ରାଉରକେଲାରେ ଦୁଇ ହାତୀ ଟ୍ରେନ ଧକ୍କାରେ ଆହତ ଘଟଣା: ଛୋଟ ହାତୀକୁ ଟ୍ରାଙ୍କୁଲାଇଜ କଲା ବନବିଭାଗ

ରାଉରକେଲା: ସୋମବାର ରାତି ପ୍ରାୟ ସାଢ଼େ ୯ଟା ସମୟରେ ମାଲଗାଡ଼ି ଧକ୍କାରେ ଛୁଆହାତୀର ମୃତ୍ୟୁ ହେବା ପରେ ଦୁଇ ହାତୀ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ବନ ବିଭାଗ ତତ୍ପରତା ଦେଖାଇ ବିଳମ୍ବିତ ରାତିରେ ଛୋଟ ହାତୀକୁ ଟ୍ରାଙ୍କୁଲାଇଜ କରିଛି। ଏଣେ ମା ହାତୀ ବିଳମ୍ବିତ ରାତିରେ ହାତୀପଲକୁ ପଳାଇଥିବା ସୂଚନା ରହିଛି। ଟ୍ରାଙ୍କୁଲାଇଜ ପରେ ହାତୀ ଛୁଆକୁ ନନ୍ଦନକାନନ ନେଉଛି ବନବିଭାଗ।ସୂଚନାଯୋଗ୍ୟ, ରାତିରେ ଛୁଆହାତୀର ମୃତ୍ୟୁ ପରେ ୨୪ଟି ହାତୀ ସକାଳେ ସନ୍ତୋଷପୁର ସ୍ଥିତ ଜାରାଟୋଲି ଆଡ଼କୁ ପଳାଇ ଯାଇଥିଲେ। ମାତ୍ର ଗୋଟିଏ ମାଈହାତୀ ନିଜ ଛୁଆ ସହିତ ଘଟଣାସ୍ଥଳ ନିକଟରେ ରାତି ସାରା ଜଗି ରହିଥିଲା ।

ସକାଳ ହେବା ପରେ ଏହି ଦୁଇହାତୀର ଖାଦ୍ୟ ଏବଂ ପାଣି ପାଇଁ ବନବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ରାଉରକେଲା ଡିଏଫ୍‌ଓ କହିଛନ୍ତି ଯେ ହାତୀ ପଲଙ୍କ ଯାତାୟାତ ସଂପର୍କରେ ବନ୍ଧମୁଣ୍ଡା ରେଳବାଇ କଣ୍ଟ୍ରୋଲ ରୁମକୁ ଆଗୁଆ ସୂଚନା ଦିଆଯାଇଥିଲା। ଏହାପରେ ମଧ୍ୟ ହାତୀ ଚଳାଚଳ ଜୋନରେ ଦ୍ରୁତଗତିରେ ଟ୍ରେନ୍ ଚଳାଉଥିଲେ। ରେଳବାଇ କଣ୍ଟ୍ରୋଲ ରୁମରେ ଥିବା ଅଧିକାରୀ କାହିଁକି ଏହାକୁ ଗୁରୁତ୍ୱ ଦେଇ ନଥିଲେ ବା ଲୋକୋ ପାଇଲଟ୍‌ଙ୍କୁ ଜଣାଇ ନଥିଲେ ବୋଲି ପ୍ରଶ୍ନ ଉଠୁଛି। ଉଲ୍ଲେଖନୀୟ ଯେ ଗତ କିଛିଦିନ ଧରି ବନ୍ଧମୁଣ୍ଡା, ବିଶ୍ରା, ଭାଲୁଲତା, ଜରେଇକେଲା, ବରସୁଆଁ, ବିମଳାଗଡ଼ ଆଦି ଅଞ୍ଚଳରେ ହାତୀଙ୍କ ଚଳପ୍ରଚଳ ବଢ଼ିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *