your email address will not be published. Required fields are marked *