
ଭୁବନେଶ୍ବର: ଭରତପୁର ଥାନା ଘଟଣାର ନ୍ୟାୟିକ ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଛି। ସତ୍ୟପାଠ ଦାଖଲ କରିବାକୁ ସର୍ବସାଧାରଣରେ ବିଜ୍ଞପ୍ତି ଜାରି କରାଯାଇଛି। ମାମଲାର ଦୁଇ ପକ୍ଷଙ୍କ ବାଦ୍ ଯେଉଁମାନେ ଘଟଣା ସମ୍ପର୍କରେ ଜାଣିଛନ୍ତି, ସେମାନେ ମଧ୍ୟ ସତ୍ୟପାଠ ଦାଖଲ କରିପାରିବେ ବୋଲି ବିଜ୍ଞପ୍ତିରେ କୁହାଯାଇଛି। ଆଜିଠୁ ୨୧ଦିନ ପର୍ଯ୍ୟନ୍ତ ସତ୍ୟପାଠ ଦାଖଲ ହୋଇପାରିବ। ସବୁଗୁଡ଼ିକୁ ଯାଞ୍ଚ କରାଯିବା ପରେ ଗ୍ରହଣଯୋଗ୍ୟ ସତ୍ୟପାଠ ଦାଖଲ କରିଥିବା ବ୍ୟକ୍ତିଙ୍କୁ ସମନ କରାଯିବ ।
ସେମାନେ କମିସନଙ୍କ ଧାର୍ଯ୍ୟ ତାରିଖରେ ହାଜର ହୋଇ ନିଜର ପକ୍ଷ ରଖିବେ।ସତ୍ୟପାଠ ଦାଖଲ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତିଏସ୍ଆଇ ବୈଶାଳିନୀଙ୍କ ପଲିଗ୍ରାଫ୍ ଟେଷ୍ଟ ଆରମ୍ଭ ସେପଟେ ଆଜି ଗୁଜରାଟରେ ପଲିଗ୍ରାଫ୍ ଟେଷ୍ଟ ଆରମ୍ଭ ହୋଇଛି। ନିଲମ୍ବିତ ମହିଳା ଏସ୍ଆଇ ବୈଶାଳିନୀ ପଣ୍ଡା ଆଜି ପଲିଗ୍ରାଫ୍ ଟେଷ୍ଟର ସମ୍ମୁଖୀନ ହୋଇଛନ୍ତି। ଗୁଜରାଟ ଫୋରେନ୍ସିକ୍ ଏକ୍ସପର୍ଟଙ୍କ ଦ୍ବାରା ପ୍ରସ୍ତୁତ ସ୍ବତନ୍ତ୍ର ପ୍ରଶ୍ନାବଳୀ ଆଧାରରେ ବୈଶାଳିନୀଙ୍କୁ ପଚରା ଯାଇଛି। ପ୍ରଥମ ଦିନରେ ତାଙ୍କୁ ୩୦ ରୁ ଅଧିକ ପ୍ରଶ୍ନ ପଚରା ଯାଇଛି ଏବଂ ଉତ୍ତରଗୁଡ଼ିକ ରେକର୍ଡ କରାଯାଇଛି। ବୈଶାଳିନୀ ଉତ୍ତର ଦେଉଥିବା ବେଳେ ତାଙ୍କ ହାର୍ଟ ବିଟ୍, ରକ୍ତଚାପ, ଶରୀର ଭାବଭଙ୍ଗୀ, ମୁଖମଣ୍ଡଳରେ ପ୍ରକାଶ ପାଉଥିବା ପ୍ରତିକ୍ରିୟାସବୁକୁ ରେକର୍ଡ କରାଯାଇଛି ।
ତିନି ଚାରିଟି ପର୍ଯ୍ୟାୟରେ ଏହି ପରୀକ୍ଷା ହେବ। ବଡ଼ କଥା ହେଉଛି, ପୂର୍ବତନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର କୌଣସି ପରୀକ୍ଷା ହୋଇପାରିନାହିଁ। ସେ ୩ଟି ପରୀକ୍ଷାର ସମ୍ମୁଖୀନ ହେବେ। ତାଙ୍କୁ ବ୍ରେନ୍ ମ୍ୟାପିଂ, ନାର୍କୋ ଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟରେ ବସିବାକୁ ପଡ଼ିବ। ଏହା ପୂର୍ବରୁ ଆବଶ୍ୟକ ହେଉଥିବା ତାଙ୍କର ସ୍ବାସ୍ଥ୍ୟଗତ ପରୀକ୍ଷା ସରିଛି। ସୋମବାର ରିପୋର୍ଟ ଆସିବା ପରେ ତାଙ୍କର ପରୀକ୍ଷା କରାଯିବ। ଯାହା ସୂଚନା ରହିଛି, ଅନ୍ୟ ସମସ୍ତ ପୁଲିସ କର୍ମଚାରୀଙ୍କ ପରୀକ୍ଷା ସରିବା ପରେ ଆଇଆଇସି ଶ୍ରୀ ମିଶ୍ରଙ୍କର ପରୀକ୍ଷା କରାଯିବ ।