ଭଞ୍ଜନଗରରୁ ସୁନିଲ ସାଇ ଦେବାଶିଷ, ଶିକିତା ଗୌଡ଼ ଓ କେ କାର୍ତ୍ତିକ ଦୋରା ଓସିଏସ- ୨୦୨୨ ରେ କୃତକାର୍ଯ୍ୟ

ଭଞ୍ଜନଗର (ଓଡ଼ିଶା ଟୁଡେ): ଶନିବାର ଓସିଏସ ୨୦୨୨ ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭଞ୍ଜନଗର ସହରରୁ ୩ ଜଣ ମେଧାବୀ କୃତକାର୍ଯ୍ୟ ହୋଇଛନ୍ତି । ଭଞ୍ଜନଗର ସହର ବାଗଦେବୀ ରୋଡ଼ ଆନନ୍ଦ ବିହାରରେ ରହୁଥୁବା ସେନା କର୍ମଚାରୀ ଶରତ ଚନ୍ଦ୍ର ଗୌଡ଼ଙ୍କ କନ୍ୟା ଶିକିତା ଗୌଡ଼ ଓସିଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଶିକିତା ବର୍ତ୍ତମାନ ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ବାଣିଗୋଚ୍ଛା ଠାରେ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟରତ। ଶିକିତା ୧୦୯ ନଂ କ୍ରମାଙ୍କ ରଖି ଉତ୍ତୀର୍ଣ୍ଣ ହୋଇଥିବା ଖବର ପ୍ରଚାରିତ ହେବା ପରେ ପରିବାର ଓ ଭଞ୍ଜନଗର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଥିଲା। ଶିକିତା ଚନ୍ଦ୍ରଶେଖରପୁରରୁ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ବିଜେବି କଲେଜରେ +୨ ଏବଂ ଭୁବନେଶ୍ୱର ଓୟୁଏଟିରେ ପ୍ରାଣୀ ବିଜ୍ଞାନରେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟ କରୁଥିଲେ। ବାପା ଶରତ ଚନ୍ଦ୍ରଙ୍କ ଘର ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ମନ୍ଦାର ଗ୍ରାମରେ। ୨୦୦୪ ମସିହାରୁ ସେ ଭଞ୍ଜନଗର ବାଗଦେବୀ ରୋଡ଼ ଆନନ୍ଦବିହାରରେ ସ୍ଥାୟୀ ବାସିନ୍ଦା ଭାବେ ରହି ଆସୁଛନ୍ତି। ଶିକିତା ଓସିଏସ ପରୀକ୍ଷାରେ ସଫଳତା ହାସଲ କରିଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ଶରତଙ୍କ ତିନି ଝିଅ ମଧ୍ୟରୁ ବଡ଼ ଝିଅ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ। ଝିଅ ଶିକିତା ର ସଫଳତା ରେ ଗୌରବାନ୍ୱିତ ମନେ କରୁଥିବା ବାପା ଶରତ ଚନ୍ଦ୍ର କହିଛନ୍ତି।

ସେହିପରି ଭଞ୍ଜନଗର ବ୍ଲକ ଲାଲସିଂ ପଞ୍ଚାୟତ ୟୁନିଟ-୬ ବାସିନ୍ଦା ସୁବାସ ଚନ୍ଦ୍ର ସାହୁ ଓ ମାତା ରମିତା କୁମାରୀ ସାହୁଙ୍କ ଏକ ମାତ୍ର ପୁଅ ସୁନୀଲ ସାଇ ଦେବାଶିଷ ୨୦୨୨ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ୧୯୩ ତମ ସ୍ଥାନରେ କୃତକାର୍ଯ୍ୟ ହୋଇଛନ୍ତି। ସୁନୀଲଙ୍କ ବାପା ଜଣେ ପ୍ରଧାନ ଶିକ୍ଷକ ଭାବେ ଅବସର ନେଇଛନ୍ତି, ମା ରମିତା କୁମାରି ସାହୁ ମଧ୍ୟ ଜଣେ ଶିକ୍ଷୟତ୍ରୀ ଭାବେ ଅବସର ନେଇଛନ୍ତି। ସୁନୀଲ ଭଞ୍ଜନଗର ଡିହ ପଢାଳ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀ ପଢ଼ା ସାରି ବ୍ରହ୍ମପୁର ଖଲ୍ଲିକୋଟ କଲେଜରେ ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅଧ୍ୟୟନ କରିବା ପରେ ସେ ଓଡିଶା ପ୍ରଶାସନିକ ସେବାରେ ନିଜକୁ ନିୟୋଜିତ କରିବା ପାଇଁ ପରିଶ୍ରମ କରି ଆସୁଥିଲେ।୨୦୨୦ରେ ଭୁବନେଶ୍ୱର ଠାରେ ଯୁକ୍ତ ତିନି କଳା ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ରୁ ପଢ଼ିବା ପରେ ସିଭିଲ ସର୍ଭିସ ପାଇଁ କୋଚିଂ ନେଇଥିଲେ। ତିନି ଥର ପରୀକ୍ଷାରେ ବିଫଳ ହେବାପରେ ମଧ୍ୟ ତାଙ୍କ ଦୃଢ ଇଛାଶକ୍ତି ସକାଶେ ଚତୁର୍ଥ ଥର ପରୀକ୍ଷାରେ ଆଜି ସେ ଓଡିଶା ଲୋକ ସେବା ଆୟୋଗର ପରୀକ୍ଷାରେ ସଫଳ ହୋଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଭଞ୍ଜନଗର ଅଞ୍ଚଳରେ ଥିବା ସୁନୀଲଙ୍କ ସାଙ୍ଗସାଥି, ବନ୍ଧୁବାନ୍ଧବ, ଜନସାଧାରଣ, ଶିକ୍ଷକ ଶିକ୍ଷୟତ୍ରୀ ଓ ଶୁଭେଛୁ ମାନେ ଅଭିନନ୍ଦନ ଜଣାଇଛନ୍ତି। ଏଥିସହ ପୁଅର ସଫଳତା ପରିବାର ପାଇଁ ଖୁସି ଆଣିଦେଇଛି।

ସେହିପରି ଭଞ୍ଜନଗର କାହ୍ନୁ ରାଉତ ସାହିର କେ. କାର୍ତ୍ତିକ ଦୋରା ଓ ସି ଏସ ପରୀକ୍ଷାରେ ୩୬୦ ତମ ସ୍ଥାନରେ ଉତ୍ତୀର୍ଣ୍ଣ କରିଛନ୍ତି। କାର୍ତ୍ତିକଙ୍କ ବାପା ଦିବଙ୍ଗତ କେ. ସୂର୍ଯ୍ୟପ୍ରସାଦ ଦୋରା ଜଣେ ବ୍ୟବସାୟୀ ଥିଲେ ଏବଂ ଗତ ୨୦୦୪ ମସିହାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ କାର୍ତ୍ତିକ ଭୁବନେଶ୍ୱରରେ ରହୁଥିବା ବେଳେ ଅନ୍ୟ ଦୁଇ ବଡ଼ ଭାଇ ଭଞ୍ଜନଗରରେ ରହୁଛନ୍ତି। ସେ ଦିଲ୍ଲୀ ୟୁନିଭରସିଟିରୁ ଏଲ୍ଏଲ୍‌ବି ପାଠ ପଢିବା ପରେ ସିଭିଲ୍‌ ସର୍ଭିସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ। ଭଞ୍ଜନଗରରେ ଏକ ଘରୋଇ ସ୍କୁଲରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିବା ପରେ ଯୁକ୍ତଦୁଇ ବ୍ରହ୍ମପୁରର ଏକ ଘରୋଇ କଲେଜରେ ପଢିଥିଲେ। ଏହାପରେ ସେ ହିଞ୍ଜିଳିକାଟୁ ବିଜ୍ଞାନ କଲେଜରେ ଗଣିତ ବିଭାଗରେ ସ୍ନାତୋକତ୍ତର କରିବା ପରେ ଅଧିକ ପାଢ ପଢିବା ପାଇଁ ଦିଲ୍ଲୀ ଯାଇଥିଲେ। ସେଠାରେ ଆଇନଜୀବୀ ପଢିବା ସମୟରେ କଲେଜ ଲିଗାଲ୍‌ ସର୍ଭିସେସ ‌ମୁଖ୍ୟ ଭାବେ କିଛି ଦିନ କାର୍ଯ୍ୟ କରିବା ପରେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଦେବା ପାଇଁ ମନରେ ଇଚ୍ଛା ଜାଗ୍ରତ ହୋଇଥିଲା। ସେଠାରେ କିଛି ବର୍ଷ ଆଇନଜୀବୀ ଭାବେ ଅଭ୍ୟାସ କରିଥିବା ବେଳେ ଅନ୍ୟ ଚାକିରୀ ସନ୍ଧାନରେ ମଧ୍ୟ ବ୍ୟସ୍ତ ରହିଥିଲେ। ଏହାପରେ ସେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ। ୨ଥର ଅକୃତକାର୍ଯ୍ୟ ରହିବା ପରେ ମଧ୍ୟ ନିଜର ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ତୃତୀୟ ଥର ଚେଷ୍ଟାରେ ସେ ଏଭଳି ସଫଳତା ପାଇଥିବା ପ୍ରକାଶ କରିଛନ୍ତି। ଆଗକୁ ସେ ୟୁପିଏସ୍‌ସି ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିବା ବେଳେ ବର୍ତ୍ତମାନ ତୃଣମୂଳ ସ୍ତରରେ ରହିଥିବା ଲୋକଙ୍କୁ ସେବା ଦିଗରେ ପ୍ରାଥମିକତା ଦେଇ କାମ କରିବି ବୋଲି ପ୍ରକାଶ କରିଛନ୍ତି। ତାଙ୍କର ଏହି ସଫଳତା ଭଞ୍ଜନଗର ପାଇଁ ଗୌରବ ଆଣିଥିବାରୁ ତାଙ୍କ ପରିବାରବର୍ଗ, ବନ୍ଧୁ ବନ୍ଧବ, ଶୁଭେଛୁ ଓ ସହରର ଜନସାଧାରଣ ଅଭିନନ୍ଦନ ଜଣାଇଛନ୍ତି ଏବଂ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *