ଅହଙ୍କାର କାରଣରୁ ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ବିଜେଡି ସହ୍ୟ କରିପାରୁନି: ବିଜେପି

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଶାସନ ନୁହେଁ ୪ଟି ଶାସନ ଚାଲୁଛି। ଗୋଟିଏ ନିଷ୍ପତ୍ତି ପାଇଁ ୪ଜଣଙ୍କୁ ଶୁଣିବାକୁ ମିଳୁଛି ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟ ସରକାରଙ୍କୁ ସମାଲୋଚନା କରି କହିଥିଲେ। ଏହାର ଜବାବ୍ ଦେଇ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି ଯେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବିଜେଡି ଦଳ ପରାଜୟ ପରେ ହତୋତ୍ସାହିତ ହୋଇପଡ଼ିଛନ୍ତି। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ନିଜ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହାନ୍ତି।ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଈର୍ଷାନ୍ୱିତ ହୋଇ ବିଜେଡି ନେତା ଏଭଳି ମନ୍ତବ୍ୟ ଦେଉଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଦଳରୁ କୋଣଠେସା କରି ଟିକେଟ୍ ଦେଉନଥିଲା? ଏ କଥାକୁ ବୋଧେ ସେ ଭୁଲି ଯାଉଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପରେ ଶ୍ରୀ ଆଚାର୍ଯ୍ୟ ଯେଉଁ ଟିପ୍ପଣୀ ଦେଇଛନ୍ତି, ତାହା ତାଙ୍କର ବ୍ୟକ୍ତିଗତ ନା ପାର୍ଟିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଏପରି ମନ୍ତବ୍ୟ ଦେଉଛନ୍ତି? ଯଦି ନବୀନ ବାବୁଙ୍କ ପ୍ରତି ଲୋକପ୍ରିୟତା ଥିଲା ବୋଲି ସେ କହୁଛନ୍ତି ତେବେ ନିକଟ ସାଧାରଣ ନିର୍ବାଚନରେ ନବୀନ ବାବୁ ଲଢୁଥିବା କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରେ ୧୬,୩୪୪ଟି ଭୋଟ୍ ବ୍ୟବଧାନରେ ହାରିଲେ କେମିତି ?

ଦୀର୍ଘ ୨୪ ବର୍ଷ ଧରି ଲୋକଙ୍କୁ ପ୍ରତାରିତ କରିବା ତଥା ପ୍ରତିଶ୍ରୁତି ପୂରଣ ନ କରିବା ପରାଜୟର କାରଣ ନୁହେଁ କି? ନବୀନ ବାବୁ କ୍ରମାଗତ ଭାବେ ନିଜର ଆସ୍ଥା ଓ ବିଶ୍ୱାସ ଓଡ଼ିଶାବାସୀଙ୍କ ଠାରୁ ହରାଇ ବସିଛନ୍ତି। ଏହି କଥାକୁ ଶ୍ରୀ ଆଚାର୍ଯ୍ୟ ଗ୍ରହଣ କାହିଁକି କରୁନାହାନ୍ତି? ଚଳିତଥର ହିଞ୍ଜିଳି ନିର୍ବାଚନମଣ୍ଡଳୀରୁ ନବୀନ ବାବୁ କେତେ ଭୋଟ୍‌ ବ୍ୟବଧାନରେ ଜିତିଛନ୍ତି, ତାହା ନବୀନ ବାବୁଙ୍କୁ ପଚାରିଲେ ଭଲ ହୁଅନ୍ତା। ବିଗତ କିଛି ବର୍ଷ ଧରି ବିଜେଡିରେ ମନ୍ତ୍ରୀ ଓ ବିଧାୟକମାନଙ୍କ ସ୍ଥିତି କ’ଣ ଥିଲା, ଏହା ମଧ୍ୟ ଶ୍ରୀ ଆଚାର୍ଯ୍ୟ ଅନୁଭବ କରିଥିବେ। ବର୍ତମାନ ଯେତେବେଳେ ବିଜେପି ରାଜ୍ୟରେ ରାଜନୈତିକ ସଂସ୍କୃତି ଓ ପରମ୍ପରାକୁ ପାଳନ କରିବା ସହ ଗଣତାନ୍ତ୍ରିକ ଶାସନ ପ୍ରତିଷ୍ଠା କରି ଶାସନଭାର ସମ୍ଭାଳିଛି, ତାହା ତାଙ୍କୁ କାହିଁକି କଷ୍ଟ ଦେଉଛି? ଏବେ ବି ବିଜେଡି ମଧ୍ୟରେ ଚାଲିଥିବା ଅନ୍ତଃକନ୍ଦଳ ଦିବାଲୋକରେ ସ୍ପଷ୍ଟ। ବିଜେଡି ନେତା ଏହି ସବୁ ପ୍ରସଙ୍ଗରେ କହିବା ପୂର୍ବରୁ ଥରେ ଚିନ୍ତା କରିବା ଦରକାର। ରାଜ୍ୟରେ ବିଜେପି ସରକାର ଗଠନର ଶହେ ଦିନ ମଧ୍ୟରେ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିଛି। ବିଜେପିର ଲୋକପ୍ରିୟତା ନେଇ ବିଜେଡି ନେତାଙ୍କୁ ଚିନ୍ତା ଘାରିବା ସ୍ୱାଭାବିକ ।

Leave a Reply

Your email address will not be published. Required fields are marked *