
ଭୁବନେଶ୍ବର: ପୂଜା ପାଇଁ ସାରା ରାଜଧାନୀ ଉତ୍ସବମୁଖର ହୋଇଉଠିଛି। ଏହି ସମୟରେ ଆଜି ସହରର ରାଜନୈତିକ ପରିବେଶ ହଠାତ୍ ସରଗରମ ହୋଇଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ପୂଜା ମଣ୍ଡପ ବୁଲିବାକୁ ନେଇ ଦୁଇ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା ।
ପୂଜା ମଣ୍ଡପ ବୁଲିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜି ସକାଳେ ପୂଜା ମଣ୍ଡପଗୁଡ଼ିକ ପାଇଁ ଧାର୍ଯ୍ୟ ହୋଇଥିବା ସରକାରୀ ଦେୟ ଛାଡ଼ ଘୋଷଣା କରିଥିଲେ। ଏହା ପରେ ସହଧର୍ମିଣୀ ପ୍ରିୟଙ୍କା ମାରାଣ୍ଡିଙ୍କ ସହ ପୂଜା ମଣ୍ଡପ ବୁଲି ମା’ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ। ପ୍ରଥମେ ପୁରୁଣା ଭୁବନେଶ୍ୱରସ୍ଥିତ ପାଟଣାସାହି ପୂଜାମଣ୍ଡପକୁ ଯାଇଥିଲେ। ଏହା ପରେ ସେ ସୁନ୍ଦରପଦା, ବରମୁଣ୍ଡା, ନୂଆପଲ୍ଲୀ, ସହିଦନଗର, ରସୁଲଗଡ଼, ବମିଖାଲ, ଷ୍ଟେସନ୍ ବଜାର ଓ ଲକ୍ଷ୍ମୀସାଗର ପୂଜାମଣ୍ଡପ ବୁଲି ମା’ଙ୍କୁ ଦର୍ଶନ କରିଥିଲେ। ଗଣମାଧ୍ୟମକୁ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଗଜ୍ଜନନୀ ମା’ଦୁର୍ଗାଙ୍କ ଆଗମନରେ ଧରଣୀ ଉତ୍ସବମୁଖର ହୋଇଉଠିଛି। ଆଜି ଅଷ୍ଟମୀ ତିଥିରେ ମା’ଙ୍କ ଦର୍ଶନ କରି ମୁଁ ନିଜକୁ ଧନ୍ୟ ମନେ କରୁଛି। ମା’ଙ୍କ ନିକଟରେ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆଙ୍କ ସୁଖ, ଶାନ୍ତି, ସମୃଦ୍ଧି ସହ ରାଜ୍ୟର ବିକାଶ ପାଇଁ ପ୍ରାର୍ଥନା କରିଛି। ଏହି ଅବସରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ସେହିଭଳି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ବିଭିନ୍ନ ପୂଜା ମଣ୍ଡପ ବୁଲିଥିଲେ। ସହିଦନଗର, ରସୁଲଗଡ଼ ଓ ବଡ଼ଗଡ଼ ପ୍ରଭୃତି ମଣ୍ଡପ ବୁଲି ଆଶୀର୍ବାଦ ଗ୍ରହଣ କରିବା ସହ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ। ବିଜେପି, ବିଜେଡି କର୍ମୀଙ୍କ ମଧ୍ୟରେ ଅଘୋଷିତ ପ୍ରତିଯୋଗିତାନେତାଙ୍କ କ୍ରେଜ୍କୁ ନେଇ ବୟାନବାଜିମଣ୍ଡପଗୁଡ଼ିକରେ ଉଭୟ ନେତାଙ୍କୁ ସ୍ବାଗତ କରିବା ପାଇଁ ଆୟୋଜକଙ୍କ ସମେତ ଦଳୀୟ ସମର୍ଥକ ଭିଡ଼ ଜମାଇଥିଲେ। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଧାୟକ ବାବୁ ସିଂହ, ମଧ୍ୟ ଓ ଉତ୍ତରର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନ ଓ ପ୍ରିୟଦର୍ଶୀ ମିଶ୍ର ଦାୟିତ୍ବ ନେଇଥିଲେ। ସେହିପରି ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକଙ୍କ ଗସ୍ତକୁ ପ୍ରଭାବୀ କରିବା ପାଇଁ ବିଧାୟକ ସୁଶାନ୍ତ ରାଉତ ଓ ଅନନ୍ତ ନାରାୟଣ ଜେନା, ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଦାୟିତ୍ବ ନେଇଥିଲେ। ମୁଖ୍ୟମନ୍ତ୍ରୀ ନଥିଲେ ବି ନବୀନଙ୍କ ଲୋକପ୍ରିୟତା ଅତୁଟ ରହିଛି, ତାହା ଦେଖାଇବାକୁ ସମସ୍ତ ପ୍ରସ୍ତୁତ କରାଯାଇଥିଲା ।
ଉଭୟ ନେତାଙ୍କ ଗସ୍ତ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଥିଲା। ତେବେ କିଛି ସମୟ ପାଇଁ ସାଧାରଣ ଲୋକ ହଇରାଣ ହୋଇଥିଲେ। ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ନେତାଙ୍କ କ୍ରେଜ୍କୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ବୟାନବାଜି ହୋଇଛି। ମେୟର ସୁଲୋଚନା ଦାସ କହିଛନ୍ତି, ଏବେ ବି ନବୀନ ଜନଗଣଙ୍କ ନେତା। ତାଙ୍କର କ୍ରେଜ୍ କିଛି କମିନି। ଏହାର ଜବାବ ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି, ଯିଏ ୨୪ ବର୍ଷ ଧରି ବୁଲୁ ନଥିଲେ, ଏବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ମଣ୍ଡପ ବୁଲୁଥିବା ଶୁଣି ବୁଲୁଛନ୍ତି। କାହାର କେତେ କ୍ରେଜ୍ ରହିଛି, ତାହା ଗତ ନିର୍ବାଚନରେ ପ୍ରମାଣିତ ହୋଇଛି ।