ମହାପ୍ରଭୁଙ୍କ ୧୨ କୋଟିର ଲଘୁ ଖଣିଜ ଚୋରି ମାମଲା: ୫ ଖିଲାପିଙ୍କ ବ୍ୟାଙ୍କ ଆକାଉଣ୍ଟ ସିଲ୍‌

ଖୋର୍ଦ୍ଧା: କିଏ ପ୍ରାୟ ତିନି କୋଟି ଟଙ୍କାର ଲଘୁ ଖଣିଜ ଖାଇଗଲା ତ, ଆଉ କିଏ ଅଢ଼େଇ କୋଟି ଟଙ୍କାର ଲଘୁ ଖଣିଜ କୋରି ନେଇଛି। ପାଞ୍ଚ ଜଣ ଲିଜ୍‌ଧାରୀ ମହାପ୍ରଭୁଙ୍କର ପ୍ରାୟ ୧୨ କୋଟି ଟଙ୍କାର ଖଣିଜ ସମ୍ପଦ ଲୁଟିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଅଭିଯୋଗ ପରେ ଖୋର୍ଦ୍ଧା ସଦର ଥାନା ପୁଲିସ ୫ ଖିଲାପି ଲିଜ୍‌ଧାରୀଙ୍କର ବ୍ୟାଙ୍କ ଆକାଉଣ୍ଟ ସବୁ ସିଲ୍ କରିଛି। ପୁଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପୂର୍ବରୁ ଅଭିଯୁକ୍ତମାନେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ଧାର୍ଯ୍ୟ ପରିମାଣଠାରୁ ଦୁଇରୁ ପାଞ୍ଚ ଗୁଣା ପର୍ଯ୍ୟନ୍ତ ଅଧିକ ଲଘୁ ଖଣିଜ ଉତ୍ତୋଳନ କରାଯାଇଥିଲା ।

୨୦୨୩ରେ ମୋଟ ୧୯ଜଣ ଖିଲାପି ଲିଜ୍‌ଧାରୀଙ୍କ କଥା ପଦାକୁ ଆସିଥିଲା। ସର୍ଭେ ରିପୋର୍ଟରେ ଏ ଖଣି ଚୋରି ପ୍ରସଙ୍ଗ ସ୍ପଷ୍ଟ ହେବା ପରେ ନିୟମ ଉଲ୍ଲଙ୍ଘନ କରିଥିବା ଲିଜ୍‌ଧାରୀଙ୍କୁ ଖୋର୍ଦ୍ଧା ଉପଜିଲ୍ଲାପାଳ ନୋଟିସ୍ କରିଥିଲେ। ଧାର୍ଯ୍ୟଠାରୁ ଅଧିକ ପରିମାଣର ଖଣିଜ ଉତ୍ତୋଳନ ବାବଦକୁ ଅତିରିକ୍ତ ଟଙ୍କା ପୈଠ କରିବାକୁ ନୋଟିସ୍‌ରେ କୁହାଯାଇଥିଲା। କିନ୍ତୁ, ଥରକୁ ଥର ନୋଟିସ୍‌ ସତ୍ତ୍ବେ କେହି କର୍ଣ୍ଣପାତ କଲେ ନାହିଁ। ସମୟ ଅବଧି ଭିତରେ ରୟାଲ୍‌ଟି ସହ ଅନ୍ୟାନ୍ୟ ଆନୁଷଙ୍ଗିକ ଦେୟ ଓ ଜରିମାନା ପଇଠ କରି ନଥିବାରୁ ୧୯ଜଣ ଖଣି ଲିଜ୍‌ଧାରୀଙ୍କ ଖଣି ଖନନ ଓ ବିସ୍ଫୋରଣ ଆଦି ଅନୁମତିକୁ ଖୋର୍ଦ୍ଧା ଜିଲ୍ଲାପାଳ ବାତିଲ କରି ଦେଇଥିଲେ। ଏହାପରେ ୫ ଜଣଙ୍କ ନାଁରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଦୀପ୍ତିରଞ୍ଜନ ସେଠୀ ଖୋର୍ଦ୍ଧା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତନ୍ମଧ୍ୟରୁ ଜଣଙ୍କ ନାଁରେ ୩ କୋଟି ୨୪ଲକ୍ଷ ଟଙ୍କା, ଅନ୍ୟ ଜଣଙ୍କର ୨ କୋଟି ୯୦ଲକ୍ଷ ଟଙ୍କାର ଖିଲାପ ଥିବା ଉପଜିଲ୍ଲାପାଳ ଶ୍ରୀ ସେଠୀ ଦର୍ଶାଇଥିଲେ।ସେହିପରି ତୃତୀୟ ଖିଲାପିଙ୍କ ନାଁରେ ୧ କୋଟି ୫୪ଲକ୍ଷ ଟଙ୍କା, ଚତୁର୍ଥ ମାମଲାରେ ୩ କୋଟି ୩୬ ଲକ୍ଷ ଟଙ୍କାର ଜରିମାନା ଓ ରୟାଲଟି ବକେୟା ରହିଛି। ମୋଟ୍‌ ଉପରେ ପାଞ୍ଚ ଜଣ ଖିଲାପି ଲିଜ୍‌ଧାରୀଙ୍କ ନାଁରେ ପ୍ରାୟ ୧୨ କୋଟି ଟଙ୍କାର ଜରିମାନା/ରୟାଲ୍‌ଟି ବକେୟା ରହିଛି। କିନ୍ତୁ, କେହି ଟଙ୍କାଟିଏ ବି ନ ଦେବାରୁ ପୁଲିସ ଓଏମ୍‌ଏମ୍‌ସି ରୁଲ୍‌ ଅନୁସାରେ ପାଞ୍ଚଟି ଚୋରି ମାମଲା ରୁଜୁ କରି ବ୍ୟାଙ୍କ ଆକାଉଣ୍ଟ୍ ସବୁ ଜବତ କରିଛି। ଏ ସମ୍ପର୍କରେ ସଦର ଥାନା ଅଧିକାରୀ କାହ୍ନୁ ଚରଣ ସ୍ବାଇଁ କହିଛନ୍ତି, ଉପଜିଲ୍ଲାପାଳଙ୍କ ଏତଲା କ୍ରମେ ଖଣି ଲିଜ୍‌ଧାରୀଙ୍କ ନାଁରେ ଆମେ ପାଞ୍ଚଟି ମାମଲା ରୁଜୁ କରିଛୁ। କେସ୍‌ ମୁତାବକ, ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟ୍‌ ଜବତ କରି ଦେଇଛୁ। ଅଭିଯୁକ୍ତମାନେ ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ବୋଲି ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *