କନ୍ଧମାଳ ଜିଲ୍ଲାରେ ପୁଣି ଦାଦନ ଦୁଃଖ, ଗ୍ୟାସ ଟାଙ୍କି ଫାଟି ଜଣେ ମୃତ ଦୁଇ ଗୁରୁତର

ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲାରୁ ପୁଣି ଦାଦନ ଦୁଃଖର ଖବର ସାମ୍ନାକୁ ଆସିଛି | ପରିବାର ପାଇଁ ଅର୍ଥ ରୋଜଗାର କରିବାକୁ ବାହାର ରାଜ୍ୟକୁ ଯାଇଥିବା ଭେଣ୍ଡିଆ ପୁଅର ଜୀବନ ଚାଲିଯାଇଛି | ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକାପୋଡି ପଞ୍ଚାୟତର ଶୀର୍କି ଗ୍ରାମର ବିକ୍ରମ ପ୍ରଧାନ (୩୫) ଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ କେରଳ ରାଜ୍ୟର ଏର୍ନାକୁଲମ୍ ଜିଲ୍ଲାର ବିନାନିପୁରମ,ଏଡିଆର, ଫରମାଲ ଟ୍ରେଡ ଲିନକ୍ସ ଲିମିଟେଡ କମ୍ପାନୀରେ କାମ କରୁଥିଲେ । ସେହି କମ୍ପାନୀ ଚର୍ବି କମ୍ପାନୀ ହେଇଥିବା ସୂଚନା ରହିଥିବା ବେଳେ ସେଠାରେ କମ ଲୋକ କେବଳ ରାତ୍ରି ସମୟରେ କାମ କରନ୍ତି ।ତେବେ ଶନିବାର ରାତି ପ୍ରାୟ ୧୧ ଘଟିକା ସମୟରେ କାମ କରୁଥିବା ସମୟରେ ହଠାତ ଗ୍ୟାସ୍ ଟାଙ୍କି ଫାଟି ଯାଇଥିଲା ଓ ସେଠାରେ କାମ କରୁଥିବା କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ମାଲିକପୋଡ଼ି ପଞ୍ଚାୟତ ସିର୍କି ଗ୍ରାମର ବିକ୍ରମ ପ୍ରଧାନ(୩୫)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ମାନସ ପ୍ରଧାନ(୨୫) ଓ ବାର ପ୍ରଧାନ(୩୫) ଗୁରୁତର ଆହତ ହୋଇଥିଲେ ।

ସେମାନଙ୍କୁ ତୁରନ୍ତ ନିକଟସ୍ଥ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | ତେବେ ବିକ୍ରମ ଗତ ୪ ମାସ ହେବ ବିବାହ କରିଥିଲେ ଓ ପରେ ସେ ଦାଦନ ଖଟିବା ପାଇଁ ଯାଇଥିଲେ। ତେବେ ବିକ୍ରମଙ୍କ ମୃତଦେହ କମ୍ପାନୀ ପକ୍ଷରୁ ପଠାଯାଇଥିବାବେଳେ ଗାଁରେ ଏବେ ଶୋକର ଲହରୀ ଖେଳିଯାଇଛି |କନ୍ଧମାଳ ଜିଲ୍ଲାରେ କାମଧନ୍ଦା ଅଭାବରୁ ହଜାର ହଜାର ଯୁବକ ଯୁବତୀ ଦାଦନ ଖଟିବାକୁ ସୁଦୂର କେରଳ ଯାଉଥିବା ବେଳେ ସେଠାରୁ ଶବ ହୋଇ ଫେରିବା ଏକ ନିତିଦିନିଆ ଘଟଣା ହୋଇଗଲାଣି। କନ୍ଧମାଳ ଜିଲ୍ଲାର ଯୁବପୀଢ଼ିଙ୍କ ପାଇଁ କୌଣସି ସରକାରଙ୍କ ଆନ୍ତରିକତା ନଥିବା ଭଳି ମନେ ହେଉଛି। ଜିଲ୍ଲାରେ ସବୁଜ ସୁନ୍ଦର ପରିବେଶ ସାଙ୍ଗକୁ ପର୍ଯ୍ୟାପ୍ତ ପର୍ଯ୍ୟଟନର ସୁବିଧା ଥିବା ବେଳେ ଏହାର ବିକାଶ ନ କରିବା, କନ୍ଧମାଳରେ ପ୍ରଚୁର ହଳଦୀ ଆଦାୟ ହେଉଥିଲେ ମଧ୍ୟ ମସଲା ପ୍ରକ୍ରିୟାକରଣ ଫେକ୍ଟ୍ରି ନ ବସେଇବା ଯୋଗୁଁ ଯୁବପିଢି ଚାଷ ପ୍ରତି ବିମୁଖ ହେବା ସହ କାମଧନ୍ଦା ଅଭାବରୁ ବାହାର ରାଜ୍ୟରେ ଦାଦନ ଖଟି ନିର୍ଯ୍ୟାତିତ ହେବା ସହ ମୃତ୍ୟୁ ମୁଖରେ ପଡିବା ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ କହିଛନ୍ତି ।

Leave a Reply

Your email address will not be published. Required fields are marked *